ମାତିଲେଣି ମାଫିଆ

ଆଖିରେ ଆଙ୍ଗୁଠି ଗେଞ୍ଜି ଲଘୁ ଖଣିଜ ସଂପଦ ଲୁଟୁଛନ୍ତି

ଆର୍‌ଟିଓଙ୍କୁ ମାରିଦେଲେ, ପୂର୍ବରୁ ଏକାଧିକ ଅଫିସରଙ୍କୁ ଆକ୍ରମଣ କରିଛନ୍ତି
ନେତା-ପୁଲିସ-ପ୍ରଶାସନ ମଧୁଚନ୍ଦ୍ରିକାରେ ଚାଲିଛି କାରବାର

ଭୁବନେଶ୍ୱର : ୧୬ ନମ୍ବର ଜାତୀୟ ରାଜପଥର ଶୁଳିଆରେ ଗତକାଲି ଯାଜପୁର ଆର୍‌ଟିଓ ଦାୟିତ୍ୱରେ ଥିବା ଏମ୍‌ଭିଆଇ ମନୋଜ ବେହେରାଙ୍କୁ ଏକ ଚିପ୍ସ ବୋଝେଇ ଟ୍ରକ୍‌ ଦଳିଦେବା ଘଟଣା ସମଗ୍ର ରାଜ୍ୟରେ ଆଲୋଡ଼଼ନ ସୃଷ୍ଟି କରିଛି। ଯଦିଓ ସ୍ଥାନୀୟ ପୁଲିସର ତଦନ୍ତରେ ବିଶେଷ ସକ୍ରିୟତା ନାହିଁ, ତଥାପି ଜାତୀୟ ରାଜପଥରେ ଲଘୁ ଖଣିଜ ସମ୍ପଦ ଚୋରା କାରବାର ତନଖି କରୁଥିବା ବେଳେ ଏଭଳି ଘଟଣା ଘଟିଥିବାରୁ ଶ୍ରୀ ବେହେରାଙ୍କୁ ଟ୍ରକ୍‌ ମଡ଼ାଇ ହତ୍ୟା କରାଯାଇଥିବା ନେଇ ସନ୍ଦେହ କ୍ରମଶଃ ଦୃଢୀଭୂତ ହେଲାଣି। ପାରିପାର୍ଶ୍ୱିକ ସ୍ଥିତି, ଟ୍ରକ୍‌ ଡ୍ରାଇଭର ଫେରାର ହୋଇଯିବା, ଟ୍ରକ୍‌ ମାଲିକ ଧରାଛୁଆଁ ନ ଦେବା ଘଟଣା ସବୁ ମହଲକୁ ଯେତିକି ଆଚମ୍ବିତ କରୁଛି, ପରିବହନ ହେଉଥିବା ଲଘୁ ଖଣିଜ ଦ୍ରବ୍ୟ ସଂପର୍କିତ ତଥ୍ୟ ମାମଲାର ଗମ୍ଭୀରତାକୁ ବଢାଇ ଦେଇଛି।

ଚାଞ୍ଚଲ୍ୟକର ତଥ୍ୟ ହେଉଛି, ଗା଼ଡି ଓଜନକୁ ଛାଡି ଗୋଟିଏ ଗୋଟିଏ ଗାଡିରେ ୧୬ଟନ୍‌ ପର୍ଯ୍ୟନ୍ତ ମାଲ ପରିବହନ ହେବା କଥା। ମାତ୍ର ଦୁର୍ଘଟଣା ସହିତ ସଂପର୍କିତ ଉଭୟ ଗାଡିରେ ଏହାର ଦୁଇଗୁଣ ମାଲ ପରିବହନ କରାଯାଉଥିଲା। କେବଳ ସେତିକି ନୁହେଁ, ଶ୍ରୀ ବେହେରା ପୂର୍ବରୁ ଏକ ଟ୍ରକରୁ ଲକ୍ଷାଧିକ ଟଙ୍କାର ଜରିମାନା ଆଦାୟ କରିଥିବାରୁ ତାଙ୍କୁ ‘ମୃତ୍ୟୁଦଣ୍ଡ’ ମିଳିଥାଇପାରେ ବୋଲି ଚର୍ଚ୍ଚା ଜୋର ଧରିଲାଣି। ପୁଲିସ ଏହାର ସତ୍ୟାସତ୍ୟ ଅନୁଧ୍ୟାନ କଲେ ଏ ଚର୍ଚ୍ଚାର ପଛରେ କିଛି ବାସ୍ତବତା ଅଛି କି ନାହିଁ, ତାହା ସାମ୍ନାକୁ ଆସିବ।

