ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହରେ ନୂଆ ରେକର୍ଡ : ୧୩,୩୦୦ ମେଟ୍ରିନ୍ ଟନ୍ ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ

ଭୁବନେଶ୍ବର : ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ ଅନ୍ତର୍ଗତ ଓଡ଼ିଶା ଆଦିବାସୀ ସମବାୟ ଉନ୍ନୟନ ନିଗମ ଲିମିଟେଡ୍‌(ଟିଡିସିସିଓଏଲ୍‌) ନୋଡାଲ୍‌ ଏଜେନ୍ସି ଭାବେ ଲଘୁ ବନଜାତ ଦ୍ରବ୍ୟକୁ ସର୍ବନିମ୍ନ ସହାୟକ ମୂଲ୍ୟରେ ସଂଗ୍ରହ କରୁଛି। ଚଳିତ ବର୍ଷ ଏ ପର୍ଯ୍ୟନ୍ତ ଏହି ସଂସ୍ଥା ୧୩ ହଜାର ୩୦୦ ମେଟ୍ରିକ୍ ଟନ୍‌ ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ କରିଛି। ଏହାର ମୂଲ୍ୟ ୨୮ କୋଟି ୧୦ ଲକ୍ଷ ଟଙ୍କା, ଯାହା କି ଗତ ୬ ବର୍ଷର ସମୁଦାୟ ମୂଲ୍ୟ ଠାରୁ ଅଧିକ। ଗତ ୬ ବର୍ଷରେ ଲଘୁ ବନଜାତ ଦ୍ରବ୍ୟର ସଂଗ୍ରହ ମୂଲ୍ୟ ୪ କୋଟି ୯ ଲକ୍ଷ ଟଙ୍କା ହୋଇଥିଲା।

Down To Earth

ରାଜ୍ୟରେ ଟିଡିସିସିଓଏଲ୍‌ ଦ୍ବାରା ଲଘୁ ବନଜାତ ଦ୍ରବ୍ୟ ସ୍କିମ୍ କାର୍ଯ୍ୟକାରୀ ହେଉଛି। ପ୍ରାଥମିକ ସଂଗ୍ରହକାରୀ ନେଟ୍‌ୱର୍କ ଭାବେ ସ୍ବୟଂ ସହାୟକ ଗୋଷ୍ଠୀ, ବନ ସୁରକ୍ଷା ସମିତି, ବନ୍ଧନ ବିକାଶ କେନ୍ଦ୍ର ମିଳିତ ଭାବେ ଲଘୁ ବନଜାତ ଯୋଜନାକୁ ତ୍ବରାନ୍ବିତ କରୁଛନ୍ତି। ରାଜ୍ୟରେ ମୁଖ୍ୟତଃ ୧୩ଟି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ଶାଳ ମଞ୍ଜି, ତେନ୍ତୁଳି ମଞ୍ଜି, ପାହାଡ଼ି ଝାଡ଼ୁ ଇତ୍ୟାଦି ପ୍ରଚୁର ପରିମାଣରେ ଉପଲବ୍ଧ ହେଉଛି। ତେଣୁ ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ କାର୍ଯ୍ୟ ତ୍ବରାନ୍ବିତ ହୋଇଛି। ଟିଡିସିସିଓଏଲ୍‌ ପକ୍ଷରୁ ୩୭୦ଟି ସଂଗ୍ରହ କେନ୍ଦ୍ର ଜରିଆରେ ଗ୍ରାମାଞ୍ଚଳରେ ବନଜାତ ଦ୍ରବ୍ୟ ସଂଗ୍ରହ କରୁଥିବା ସଂଗ୍ରହକାରୀଙ୍କ ଠାରୁ ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ କରାଯାଇଛି। ଏହା ଦ୍ବାରା ୩୨ ହଜାରରୁ ଅଧିକ ପ୍ରାଥମିକ ଆଦିବାସୀ ସଂଗ୍ରହକାରୀ ଉପକୃତ ହୋଇଛନ୍ତି। ମଧ୍ୟସ୍ଥିଙ୍କ ଜରିଆରେ ବେଆଇନ ବିକ୍ରୟ ଓ ଶୋଷଣକୁ ନିୟନ୍ତ୍ରଣ କରିବା ନିମନ୍ତେ ପ୍ରାଥମିକ ଆଦିବାସୀ ସଂଗ୍ରହକାରୀଙ୍କ ବ୍ୟାଙ୍କ ଆକାଉଣ୍ଟ୍‌କୁ ସିଧାସଳଖ ଅର୍ଥ ପଠାଇବା ପାଇଁ ନି‌େର୍ଦ୍ଦଶ ରହିଛି। ଟିଡିସିସିଓଏଲ୍‌ ପକ୍ଷରୁ ସମଗ୍ର ଲଘୁ ବନଜାତ ସଂଗ୍ରହ ପ୍ରକ୍ରିୟାକୁ ସ୍ବୟଂଚାଳିତ କରାଯାଇଛି। ଆଗାମୀ ଶସ୍ୟ ସଂଗ୍ରହ ଋତୁରେ ଏହି ପ୍ରକ୍ରିୟାକୁ ଧାନ ସଂଗ୍ରହ ସ୍ବୟଂକ୍ରିୟ ବ୍ୟବସ୍ଥା ଓ ସ୍ବୟଂ ଚାଳିତ ଶସ୍ୟ କ୍ରୟ ବ୍ୟବସ୍ଥା ପରି ସ୍ବୟଂଚାଳିତ କରାଯିବା ପାଇଁ ପଦକ୍ଷେପ ନିଆଯାଇଛି ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର