ଫେରାଇଦେଲେ ୪୦ ଗାଡ଼ି ଧାନ

ମଣ୍ଡିରେ ମିଲର୍ସ ମାଲିକ

ସମ୍ବଲପୁର : ମଣ୍ଡିରେ ମିଲର୍ସ ମାଲିକ। କିଛି ଦିନ ତଳେ ‘ସମ୍ବାଦ’ରେ ଏହି ଶିରୋନାମାରେ ଖବର ପ୍ରକାଶ ପାଇଥିଲା। ସରକାରୀ ବ୍ୟବସ୍ଥାରେ ଚାଷୀଙ୍କଠାରୁ ଧାନ କିଣାରେ ମିଲରମାନଙ୍କର କୌଣସି ଭୂମିକା ନଥିଲେ ମଧ୍ୟ କିପରି ମିଲର୍ସମାନେ ଆଧିପତ୍ୟ ଜାହିର କରୁଛନ୍ତି ଓ ନିଜ ମର୍ଜି ହିସାବରେ ଧାନ କିଣା ପ୍ରକ୍ରିୟାକୁ ନିୟନ୍ତ୍ରଣ କରୁଛନ୍ତି ସେ ସଂପର୍କରେ ତଥ୍ୟଗତ ରିପୋର୍ଟ ପ୍ରକାଶ ପାଇଥିଲା। ଆଜି ପୁଣିଥରେ ତାହା ପ୍ରତ୍ୟକ୍ଷରେ ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲା ଚାଉଁରପୁର ମଣ୍ଡିରେ। ଗ୍ରେଡ଼ିଂ ଆଳରେ ଆଜି ଏଠାରେ ଚାଷୀଙ୍କୁ ହିନସ୍ତା କରାଯାଇଛି। ଏମିତିକି ୪୦ ଗାଡ଼ି ଧାନକୁ ଅନ୍‌ଲୋଡ୍ ନ କରି ଫେରାଇ ଦିଆଯାଇଛି। ମିଲର୍ସମାନେ ଏହି ଧାନ ରଖିବାକୁ ସିଧାସଳଖ ମନା କରି ଦେଇଥିବା ବେଳେ ସେମାନଙ୍କ ଜିଦ୍ ଆଗରେ ଯୋଗାଣ ବିଭାଗ ବି ଅସହାୟତା ପ୍ରକାଶ କରିଛି।

ସମ୍ବଲପୁର ଜିଲ୍ଲା ଧନକଉଡ଼ା ବ୍ଲକ ଚାଉଁରପୁରଠାରେ ଆଜି ଏହି ଘଟଣା ଦେଖିବାକୁ ମିଳିଛି। ପ୍ରଶାସନିକ ନିର୍ଦେଶ ଅନୁସାରେ ଆଜି ସକା‌େଳ ମୁଣ୍ଡୋଘାଟ ସ୍ଥିତ ଗଣେଶ ରାଇସ ମିଲ ଏବଂ ଚନ୍ଦ୍ରମା ରାଇସ ମିଲ୍‌କୁ ଆଜି ୪୨ ଗାଡ଼ି ଧାନ ପହଞ୍ଚିଥିଲା। ଗ୍ରେଡିଂ ନ କରି ଧାନ ରଖିବେନି ବୋଲି ମିଲର୍ସ କହିଥିଲେ। ଏହାକୁ ଚାଷୀମାନେ ବିରୋଧ କରିଥିଲେ।
ଏ ନେଇ ଉଭୟ ଚାଷୀ ଏବଂ ମିଲମାଲିକଙ୍କ ମଧ୍ୟରେ ପୂର୍ବାହ୍ନ ୧୧ଟାରୁ୧.୩୦ ମଧ୍ୟରେ ଆଲୋଚନା ହୋଇ କୌଣସି ଫଳ ବାହାରିନଥିଲା।

ଏହି ସମୟ ମଧ୍ୟରେ ମିଲର୍ସ ସଙ୍ଗଠନର ଅଧିକାଂଶ କର୍ମକର୍ତ୍ତା ବି ସେଠାରେ ପହଞ୍ଚି ଯାଇଥିଲେ। ଚାଷୀ-ମିଲର୍ସ ବିବାଦର ସମାଧାନ ପାଇଁ ଅପରାହ୍ଣ ୩ଟାରେ ଯୋଗାଣ ବିଭାଗର ଦୁଇ ଜଣ ଅଧିକାରୀ ଆସିଥିଲେ। ମାତ୍ର ଉଭୟ ମିଲ ମାଲିକଙ୍କ ସମ୍ମୁଖରେ ସେମାନେ ଅସହାୟ ହୋଇ ପଡ଼ିଥିଲେ। ଏହାର ଫାଇଦା ଉଠାଇ ମିଲମାଲିକ ଗୋଟିଏ ପରେ ଗୋଟିଏ ଗାଡି ଧାନରେ ତ୍ରୁଟି ଦେଖାଇ ବାହାରେ ରଖିଥିଲେ। ୪୨ଗାଡ଼ିରୁ ୪୦ ଗାଡ଼ି ଧାନ ମିଲ ବାହାରେ ରଖି ଦିଆଯାଇ ଥିଲା।

ରାତି ହୋଇ ଯିବା ଯୋଗୁଁ ରାଇସ ମିଲ ଭିତରେ ଧାନ ଗାଡ଼ି ରଖିବା ପାଇଁ ମିଲ୍‌ମାଲିକଙ୍କୁ ଅନୁରୋଧ କରାଯାଇଥିଲେ ମଧ୍ୟ ମିଲର୍ସମାନେ ଶୁଣିନଥିବା କୁହାଯାଉଛି।

ସମ୍ବନ୍ଧିତ ଖବର