ମାତ୍ର ଅତ୍ୟନ୍ତ ସମ୍ବେଦନଶୀଳ ଏହି ଘଟଣାକୁ ଜିଲ୍ଲା ପ୍ରଶାସନ, ପୁଲିସ ଅଥବା ରାଜ୍ୟ ସରକାର ଯେଭଳି ଗୁରୁତ୍ୱ ଦେବା କଥା ଏଯାଏ ଦେଇନାହାନ୍ତି। କାରଣ ରାଜ୍ୟରେ ଲଘୁ ଖଣିଜ ସଂପଦ କେଳେଙ୍କାରୀ ସହିତ ସଂଶ୍ଳିଷ୍ଟ ମାଫିଆ ସବୁ ବର୍ଗକୁ ଏମିତି ଭାବେ ଆବୋରି ନେଇଛନ୍ତି ଯେ ଦିନ ଦିପହରରେ ଖୋଲାମେଲା ଲୁଟ୍‌ ଚାଲିଛି, ଅଥଚ ମନ୍ତ୍ରୀ, ପ୍ରଶାସନ, ପୁଲିସ କାହା ଆଖିକୁ କିଛି ଦିଶୁନାହିଁ। ଏଣୁ ଘଟଣାକୁ ରଫା ଦଫା କରି ଦିଆଯିବାର ସମ୍ଭାବନାକୁ ଏଡ଼ାଇ ଦେଇ ହେବ ନାହିଁ।

କେବଳ ଯେ ଯାଜପୁର ଜିଲ୍ଲାରେ ମାଫିଆମାନେ ସକ୍ରିୟ ଅଛନ୍ତି ତା ନୁହେଁ, ଗତ କିଛି ଦିନର ତଥ୍ୟକୁ ଏକାଠି କଲେ ଏକଥା ଜଳ ଜଳ ହୋଇ ଦିଶୁଛି ଯେ ରାଜ୍ୟରେ ଲଘୁ ଖଣିଜ ଦ୍ରବ୍ୟ କାରବାର କରୁଥିବା କିଛି ମାଫିଆ ଅବିଭକ୍ତ ପୁରୀ, କଟକ ଆଦି ଜିଲ୍ଲାରେ ଅତ୍ୟନ୍ତ ସକ୍ରିୟ ହୋଇ ଉଠିଛନ୍ତି। ପ୍ରଶାସନ, ପୁଲିସ ଓ ସ୍ଥାନୀୟ ନେତାଙ୍କୁ ହାତବାରିସି କରିବା ସହିତ ବେଆଇନ ଭାବେ ପ୍ରତିଦିନ ରାଜ୍ୟରେ କୋଟି କୋଟି ଟଙ୍କାର ଲଘୁ ଖଣିଜ ଦ୍ରବ୍ୟ ପରିବହନ ଚାଲିଛି। ଶାସକ ଦଳ ନେତାଙ୍କ ଛତ୍ରଛାୟା ତଳେ ଏସବୁ ଚାଲିଥିବା ପରିପ୍ରେକ୍ଷୀରେ ସମୁଦାୟ ବ୍ୟବସ୍ଥା ଏଠି ଆଣ୍ଠେଇ ଯାଇଛି। ଏଠାରେ ସୂଚନାଯୋଗ୍ୟ, ପାଖାପାଖି ୧୩ଶହ ସୈରାତ୍‌ ଥିବା ବେଳେ ମାତ୍ର ୯୬ଟିକୁ ଅନୁମତି ମିଳିଥିବା କୁହାଯାଉଛି। ବାକି ସୈରାତ୍‌ କିଭଳି ଚାଲିଛି, ତାହା ବେଶ୍‌ ଅନୁମେୟ। ସେହିଭଳି ଶହ ଶହ କ୍ରସର୍‌ ବେଆଇନ ଭାବେ ଚାଲିଛି, ଅଧିକାରୀମାନେ ସେହି ବାଟ ଦେଇ ଯାଆସ କରୁଛନ୍ତି। କିନ୍ତୁ ସମସ୍ତେ ହାତ ବାନ୍ଧି ବସିଛନ୍ତି।  

