ମଙ୍ଗଳବାର ସ୍ମାରକୀ ଡାକ ଟିକେଟ ଉନ୍ମୋଚନ

ଗାନ୍ଧୀଙ୍କ ଓଡ଼ିଶା ଆଗମନର ବର୍ଷବ୍ୟାପୀ ଶତବାର୍ଷିକୀ କାର୍ଯ୍ୟକ୍ରମ

ଭୁବନେଶ୍ବର : ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆଗମନର ଶତବାର୍ଷିକୀ ପାଳନ ଲାଗି ବର୍ଷବ୍ୟାପୀ କାର୍ଯ୍ୟକ୍ରମ ଘୋଷଣା ହୋଇଛି। ରାଜ୍ୟ ସ୍ବାଧୀନତା ସଂଗ୍ରାମୀ ସମିତି ଓ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ପକ୍ଷରୁ ମହାତ୍ମାଙ୍କ ପ୍ରଥମ ଓଡ଼ିଶା ଆଗମନର ଶତବାର୍ଷିକୀ ସମାରୋହ କାର୍ଯ୍ୟକ୍ରମର ଶୁଭାରମ୍ଭ ମଙ୍ଗଳବାର ହେବାକୁ ଯାଉଛି। ମହାତ୍ମା ଓଡ଼ିଶାର ଯେଉଁ ଯେଉଁ ସ୍ଥାନକୁ ଆସିଥିଲେ ସେହିସବୁ ସ୍ଥାନରେ ପଦଯାତ୍ରା-ଗାନ୍ଧୀକଥା ଓ ଗାନ୍ଧୀ ଚିନ୍ତନ କାର୍ଯ୍ୟକ୍ରମ କରାଯିବ।

ସହିଦ ସ୍ମାରକୀ ସ୍ବାଧୀନତା ସଂଗ୍ରାମୀ ସଦନଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଆବାହକ ସାଂସଦ ଭର୍ତ୍ତୃହରି ମହତାବ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ, ପ୍ରଗତିବାଦୀର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସମାହିତ ବଳ ଓ ଖଦି ବୋର୍ଡ ଅଧ୍ୟକ୍ଷ ସଂଗ୍ରାମ କେଶରୀ ପାଇକରାୟ ବର୍ଷବ୍ୟାପୀ କାର୍ଯ୍ୟକ୍ରମର ଘୋଷଣା କରିଛନ୍ତି।

ଆସନ୍ତା ମଙ୍ଗଳବାର ଦିନ କଟକ ରେଳ ଷ୍ଟେସନରୁ କାଠଯୋଡ଼ି ବେଲଭ୍ୟୁ ପର୍ଯ୍ୟନ୍ତ ଏକ ବିଶାଳ ଶୋଭାଯାତ୍ରାର ଆୟୋଜନ କରାଯାଇଛି। ସେହିଦିନ ଅପରାହ୍ନରେ ସ୍ମାରକୀ ଡାକ ଟିକେଟ ଉନ୍ମୋଚନ କାର୍ଯ୍ୟକ୍ରମ ରହିଛି। ସ୍ବରାଜ ଆଶ୍ରମ ଠାରେ ଏହାର ଉନ୍ମୋଚନ କରାଯିବ ଏବଂ ନବ ନିର୍ମିତ ସ୍ବାଧୀନତା ସଂଗ୍ରାମୀ ଗୃହର ଉଦଘାଟନ ହେବ।

୨୫ ତାରିଖରେ ଭଦ୍ରକ ରେଳ ଷ୍ଟେସନରୁ ଗାନ୍ଧୀ ପଡ଼ିଆ ପର୍ଯ୍ୟନ୍ତ ସ୍ମାରକୀ ପଦଯାତ୍ରା କରାଯିବା ବେଳେ ମାର୍ଚ୍ଚ ୨୬ ତାରିଖରେ ସାକ୍ଷୀଗୋପାଳ ରେଳ ଷ୍ଟେସନରୁ ବକୁଳବନ ପର୍ଯ୍ୟନ୍ତ ପଦଯାତ୍ରା କରାଯିବ। ୨୭ ତାରିଖରେ ପୁରୀ ରେଳ ଷ୍ଟେସନରୁ ଶରଧାବାଲି ପର୍ଯ୍ୟନ୍ତ ପଦଯାତ୍ରା ହେବ ଏବଂ ମାର୍ଚ୍ଚ ୩୦ ତାରିଖରେ ବ୍ରହ୍ମପୁର ରେଳ ଷ୍ଟେସନରୁ ସିଟି ଷ୍ଟାଡିୟମ ଯାଏ ପଦଯାତ୍ରା କରାଯିବ।

ଗାନ୍ଧୀ ଶାନ୍ତି ସଦଭାବନା ଯାତ୍ରା ସହିତ ଗାନ୍ଧୀ ରଥ ପରିକ୍ରମା, ଗାନ୍ଧୀ କଥା ଓ ଗାନ୍ଧୀ ଚିନ୍ତନ ପ୍ରଦର୍ଶନୀ ତିନୋଟି ପର୍ଯ୍ୟ‌ାୟରେ ଏପ୍ରିଲ ୧୨ରୁ ମେ ୩୦ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଅନୁଷ୍ଠିତ ହେବ। ଅଗଷ୍ଟ ୯ ତାରିଖ କ୍ରାନ୍ତି ଦିବସରେ ଭୁବନେଶ୍ବରଠାରେ ୩ଦିନିଆ ଜାତୀୟ ଯୁବ ଶିବିରର ଆୟୋଜନ କରାଯିବ। ଗାନ୍ଧୀଜୀଙ୍କ ଓଡ଼ିଶା ଆଗମନର ସ୍ମାରକୀ ସ୍ବରୂପ ଭାରତୀୟ ରେଳବାଇ ପକ୍ଷରୁ ଗାନ୍ଧୀ ଯେଉଁ ଯେଉଁ ରେଳ ଷ୍ଟେସନରେ ପାଦ ଦେଇଥିଲେ ସେହିସବୁ ଷ୍ଟେସନକୁ ସୁସଜ୍ଜିତ କରିବାକୁ ନିଷ୍ପତ୍ତି ହୋଇଛି। କାର୍ଯ୍ୟକ୍ରମରେ ଦଳ ମତ ନିର୍ବିଶେଷରେ ସମସ୍ତେ ସାମିଲ ହେବାକୁ ରାଜ୍ୟ ସଂଯୋଜକ ଉପେନ୍ଦ୍ର ପାଢ଼ୀ ଓ ବିରୂପାକ୍ଷ ତ୍ରିପାଠୀ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର