ଖଣି ନିଲାମ ଅକ୍ଟୋବରକୁ ଘୁଞ୍ଚିଲା, ୮ ନୂଆଖଣିକୁ ନେଇ ଆଶା ଓ ଆଶଙ୍କାରେ ଅଂଚଳବାସୀ

ଅନୁଗୁଳ : ପ୍ରଦୂଷଣର ବିଷବଳୟ ମଧ୍ୟରେ ଜୀବନ ଅତିବାହିତ କରୁଥିବା ଅନୁଗୁଳ ଜିଲ୍ଲାବାସୀ ଏବେ ନୂଆ ୮ଟି କୋଇଲା ଖଣିକୁ ନେଇ ଆଶା ଓ ଆଶଙ୍କା ମଧ୍ୟରେ ରହିଛନ୍ତି। ଗତ ଅଗଷ୍ଟ ୧୮ରେ ଖଣି ନିଲାମ ହେବାକୁ ଥିବାବେଳେ ଏବେ ଏହାର ଆବେଦନ ସେପ୍ଟେମ୍ବର ୨୯କୁ ଘୁଞ୍ଚାଇ ଦିଆଯାଇଛି। ଅକ୍ଟୋବର-ନଭେମ୍ବର ସୁ୍ଦ୍ଧା ନିଲାମ ପ୍ରକ୍ରିୟା ଶେ‌ଷ କରିବାକୁ ସରକାର ସ୍ଥିର କରିଥିବା ବେଳେ ନୂଆ ନୀତି ଯୋଗୁଁ ଅଂଚଳବାସୀ ବିଶେଷ ଉପକୃତ ହେବେ ନାହିଁ ବୋଲି କୁହାଯାଉଛି।

ଓଡ଼ିଶାର ଶିଳ୍ପାଂଚଳ ଭାବେ ପରିଗଣିତ ଅନୁଗୁଳ ଜିଲ୍ଲାରେ ଗଢ଼ି ଉଠଛି ଅନେକ ଖଣିଖାଦାନ ଓ ଶିଳ୍ପାନୁଷ୍ଠାନ। ପ୍ରାଚୁର୍ଯ୍ୟର ବାହକ ସାଜିଥିବା କୋଇଲା ଖଣି, ଥର୍ମାଲ ପାୱାର ପ୍ଲାଣ୍ଟ, ଆଲୁମିନିୟମ ସ୍ମେଲଟର୍ ପ୍ଲାଣ୍ଟ ସହିତ ବିଭିନ୍ନ ପ୍ରକାର ଛୋଟବଡ଼ କାରଖାନା ଯୋଗୁଁ ଅନୁଗୁଳ ଜିଲ୍ଲାରେ ପ୍ରଦୂଷଣ ସୀମା ଲଙ୍ଘିଛି। ଜିଲ୍ଲାର ତାଳଚେର ଅଂଚଳରେ ୭ଟି କୋଇଲା ଖଣି ଏବଂ କଣିହାଁରେ ଗୋଟିଏ ଖୋଲାମୁହଁ କୋଇଲା ଖଣି ପରିଚାଳିତ ହେଉଛି। ତେବେ କେନ୍ଦ୍ର ସରକାର ଏବେ ଦେଶର ୪୧ଟି କୋଇଲା ଖଣି ନିଲାମ କରିବାକୁ ଯାଉଛନ୍ତି।