କେବଳ ଯାଜପୁର ନୁହେଁ, ଖୋର୍ଧା ଜିଲ୍ଲାକୁ ଉଦାହରଣ ଭାବେ ନେଲେ, ଘଟଣାର ଗମ୍ଭୀରତା ଯେ କେହି ଅନୁମାନ କରିପାରିବେ। ଶ୍ରୀଜଗନ୍ନାଥଙ୍କ କ୍ୱାରିରୁ ବେଆଇନ ଭାବେ ପ୍ରତିଦିନ ଟ୍ରକ୍‌ ଟ୍ରକ୍‌ ଲଘୁ ଖଣିଜ ଦ୍ରବ୍ୟ ଅର୍ଥାତ୍‌ ମାଙ୍କଡ଼ା ପଥର, ମୋରମ୍‌ ଖୋଳାଯାଇଛି, ପରିବହନ ବି ହେଉଛି। ଥରୁଟିଏ ନୁହେଁ, ଏକାଧିକ ଥର ପ୍ରଶାସନିକ ଅଧିକାରୀଙ୍କୁ ଏଠି ମାଡ଼ ମାରିଲେଣି। ୨୦୧୬ ଡିସେମ୍ବର ୧୦ ତାରିଖରେ ଟାଙ୍ଗୀ ଅତିରିକ୍ତ ତହସିଲଦାର ପ୍ରଦୀପ ସାହୁଙ୍କୁ ମାଡ଼ ମାରି ମାଫିଆମାନେ ସ୍ଥାନୀୟ ଯାଜପୁର ଠାରେ ଜବତ ଗାଡ଼ି ଛଡାଇ ନେଇଥିଲେ। ଦୁଇ ମାସ ତଳେ ଖୋର୍ଧାରେ ତହସିଲଦାର ଓ କର୍ମଚାରୀଙ୍କୁ ଅନୁରୂପ ଦଶା ଭୋଗିବାକୁ ପଡିଥିଲା। ମାଫିଆ ତାଙ୍କୁ ବନ୍ଧୁକ ଦେଖାଇ ୩ଟି ଗା଼ଡି ଛଡ଼ାଇ ନେଇଥିଲେ। ଜଟଣୀର ପୂର୍ବତନ ତହସିଲଦାର ବିଜୟ ସ୍ୱାଇଁଙ୍କୁ ମଧ୍ୟ ଆକ୍ରମଣ ହୋଇଥିଲା ଓ ମାଫିଆମାନେ ତାଙ୍କ ମୁଣ୍ଡ ଫଟାଇ ଦେଇଥିଲେ। ଚିିଲିକା ଅଞ୍ଚଳରେ ବି ପ୍ରଶାସନିକ ଅଧିକାରୀଙ୍କୁ ମାଡ଼ ମାରିଥିଲେ ମାଫିଆ।

ଗୋଟିଏ ପଟେ ପାହାଡ଼ ନିଲାମ ଦିଆଯାଉନାହିଁ। ଅନ୍ୟପଟରେ ବେଆଇନ ଭାବେ ଖୋଳିବା ଲାଗି ସରକାର ପ୍ରଶୟ ଦେଉଛନ୍ତି। ରାତିରେ ବେଧଡ଼କ ଭାବେ ମାଫିଆମାନେ ପାହାଡ଼ ଖନନ କରି ବେଆଇନ କାରବାର ଚଳାଇଛନ୍ତି। ପ୍ରତିବର୍ଷ ଶହ ଶହ କୋଟି ଟଙ୍କାର ଲଘୁ ଖଣିଜ ଦ୍ରବ୍ୟ କେଳେଙ୍କାରୀ ହେଉଥିଲେ ହେଁ, ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ରାଜସ୍ୱ ମନ୍ତ୍ରୀ, ରାଜସ୍ୱ ପ୍ରଶାସନ, ଜିଲ୍ଲା ପ୍ରଶାସନ, ପୁଲିସ ସମସ୍ତେ ନିରବଦ୍ରଷ୍ଟା ସାଜିଛନ୍ତି। କାହା ସ୍ୱାର୍ଥ ସୁରକ୍ଷା କରିବାକୁ ଯାଇ ସରକାରଙ୍କ ସ୍ୱଚ୍ଛତାର ହାତ ଏମାନଙ୍କ ନିକଟରେ ପହଞ୍ଚିପାରୁନାହିଁ, ତାହା ଏବେ ସମସ୍ତଙ୍କୁ ବିସ୍ମିତ କରିଛି।

ସମ୍ବନ୍ଧିତ ଖବର