୫ ଜିଲ୍ଲାରେ ଆରମ୍ଭ ହେବ ମିସନ ଇନ୍ଦ୍ରଧନୁଷ-୨

ଭୁବନେଶ୍ବର: ରାଜ୍ୟର ୫ଟି ଜିଲ୍ଲାରେ ଆରମ୍ଭ ହେବ ସାର୍ବଜନୀନ ଟୀକାକରଣ କାର୍ଯ୍ୟକ୍ରମ ‘ମିସନ ଇନ୍ଦ୍ରଧନୁଷ-୨’। ଗଜପତି, କନ୍ଧମାଳ, କୋରାପୁଟ, ମାଲକାନଗିରି ଓ ରାୟଗଡ଼ାରେ ମିସନ ଇନ୍ଦ୍ରଧନୁଷ ଯୋଜନାରେ ଦ୍ବିତୀୟ ପର୍ଯ୍ୟାୟ ଟୀକାକରଣ ଲାଗି ସମସ୍ତ ପ୍ରସ୍ତୁତି କରିବାକୁ ଜାତୀୟ ସ୍ବାସ୍ଥ୍ୟ ମିସନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି। ଏହିସବୁ ଜିଲ୍ଲାର ସମସ୍ତ ଗ୍ରାମ, ପଡ଼ା ଓ ବସ୍ତିଗୁଡ଼ିକରେ ଥିବା ପିଲା ଓ ଗର୍ଭବତୀ ମହିଳାଙ୍କୁ ଚିହ୍ନଟ କରିବା ସହିତ ପୂର୍ବଥର ଟୀକାକରଣରୁ ବାଦ ପଡ଼ିଥିବା ସମସ୍ତଙ୍କୁ ଏଥିଲେ ସାମିଲ କରିବାକୁ ସେ କହିଛନ୍ତି।

ଏହି ଟୀକାକରଣ ଅଭିଯାନରେ ଛୋଟ ପିଲା ଓ ଗର୍ଭବତୀ ମହିଳାଙ୍କୁ ଯେଭଳି ଟୀକାଦାନ କରାଯିବ ତାହା ଉପରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିସନର ତଥା ଶାସନ ସଚିବ ଡାକ୍ତର ପ୍ରମୋଦ କୁମାର ମେହେର୍ଦ୍ଦା ଗୁରୁତ୍ବ ଦେଇଥିଲେ। ଟୀକାକରଣ ସଂକ୍ରାନ୍ତରେ ନିୟମିତ ସମୀକ୍ଷା କରିବା ଏବଂ ଏହାର ସଫଳତା ପାଇଁ ବିଭିନ୍ନ ବିଭାଗ ସହିତ ସମନ୍ବୟ ରକ୍ଷା ସହିତ ସେମାନଙ୍କୁ ଏଥିରେ ସାମିଲ କରିବାକୁ ଜିଲ୍ଲାପାଳମାନଙ୍କୁ ସ୍ବାସ୍ଥ୍ୟ ସଚିବ ନିର୍ଦ୍ଦେଶ ଦେଇଥିଲେ। ଆସନ୍ତା ଡିସେମ୍ବର ୨ ତାରିଖରୁ ଏହିସବୁ ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟ ଟୀକାକରଣ ଆରମ୍ଭ ହେବାକୁ ଥିବାବେଳେ ୨୦୨୦ ଜାନୁଆରି ୬ ତାରିଖରେ ଦ୍ବିତୀୟ, ଫେବ୍ରୁଆରି ୩ରେ ତୃତୀୟ ଓ ମାର୍ଚ୍ଚ ୨ ତାରିଖରେ ଚତୁର୍ଥ ପର୍ଯ୍ୟାୟ ଟୀକାକରଣ କରିବାକୁ ଦିନ ଧାର୍ଯ୍ୟ କରାଯାଇଛି। ଟୀକାଦାନ ପାଇଁ ହିତାଧିକାରୀଙ୍କୁ ଚିହ୍ନଟ କରିବା ସହିତ ସମସ୍ତେ ଯେପରି ଟୀକାକରଣରେ ସାମିଲ ହେବେ ସେଥିପାଇଁ ସ୍ବାସ୍ଥ୍ୟକର୍ମୀମାନେ ତୃଣମୂଳ ସ୍ତରରେ ଉଦ୍ୟମ କରିବା ଉପରେ ସ୍ବାସ୍ଥ୍ୟ ମିସନ ନିର୍ଦ୍ଦେଶିକା ସର୍ବାଧିକ ଗୁରୁତ୍ବ ଆରୋପ କରିଛନ୍ତି। ୨ ବର୍ଷରୁ କମ ବୟସର ଶିଶୁ ଓ ଗର୍ଭବତୀ ମହିଳାଙ୍କ ସମେତ ଜିଲ୍ଲାରେ ଥିବା ସମସ୍ତ ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକୁ ମିସନ ଇନ୍ଦ୍ରଧନୁଷ-୨ରେ ସାମିଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିପାଇଁ ସ୍ବାସ୍ଥ୍ୟ ମିସନ ପକ୍ଷରୁ ଏକ ରୋଡ଼ ମ୍ୟାପ୍ ପ୍ରସ୍ତୁତ କରାଯାଇଛି। ଆସନ୍ତାମାସ ୧୫ ତାରିଖ ସୁଦ୍ଧା ମିସନ ଇନ୍ଦ୍ରଧନୁଷ ପୋର୍ଟାଲରେ ଏହାକୁ ଅପଲୋଡ୍‌ କରାଯିବ।

ରାଜ୍ୟ ସରକାରଙ୍କ ଟୀକାକରଣ କାର୍ଯ୍ୟକ୍ରମ ସଫଳତାକୁ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ପ୍ରଶଂସା କରାଯିବା ସହିତ ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲାରେ ୯୦% ଟୀକାକରଣ ପାଇଁ ଆସନ୍ତା ୩୧ ତାରିଖରେ ଏହି ଦୁଇ ଜିଲ୍ଲାକୁ ଜାତୀୟ ସ୍ତରରେ ପୁରସ୍କୃତ କରାଯିବ। ପଲସ ପୋଲିଓ କାର୍ଯ୍ୟକ୍ରମର ରୋପ୍ୟ ଜୟନ୍ତୀ ପାଳନ ଅବସରରେ ନୂଆଦିଲ୍ଲୀଠାରେ ଏହି ପୁରସ୍କାର ପ୍ରଦାନ କରାଯିବ।

ସମ୍ବନ୍ଧିତ ଖବର