ପ୍ରଫେସର ଓ କର୍ମଚାରୀଙ୍କ ପାଇଁ ଏମ୍‌ଏଚ୍‌ଆର୍‌ଡିର ଗାଇଡ୍‌ଲାଇନ୍‌, ଘରେ ରହି କାମ କର

ଭୁବନେଶ୍ବର: ମାର୍ଚ୍ଚ ୩୧ ଯାଏ ଦେଶର ସମସ୍ତ ବିଶ୍ବବିଦ୍ୟାଳୟ ବନ୍ଦ ରହିଛି। ବିଭିନ୍ନ ପାଠ୍ୟକ୍ରମର ପରୀକ୍ଷା ସ୍ଥଗିତ ରହିବା ସହ ମୂଲ୍ୟାୟନ କାର୍ଯ୍ୟ ବି ବନ୍ଦ ରହିଛି। ଗତ ୧୮ ତାରିଖରେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତିରେ ଏଭଳି ନିଷ୍ପତ୍ତି ବିଷୟରେ ସୂଚନା ଦିଆଯାଇଥିଲା। ତେବେ ଏହି ସମୟରେ ଅଧ୍ୟାପକ, ଗବେଷକ, କର୍ମଚାରୀ କ’ଣ କରିବେ, କ’ଣ ନ କରିବେ ତାହାକୁ ନେଇ ମନ୍ତ୍ରଣାଳୟ ପକ୍ଷରୁ ଆଜି ପୁଣିଥରେ ଗାଇଡ୍‌ଲାଇନ୍‌ ଜାରି ହୋଇଛି।

ଏଥିରେ କୁହାଯାଇଛି ଯେ ଶିକ୍ଷାନୁଷ୍ଠାନର ପ୍ରଫେସର, ଅଧ୍ୟାପକ, ପ୍ରାଧ୍ୟାପକ, ଗବେଷକ ଓ କର୍ମଚାରୀଙ୍କ ସୁରକ୍ଷା ଦୃଷ୍ଟିରୁ ୩୧ ତାରିଖ ଯାଏ ଘରେ ରହି କାମ କରିବାକୁ ଅନୁମତି ଦିଆଯାଇଛି। ଏହି ସମୟରେ ସେମାନେ ବିଭିନ୍ନ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରିପାରିବେ। ଅନ୍‌ଲାଇନ୍‌ କଣ୍ଟେଣ୍ଟ ପ୍ରସ୍ତୁତ କରିବା, ଅନ୍‌ଲାଇନ୍‌ ଟିଚିଂ, ଅନ୍‌ଲାଇନ୍‌ ମୂଲ୍ୟାୟନ ଆଦି କରିବେ। ଏଥିସହ ଆସନ୍ତା ଶିକ୍ଷାବର୍ଷ ତଥା ସେମିଷ୍ଟାର ପାଠପଢ଼ା ପାଇଁ ଲେସନ୍‌ ପ୍ଲାନ୍‌ ପ୍ରସ୍ତୁ୍ତ କରିବେ, ଗବେଷଣା ଜାରି ରଖିବେ, ପେପର/ଆର୍ଟିକିଲ୍‌ ଆଦି ଲେଖିବା, ‘ପ୍ରଶ୍ନପତ୍ର ବ୍ୟାଙ୍କ’ ପାଇଁ ପ୍ରଶ୍ନପତ୍ର ପ୍ରସ୍ତୁତ, ‘ଏକ ଭାରତ ଶ୍ରେଷ୍ଠ ଭାରତ’ ଓ ଅନ୍ୟାନ୍ୟ ବିଷୟଗୁଡ଼ିକୁ ନେଇ ପ୍ରକଳ୍ପ ପ୍ରସ୍ତୁତ କରିପାରିବେ। ଘରେ ରହି ସେମାନେ ଯେଉଁ କାର୍ଯ୍ୟ କରିବେ ତାହାକୁ କାର୍ଯ୍ୟ ଦିବସ ଭାବେ ଗ୍ରହଣ କରାଯିବ। ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ କୁହାଯାଇଛି ଯେ ହଷ୍ଟେଲରେ ରହୁଥିବା ବିଦେଶୀ ଛାତ୍ରଛାତ୍ରୀ ପୂର୍ବଭଳି ସେଠାରେ ରହିବେ। ସେମାନଙ୍କୁ କୌଣସି ପ୍ରକାରେ ବାହାର କରାଯାଇପାରିବ ନାହିଁ। ତେବେ କରୋନା ଭୂତାଣୁ ସଂକ୍ରମଣ ରୋକିବା ଦିଗରେ ସମସ୍ତ ପ୍ରକାର ବିହିତ ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଛି। ଶିକ୍ଷକ, କର୍ମଚାରୀ, ଗବେଷକମାନେ ସେମାନଙ୍କ ମୋବାଇଲ୍‌ ନମ୍ବର, ଇମେଲ୍‌ ଆଇଡି ଆଦିକୁ ଶିକ୍ଷାନୁଷ୍ଠାନ ନିକଟରେ ଦାଖଲ କରିବେ। ଯେବେ କୌଣସି ଜରୁରୀ ପରିସ୍ଥିତି ସୃଷ୍ଟି ହେବ ସେତେବେଳେ ସେମାନଙ୍କୁ କାର୍ଯ୍ୟ ପାଇଁ ଡକାଯିବ। ଏହି ଗାଇଡ୍‌ଲାଇନ୍‌କୁ ‌ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଅଧୀନରେ ଥିବା ଶିକ୍ଷାନୁଷ୍ଠାନରେ ଲାଗୁ କରିବାକୁ ନିର୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର