ହତ୍ୟା ନା ଆତ୍ମହତ୍ୟା!! : ଦୁଇ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ

ନିଖୋଜ ଥିଲେ, ଝାଡ଼ଖଣ୍ଡରୁ ମୃତଦେହ ଉଦ୍ଧାର

କଳାବାଡ଼ିଆ : ମୟୂରଭଞ୍ଜ ଜିଲ୍ଲାରେ ୨ ଯୁବତୀଙ୍କ ମୃତ୍ୟୁକୁ ନେଇ ଆଜି ବିଭିନ୍ନ କଥା ଶୁଣିବାକୁ ମିଳୁଛି। ଏହି ଭଉଣୀ ୩ ଦିନ ତଳେ କେଉଁଆଡ଼େ ନିଖୋଜ ହୋଇଯାଇଥିଲେ। ଆଜି ଝାଡ଼ଖଣ୍ଡର ଏକ କୋଠରୀରୁ ଦୁହିଁଙ୍କ ମୃତଦେହ ମିଳିଥିଲା। ତେବେ, ଏହି ଦୁଇ ଜଣ ଆତ୍ମହତ୍ୟା କରିଛନ୍ତି, ଯଦି କରିଛନ୍ତି ଏହା ପଛରେ କାରଣ କ’ଣ? ନା’ ଦୁହିଁଙ୍କୁ ହତ୍ୟା କରାଯାଇଛି- ଏହିଭଳି ପ୍ରଶ୍ନରେ ଛନ୍ଦି ହୋଇଛନ୍ତି ଲୋକେ।

ଏହି ଦୁଇଜଣ ହେଲେ, ଜିଲ୍ଲାର ବାଙ୍ଗିରିପୋଷି ଥାନା ନିଶ୍ଚିନ୍ତା ପଞ୍ଚାୟତ ବଡ଼ପଥରଖମ(କଟୁଶୋଳ) ଗ୍ରାମର ଜୟନ୍ତ ନାଏକଙ୍କ ଏକମାତ୍ର ଝିଅ ରଶ୍ମିତା ଓ ସମ୍ପର୍କୀୟ ଭଉଣୀ ଗୁଡ଼ିଆ ପାତ୍ର। ଗୁଡିଆ ବାଙ୍ଗିରିପୋଷିସ୍ଥିତ ଲକ୍ଷୀକାନ୍ତ କଲେଜରେ +୨ ପ୍ରଥମ ବର୍ଷରେ ପଢ଼ୁଥିବା ରଶ୍ମିତାଙ୍କ ସହିତ ଦୀର୍ଘଦିନ ହେବ ଭଉଣୀ ସ˚ପର୍କ ରଖି ଘରକୁ ଯିବା ଆସିବା କରୁଥିଲେ। ତେବେ ଉଭୟ ହଠାତ୍‌ ଗତ ମଙ୍ଗଳବାର ଦିନ ଫେରାର ହୋଇ ଯାଇଥିଲେ। ‌ତେବେ, ଝାଡ଼ଖଣ୍ତ ରାଜ୍ୟର ଟାଟା ନିକଟସ୍ଥ ଲାଲଡୁଙ୍ଗୁରୀ ୮ ନ˚ ରୋଡ୍‌ କୋଲନି ସାହିରେ ଏକ ଘରୁ ଝୁଲନ୍ତା ଅବସ୍ଥାରେ ଆଜି ଉଭୟଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଟାଟା ପୁଲିସ୍‌ ମୃତକଙ୍କ ପରିବାର ଲୋକଙ୍କୁ ଖବର ଦେବାପରେ ବାପା ଜୟନ୍ତ ଓ ଗ୍ରାମବାସୀ ଗାଁକୁ ମୃତଦେହ ଧରି ଫେରିଛନ୍ତି। ଏହି ଘଟଣାକୁ ନେଇ ସମ୍ପୃକ୍ତ ଅଞ୍ଚଳରେ ଚର୍ଚ୍ଚା ଜୋର୍‌ ଧରିଛି।

ସମ୍ବନ୍ଧିତ ଖବର