ମନ‌ରେଗା: ଗଞ୍ଜାମ ଦେଶରେ ଟପର୍‌

ଛତ୍ରପୁର: ମନରେଗା ଯୋଜନାର ସଫଳ କାର୍ଯ୍ୟକାରିତା କ୍ଷେତ୍ରରେ ଗଞ୍ଜାମ ଜିଲ୍ଲା ରେକର୍ଡ଼ ସୃଷ୍ଟି କରିଛି। ବିଗତ ବର୍ଷ ଗୁଡ଼ିକରେ ଏହି ସଫଳତା ପାଇଁ ଗଞ୍ଜାମ ଜିଲ୍ଲା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ବାରା ପୁରସ୍କୃତ ହୋଇଆସିଛି। ପୁଣି ୨୦୨୧-୨୨ ଆର୍ଥିକ ବର୍ଷରେ ଗଞ୍ଜାମ ଜିଲ୍ଲା ମନରେଗା ଯୋଜନାର କାର୍ଯ୍ୟକାରିତା କ୍ଷେତ୍ରରେ ଶୀର୍ଷ ସ୍ଥାନରେ ରହିଥିବାବେଳେ ଶହେ ଦିନିଆ କାମ ଯୋଗାଇବାରେ ସମଗ୍ର ଦେଶରେ ଅନ୍ୟ ଜିଲ୍ଲମାନଙ୍କ ତାଲିକାରେ ପ୍ରଥମ ସ୍ଥାନ ଅଧିକାର କରିଛି। ସେହିପରି ଶ୍ରମ ଦିବସ ସୃଷ୍ଟି କରିବାରେ ଗଞ୍ଜାମ ଜିଲ୍ଲା ଦେଶର ଶ୍ରେଷ୍ଠ ଜିଲ୍ଲାମାନଙ୍କ ମଧ୍ୟରେ ଚତୁର୍ଥ ସ୍ଥାନରେ ରହିଛି।

ଗତବର୍ଷ ଏପ୍ରିଲ୍‌ରୁ ଆଜି ସୁଦ୍ଧା ୨ କୋଟି ୯୮ ଲକ୍ଷ ୯୮ ହଜାର ୮୦୨ ଶ୍ରମ ଦିବସ ସୃଷ୍ଟି ହୋଇପାରିଛି। ସେହିପରି, ୨୦୨୧-୨୨ ଆର୍ଥିକ ବର୍ଷରେ ମନରେଗା ଯୋଜନାରେ ୬୮ ହଜାର ୪୫ଟି ପ୍ରକଳ୍ପ ହାତକୁ ନିଆଯାଇଥିଲା। ସେଥିରୁ ୧୪ ହଜାର ୯୧୫ଟି ପ୍ରକଳ୍ପର କାମ ସଂପୂର୍ଣ୍ଣ ହୋଇଥିବାବେଳେ ବାକି ପ୍ରକଳ୍ପ କାମ ଚାଲୁ ରହିଛି। ମଜୁରି ଏବଂ ବିଭିନ୍ନ ପ୍ରକଳ୍ପ ନିର୍ମାଣ ସାମଗ୍ରୀ ବାବଦରେ ମୋଟ ୬୩୫ କୋଟି ୭୪ ହଜାର ଟଙ୍କା ଖର୍ଚ୍ଚ କରିବାରେ ଗଞ୍ଜାମ ଜିଲ୍ଲା ସଫଳ ହୋଇପାରିଛି। ୧ ଲକ୍ଷ ୨୯ ହଜାର ୧୮୩ ଜଣ ପରିବାରକୁ ଶହେ ଦିନିଆ କାମ ଯୋଗାଇ ଗଞ୍ଜାମ ଜିଲ୍ଲା ସାରାଦେଶରେ ପ୍ରଥମ ସ୍ଥାନରେ ରହିଛି। ସେହିପରି ୮୯୪ ଜଣ ଦିବ୍ୟାଙ୍ଗଙ୍କୁ ଏହି ଯୋଜନାରେ କାମ ଯୋଗାଇ ଦିଆଯାଇଥିଲା।

ସମ୍ବନ୍ଧିତ ଖବର