କୋଣାର୍କ : ବୋମା ଫୁଟି ନାବାଳକ ଗୁରୁତର

ପୁରୀ/କୋଣାର୍କ : କୋଣାର୍କରେ ଆଜି ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି। ରାସ୍ତା କଡ଼ରେ ପଡ଼ିଥିବା ଏକ ବୋମା ଭର୍ତ୍ତି ବ୍ୟାଗରୁ ବୋମା ଫୁଟି ଜଣେ ୧୪ ବର୍ଷର ନାବାଳକ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଆଜି ସନ୍ଧ୍ୟା ୭ଟା ବେଳେ କୋଣାର୍କ ନିକଟସ୍ଥ ବନାଖଣ୍ଡି ଛକରୁ ବାହାରଣା ଗ୍ରାମକୁ ଲମ୍ବିଥିବା ରାସ୍ତା ପାର୍ଶ୍ବରେ ଥିବା କେନାଲ ନିକଟରେ ଗହିର ବିଲ ରହିଛି। ସନ୍ଧ୍ୟାରେ ବାହାରଣା ଗ୍ରାମର ସୁବାସ ପଣ୍ଡାଙ୍କ ପୁଅ ଜୟଦେବ (୧୪) ଏହି ରାସ୍ତା ଦେଇ ଘରକୁ ଯାଉଥିବା ବେଳେ ରାସ୍ତା କଡ଼ କେନାଲ ନିକଟରେ ପଡିଥିବା ଏକ ବ୍ୟାଗଟିକୁ ଦେଖିବାକୁ ପାଇଥିଲେ। ସେ ଉତ୍ସୁକ ହୋଇ ବ୍ୟାଗଟିକୁ ଆଣି ଏଥିରେ କ’ଣ ରହିଛି, ତାହା ଦେଖିବାକୁ ଉଦ୍ୟମ କରୁଥିବା ବେଳେ ହଠାତ ବ୍ୟାଗ୍‌ରେ ଥିବା ଏକ ବୋମା ବିସ୍ଫୋରିତ ହୋଇଥିଲା।

ବୋମା ଶବ୍ଦ ଶୁଣି ଆଖପାଖରେ ଥିବା ଲୋକମାନେ ଘଟଣା ସ୍ଥଳରେ ରୁଣ୍ଡ ହୋଇଯାଇଥିଲେ। ଆହତ ନାବାଳକଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଏହି ଲୋକମାନେ କୋଣାର୍କ ମେଡିକାଲ ନେଇଥିଲେ। ଜୟଦେବଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ପୁରୀ ମେଡିକାଲ ପରେ ଭୁବ‌ନେଶ୍ବର ଏମ୍‌ସକୁ ସ୍ଥାନାନ୍ତର କରାଯାଇଛି। ବୋମା ବିସ୍ପୋରଣରେ ତାଙ୍କ ଦୁଇ ହାତ ଓ ଗୋଡ଼ ଏବଂ ମୁହଁରେ ଗଭୀର କ୍ଷତ ସୃଷ୍ଟି ହୋଇଛି।

ଖବର ‌ପ‌ାଇ କୋଣାର୍କ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପ୍ରାଥମିକ ତଦନ୍ତରୁ ଏହା ଜର୍ଦା ଡ଼ବାରେ ପ୍ରସ୍ତୁତ ହାତ ତିଆରି ବୋମା ବୋଲି ସୂଚନା ମିଳିଛି। ତେବେ ଏ ବୋମା କେଉଁଠୁ ଆସିଲା, ଗହିର ବିଲ‌ରେ କିଏ ପକାଇଲା ତାକୁ ନେଇ ପୁଲିସ ତଦନ୍ତ କରୁଛି। ଗତ ସପ୍ତାହରେ କୋଣାର୍କରେ ଓଟିଭି ସାମ୍ବାଦିକ ସଂଜୟ ପତିଙ୍କ ଘରକୁ ଅନୁରୂପ ଭାବେ ହାତ ତିଆରି ବୋମାମାଡ଼ ହୋଇଥିଲା। ତେବେ ଏହି ବୋମା ସେହି ଘଟଣା ସହିତ ସଂପର୍କ ଥିବା ସନ୍ଦେହ କରାଯାଉଛି। ଉକ୍ତ ଘଟଣାରେ ପୁଲିସ ୫ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଆଜିର ଘଟଣା ପୁଲିସକୁ ତଦନ୍ତରେ ଅଧିକ ସହାୟକ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର