ନାବାଳିକାଙ୍କୁ ‌କନେଷ୍ଟବଳଙ୍କ ଅସଦାଚରଣ : ନିଲମ୍ବନ ପରେ ଗିରଫ ହେଲେ

ନିଶା ଖାଇ ଡ୍ୟୁଟି କଲେ ହାବିଲଦାର

ପୁରୀ : ସେବାୟତଙ୍କ ଅସହଯୋଗ କାରଣରୁ ଗତକାଲି ଶ୍ରୀମନ୍ଦିରରେ ମହାପ୍ରଭୁ ୧୪ ଘଣ୍ଟା କାଳ ଅପୂଜା, ଅଖିଆ ରହିଲେ। ଶ୍ରୀମନ୍ଦିର ଇତିହାସରେ ଏକ କଳଙ୍କିତ ଅଧ୍ୟାୟ ସୃଷ୍ଟି ହେଲା। ଆଜି ପୁଣି ଏକ କଳଙ୍କ ବଡ଼ଦେଉଳରେ ଯୋଡ଼ି ହୋଇଛି। ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥିବା ଜଣେ ନାବାଳିକାକୁ ପୁଲିସ୍ କନେଷ୍ଟବଳ ଅସଦାଚରଣ କରିଛନ୍ତି। ପୁଲିସ୍‌ର କାରନାମା ଏତିକିରେ ସରିନି। ଜଣେ ହାବିଲଦାର ନିଶା ଖାଇ ମନ୍ଦିର ଭିତରେ ଡ୍ୟୁଟି କରିବା ଘଟଣା ପଦାକୁ ଆସିଛି। ଏହି ଦୁଇଟି ଘଟଣା ଭକ୍ତଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି।

ପୁରୀ ଏସ୍‌ପି ଉଭୟଙ୍କୁ ଆଜି ନିଲମ୍ବନ କରିଛନ୍ତି। ଅସଦାଚରଣ ଘଟଣାଟି ଅତ୍ୟନ୍ତ ସମ୍ବେଦନଶୀଳ ହୋଇଥିବାରୁ ପୁଲିସ୍ କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ନିଲମ୍ବନ ହେବାର କିଛି ଘଣ୍ଟା ପରେ ଅସଦାଚରଣ କରିଥିବା କନେଷ୍ଟବଳ ଚୁକେଶ ମେହେର ପୋକ୍‌ସୋ ଆଇନ୍‌‌େର ଗିରଫ ହୋଇଛନ୍ତି ବୋଲି ଏସ୍‌ପି ଡାକ୍ତର ସାର୍ଥକ ଷଡ଼ଙ୍ଗୀ ରାତିରେ ସୂଚନା ଦେଇଛନ୍ତି।

ଶନିବାର ପୂର୍ବାହ୍ନରେ ଯାଜପୁରରୋଡ୍‌ ଅଞ୍ଚଳର ଏକ ପରିବାର ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ଆସିଥିଲେ। ବାହାର କାଠ ନିକଟରେ ସେମାନେ ଦର୍ଶନ ପାଇଁ ଯିବା ବେଳେ ସେଠାରେ ଡ୍ୟୁଟି କରୁଥିବା କନେଷ୍ଟବଳ ଚୁକେଶ ମେହେର ଭିଡ଼ ଭିତରେ ଉକ୍ତ ନାବାଳିକାଙ୍କୁ ଠେଲି ଦେବା ସହ ଅସଦାଚରଣ କରିଥିଲେ। ତେବେ ନାବାଳିକା ଜଣକ କନଷ୍ଟେବଳଙ୍କ ମନ୍ଦ ଉଦ୍ଦେଶ୍ୟ ଜାଣି ପାରି ତାଙ୍କୁ ସେଠାରେ ଏକ ଶକ୍ତ ଚାପୁଡ଼ା ମାରିଥିଲେ। ଘଟଣାସ୍ଥଳରେ ନାବାଳିକା ଜଣକ କାନ୍ଦିଥିଲେ। ଏ ନେଇ ପରିବାର ଲୋକ ସିଂହଦ୍ବାର ଥାନାରେ ଏତଲା ଦେଇଥିଲେ। ଘଟଣାଟି ସମ୍ବେଦନଶୀଳ ହୋଇଥିବାରୁ ପୁଲିସ ତୁରନ୍ତ ମାମଲା ରୁଜୁ କରିବା ସହିତ ସିସିଟିଭି ଫୁଟେଜ୍ ଯାଞ୍ଚ କରିଥିଲା। ପରେ ନାବାଳିକା ଜଣକ ଅଭିଯୁକ୍ତ କନେଷ୍ଟବଳଙ୍କୁ ଚିହ୍ନଟ କରିଥିଲେ। ଡେପୁଟି କମାଣ୍ଡାଣ୍ଟ ଲିଙ୍ଗରାଜ ମିଶ୍ର ଓ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ କୌଶିକ ନାୟକଙ୍କ ରିପୋର୍ଟ ଆଧାରରେ ଅଭିଯୁକ୍ତ କନେଷ୍ଟବଳଙ୍କୁ ଏସ୍‌ପି କାର୍ଯ୍ୟରୁ ନିଲମ୍ବିତ କରିଥିଲେ। ଓଏସ୍‌ଏପି ନବମ ବାଟାଲିୟନ୍‌ର କନେଷ୍ଟବଳ ଶ୍ରୀ ମେହେର ନୂଆ ବର୍ଷ ଡ୍ୟୁଟି ପାଇଁ ପୁରୀ ଆସିଥିଲେ। ତାଙ୍କ ଘର କଳାହାଣ୍ଡିରେ।

ସେହିପରି ନୂଆବର୍ଷ ଡ୍ୟୁଟି ପାଇଁ ପୁରୀ ଆସିଥିବା ନବମ ବାଟାଲିୟନର ହାବିଲଦାର ସୁବଣ୍ଣ କିଶାନ୍‌ ଗତକା‌ଲି ଅପରାହ୍ନରେ ନିଶାରେ ଚୁର୍‌ ହୋଇ ଶ୍ରୀମନ୍ଦିର ଭିତରକୁ ଯାଇଥି‌‌‌ଲେ। ତାଙ୍କ କଥାବାର୍ତ୍ତା ଏବଂ ହାବଭାବରୁ ‌ସେ ନିଶା ଦ୍ରବ୍ୟ ସେବନ କରିଥିବା ନେଇ ଲୋକଙ୍କର ସନ୍ଦେହ ଉପୁଜିବା ପରେ କିଛି ଭକ୍ତ ବରିଷ୍ଠ ପୁଲିସ ପଦାଧିକାରୀଙ୍କୁ ଘଟଣା ସଂପର୍କରେ ଜଣାଇଥିଲେ। ମୌଖିକ ତଦନ୍ତକୁ ଆଧାର କରି ଆଜି ସଂପୃକ୍ତ ହାବିଲଦାରଙ୍କୁ ଏସ୍‌ପି ନିଲମ୍ବନ କରିଛନ୍ତି।

ସମ୍ବନ୍ଧିତ ଖବର