ନିରାମିଷ ମଧ୍ୟାହ୍ନଭୋଜନରେ ଦିଆଯିବ ଅଣ୍ଡା,

ସପ୍ତାହକୁ ଦୁଇ ଦିନ ସିଝା ଅଣ୍ଡା, ଉପକୃତ ହେବେ ୫ ସହରର ଦୁଇ ଲକ୍ଷ ଛାତ୍ରଛାତ୍ରୀ

ଭୁବନେଶ୍ବର: ଅକ୍ଷୟପାତ୍ର ଫାଉଣ୍ଡେସନ୍‌ ପକ୍ଷରୁ ରାଜ୍ୟର ୫ଟି ସହରର ବିଦ୍ୟାଳୟକୁ ଯୋଗାଣ ହେଉଥିବା ନିରାମିଷ ମଧ୍ୟାହ୍ନ ଭୋଜନରେ ଏଣିକି ପିଲାଙ୍କୁ ଅଣ୍ଡା ମିଳିବ। ଛାତ୍ରଛାତ୍ରୀଙ୍କୁ ସପ୍ତାହକୁ ଦୁଇ ଦିନ ସିଝା ଅଣ୍ଡା ଖାଇବାକୁ ଦିଆଯିବାକୁ ନିଷ୍ପତ୍ତି ହୋଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଓ ଅକ୍ଷୟପାତ୍ର ଫାଉଣ୍ଡେସନ୍‌ ମଧ୍ୟରେ ଆଲୋଚନା ପରେ ଏଭଳି ନିଷ୍ପତ୍ତି ହୋଇଛି। ନୂଆବର୍ଷଠାରୁ ଲାଗୁ କରା‌ଯିବାର ସମ୍ଭାବନା ରହିଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଭୁବନେଶ୍ବର ସମେତ ପୁରୀ, କଟକ, ରାଉରକେଲା ଓ ନୟାଗଡ଼ ସହରର ସରକାରୀ ବିଦ୍ୟାଳୟଗୁଡ଼ିକୁ ଅକ୍ଷୟପାତ୍ର ଫାଉଣ୍ଡେସନ୍‌ ମଧ୍ୟାହ୍ନ ଭୋଜନରେ ନିରାମିଷ ଖାଦ୍ୟ ଯୋଗାଉଛି। ସେଣ୍ଟ୍ରାଲାଇଜଡ୍‌ କିଚେନ୍‌ ମାଧ୍ୟମରେ ଉକ୍ତ ୫ଟି ସହରର ପ୍ରାୟ ଦୁଇ ଲକ୍ଷ ଛାତ୍ରଛାତ୍ରୀଙ୍କୁ ଖାଦ୍ୟ ଯୋଗାଉଛି ଫାଉଣ୍ଡେସନ୍‌। କେତେଜଣ ଅଭିଭାବକ ଗଣଶିକ୍ଷା ବିଭାଗର ଦୃଷ୍ଟି ଆକର୍ଷଣ କରି ପିଲାଙ୍କୁ ଅଣ୍ଡା ଖାଇବାକୁ ଦେବା ପାଇଁ ନି‌ବେଦନ କରିଥିଲେ। ତାହାକୁ ଦୃଷ୍ଟିରେ ରଖି ଗଣଶିକ୍ଷା ବିଭାଗର ଅଧିକାରୀମାନେ ଅକ୍ଷୟପାତ୍ର ଫାଉଣ୍ଡେସନ୍‌ ସହ ଆଲୋଚନା କରି ଅଣ୍ଡା ଖାଇବାକୁ ଦେବା ପାଇଁ ପ୍ରସ୍ତାବ ‌ଦେଇଥିଲେ। ଫାଉଣ୍ଡେସନ୍‌ର କେନ୍ଦ୍ରୀୟ କମିଟି ପ୍ରସ୍ତାବରେ ମୋହର ମାରିଛି। ନିଷ୍ପତ୍ତି ଅନୁଯାୟୀ, ଫାଉଣ୍ଡେସନ୍‌ ବିଦ୍ୟାଳୟକୁ ମଧ୍ୟାହ୍ନ ଭୋଜନ ପଠାଇବା ସମୟରେ ଅଣ୍ଡା ଦେବ ନାହିଁ, ବିଦ୍ୟାଳୟରେ ଅଣ୍ଡା ସିଝାଇ ପିଲାଙ୍କୁ ଖାଇବାକୁ ଦିଆଯିବ। ଅଣ୍ଡା ବାବଦରେ ପିଲାଙ୍କ ପିଛା ଫାଉଣ୍ଡେସନ୍‌କୁ ଦିଆଯାଉଥିବା ଅର୍ଥରୁ ଟଙ୍କା କଟାଯିବ। ଆଉ ସେହି ଅର୍ଥରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ପ୍ରତି ସପ୍ତାହରେ ଦୁଇ ଦିନ ସିଝା ଅଣ୍ଡା ଦିଆଯିବ। ସ୍କୁଲ ପ୍ରଧାନ ଶିକ୍ଷକ ଓ ସ୍କୁଲ ପରିଚାଳନା କମିଟିଗୁଡ଼ିକ ସିସିଏଚ୍‌ ଓ ଏସ୍‌ଏଚ୍‌ଜି ମାଧ୍ୟମରେ ଅଣ୍ଡା ସିଝାଇ ମଧ୍ୟାହ୍ନଭୋଜନରେ ପିଲାଙ୍କୁ ଖାଇବାକୁ ଦେବେ। ଫାଉଣ୍ଡେସନ୍‌ ପକ୍ଷରୁ କୁହାଯାଇଛି, ଯେଉଁ ଖାଦ୍ୟ ଦିଆଯାଉଛି, ସେଥିରେ ପ୍ରୋଟିନ୍‌ ଓ ନ୍ୟୁଟ୍ରିସନ୍‌ ରହୁଛି। ଅଣ୍ଡା ଦେବା ପାଇଁ କେତେଜଣ ଅଭିଭାବକ ପ୍ରସ୍ତାବ ରଖିବା ପରେ ଦୁଇ ମାସ ହେଲା ଏନେଇ ଆଲୋଚନା ଚାଲିଥିଲା। ଏବେ ଯେଉଁ ଖାଦ୍ୟ ଦିଆଯାଉଛି, ସେଥିରୁ କିଛି କଟିବ ନାହିଁ। ପୂର୍ବଭଳି ସମାନ ଖାଦ୍ୟ ଦେବୁ।

ସମ୍ବନ୍ଧିତ ଖବର