ଏଥିରେ ଓଡ଼ିଶାର ୯ଟି ଖଣି ରହିଛି। ଆଉ ଏହି ୯ଟି ଖଣି ମଧ୍ୟରୁ ୮ଟି କେବଳ ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଅଂଚଳରେ ରହିଛି। ଛେଣ୍ଡିପଦା-୧, ଛେଣ୍ଡିପଦା-୨, ମାଛକଟା, ମହାନଦୀ, ରାଧିକାପୁର(ପୂର୍ବ), ରାଧିକାପୁର(ପଶ୍ଚିମ), ବ୍ରାହ୍ମଣବିଲ-କରଡ଼ାବାହାଲ ଓ ଫୁଲଝରି(ପୂର୍ବ ଓ ପଶ୍ଚିମ) ଖଣି ଥିବା ଛେଣ୍ଡିପଦା ବ୍ଲକ ଅଂଚଳ କୋଇଲା ଖଣିଥିବା ପଡ଼ୋଶୀ ଦୁଇ ବ୍ଲକ୍‌ ତାଳଚେର ଓ କଣିହାଁ ଅଂଚଳକୁ ଲାଗିଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଅଗଷ୍ଟ ୨୦୨୦ ମାସରେ ଖଣି ନିଲାମ ପ୍ରକ୍ରିୟା ସାରିବାକୁ ଆଗରୁ ଚୂଡ଼ାନ୍ତ ହୋଇଥିବାବେଳେ ଏବେ ସେପ୍ଟେମ୍ବର ୨୯ ସୁଦ୍ଧା ‌ନିଲାମ ପାଇଁ ଆବେଦନ(ବୈଷୟିକ ଆବେଦନ) ଦାଖଲ କରିବାକୁ କେନ୍ଦ୍ର ସରକାର ସ୍ଥିର କରିଛନ୍ତି। ଯାଂଚ ପ୍ରକ୍ରିୟା ଶେଷ ହେବାପରେ ୧୯ ଅକ୍ଟୋବରରୁ ୯ ନଭେମ୍ବର ମଧ୍ୟରେ ଇ-ନିଲାମ ପାଇଁ ସମୟ ଧାର୍ଯ୍ୟ ହୋଇଛି। ତେବେ ଏହି ନୂଆ ଖଣିକୁ ନେଇ ଅଂଚଳବାସୀଙ୍କ ମଧ୍ୟରେ ଅନେକ ଆଶା ଓ ଆଶଙ୍କା ରହିଛି। ତେବେ ନୂଆଖଣି କାର୍ଯ୍ୟକ୍ଷମ ହେଲେ ବି ଅଂଚଳବାସୀ ଏଥିରେ ଲାଭାନ୍ବିତ ହେ‌ବେ ନାହିଁ ବୋଲି କୁହାଯାଉଛି।

ରାଜ୍ୟ ମହିଳା କଂଗ୍ରେସର ପୂର୍ବତନ ସଭାନେତ୍ରୀ ଇଂ.ସସ୍ମିତା ବେହେରା କହିଛନ୍ତି ଯେ, ନୂଆ ଖଣିଗୁଡ଼ିକ କାର୍ଯ୍ୟକ୍ଷମ ହେଲେ ପର୍ଯ୍ୟାବରଣ ବିପର୍ଯ୍ୟସ୍ତ ହେବା ସହିତ ପ୍ରଦୂଷଣ ବଢ଼ିବ। ଜୀବନଜୀବିକା ମଧ୍ୟ ବେଶ୍ ପ୍ରଭାବିତ ହେବ। ‌

ଅନୁଗୁଳ ସିଟିଜେନ୍ ଆକ୍ସନ ଫୋରମ୍‌ର ସାଧାରଣ ସଂପାଦକ ବିଜୟ ମିଶ୍ର କହିଛନ୍ତି, ସରକାର ନିଜେ ଖଣି ଅଂଚଳର ଜମି ଅଧିଗ୍ରହଣକରି କଂପାନିଗୁଡ଼ିକୁ ଯୋଗାଇ ଦେବେ। ଏହାଦ୍ବାରା ଲୋକମାନଙ୍କ ହାତରେ ସେମାନଙ୍କ ଜମି ବାବଦ ଅଧିକ ଅର୍ଥ, କ୍ଷତିପୂରଣ ରାଶି ଆଦି ପାଇଁ କଂପାନି ସହିତ ମୂଲଚାଲ କରିପାରିବେ ନାହିଁ। କଂପାନିମାନେ ଅତ୍ୟାଧୁନିକ ଉପାୟରେ କୋଇଲା ଉତ୍ତୋଳନ ‌ହେବାକୁ ଯାଉଥିବାରୁ ଅଧିକ ନିଯୁକ୍ତି ସୁଯୋଗ ବି ସୃଷ୍ଟି ହେବ ନାହିଁ।

ସମ୍ବନ୍ଧିତ ଖବର