ମିନି ଫାର୍ମାସି ଉଦ୍‌ଘାଟିତ : ରାଜ୍ୟ ଔଷଧ ପରୀକ୍ଷଣ ପ୍ରୟୋଗଶାଳାର ଶିଳାନ୍ୟାସ

ଭୁବନେଶ୍ବର : ଡା.ଅଭିନ ଚନ୍ଦ୍ର ହୋମିଓପ୍ୟାଥି ମେଡିକାଲ କଲେଜ ଏଣ୍ତ ହସ୍ପିଟାଲ ପରିସରରେ ଏକ ମିନି ଫାର୍ମାସି ଉଦ୍‌ଘାଟିତ ହୋଇଛି। ସ୍ବାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ଏହାର ଉଦ୍‌ଘାଟନ କରିବା ସହିତ ରାଜ୍ୟ ଔଷଧ ପରୀକ୍ଷଣ ପ୍ରୟୋଗଶାଳାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।

ଏହି ଅବସରରେ ଗଣମାଧୢମକୁ ସୂଚନା ଦେଇ ଶ୍ରୀ ଜେନା କହିଛନ୍ତି, ୩ କୋଟି ୧୦ଲକ୍ଷ ଟଙ୍କା ବ୍ୟୟରେ ପ୍ରତିଷ୍ଠା ହୋଇଥିବା ମିନି ଫାର୍ମାସି ସରକାରୀ ସ୍ତରରେ ଦେଶର ଦ୍ବିତୀୟ ହୋମିଓପ୍ୟାଥି ଫାର୍ମାସି। ହୋମିଓପ୍ୟାଥିକ ଔଷଧ ପ୍ରସ୍ତୁତି କ୍ଷେତ୍ରରେ ଏହା ରାଜ୍ୟର ପ୍ରଥମ ସରକାରୀ ଉଦ୍ୟୋଗ। ଏଠାରେ ପ୍ରାୟ ୨ଶହ ଔଷଧ ପ୍ରସ୍ତୁତି ହୋଇପାରିବ। ଏବେ ଉପଲବ୍ଧ ଥିବା ବ୍ୟବସ୍ଥା ଅନୁସାରେ ରାଜ୍ୟର ୫୫୦ ସରକାରୀ ହୋମିଓପ୍ୟାଥିକ ଚିକିତ୍ସାଳୟ ଓ ୪ଟି ହସ୍ପିଟାଲକୁ ଔଷଧ ଯୋଗଇଦିଆଯାଉଛି। ଏହାର ଦକ୍ଷତା ବୃଦ୍ଧି କରାଯାଇ ରାଜ୍ୟର ଆବଶ୍ୟକତା ପୂରଣ ସହିତ ଅନ୍ୟ ରାଜ୍ୟକୁ ମଧୢ ଔଷଧ ଯୋଗାଇବା ସମ୍ଭବ ହେବ।

ସେହିପରି ୧କୋଟି ୨୬ଲକ୍ଷ ଟଙ୍କା ବ୍ୟୟରେ ପ୍ରତିଷ୍ଠା ହେବାକୁ ଯାଉଥିବା ଔଷଧ ପ୍ରୟୋଗଶାଳା ଦେଶର ଦ୍ବିତୀୟ ଓ ରାଜ୍ୟମାନଙ୍କ ମଧୢରେ ପ୍ରଥମ ପ୍ରୟୋଗଶାଳା। ଏହା କାର୍ଯ୍ୟକାରୀ ହେଲେ ଓଡ଼ିଶା ସମେତ ଅନ୍ୟ ରାଜ୍ୟରେ ପ୍ରସ୍ତୁତ ହୋଇଥିବା ହୋମିଓପ୍ୟାଥିକ ଔଷଧର ମାନ ଓ ଗୁଣବତ୍ତା ଏଠାରେ ପରୀକ୍ଷା ହୋଇପାରିବ। ରାଜ୍ୟର ଆୟୁଷ ଚିକିତ୍ସାର ବିକାଶ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛ ବୋଲି ଶ୍ରୀ ଜେନା କହିଛନ୍ତି। ଉଦ୍‌ଘାଟନୀ ଉତ୍ସବରେ ସା˚ସଦ ପ୍ରସନ୍ନ ପାଟ୍ଟଶାଣୀ, ବିଧାୟକ ବିଜୟ କୁମାର ମହାନ୍ତି, ରାଜ୍ୟ ଆୟୁଷ ନିର୍ଦେଶକ ଅଶ୍ବିନୀ କୁମାର ମିଶ୍ର, କଲେଜର ଅଧୢକ୍ଷ ଡା. ସୁଧୀର କୁମାର ଦାଶଙ୍କ ସମେତ କଲେଜର ଅନ୍ୟାନ୍ୟ ପଦାଧିକାରୀ ଉପସ୍ଥିତ ଥିଲେ।

ଉଲ୍ଲେଖ ଯେ, ଡା.ଅଭିନ ଚନ୍ଦ୍ର ହୋମିଓପ୍ୟାଥିକ ମେଡିକାଲ କଲେଜ ଏଣ୍ତ ହସ୍ପିଟାଲରେ ଦୀର୍ଘଦିନରୁ ମିନି ଫାର୍ମାସି ନିର୍ମାଣ ଶେଷ ହୋଇଥିଲେ ହେଁ ବିଭିନ୍ନ ସମସ୍ୟା ପାଇଁ ଏହା ଉଦ୍‌ଘାଟିତ ହୋଇପାରୁ ନ ଥିଲା। ବିଦ୍ୟୁତ ସ˚ଯୋଗଠାରୁ ଆରମ୍ଭ କରି କର୍ମଚାରୀଙ୍କ ନିଯୁକ୍ତିକୁ ନେଇ ସମସ୍ୟା ଦେଖା ଦେଇଥିଲା।

ସମ୍ବନ୍ଧିତ ଖବର