୧୬ ଜୁଲାଇରୁ ୧୦ ଜିଲ୍ଲାରେ ମିସନ୍‌ ଇନ୍ଦ୍ରଧନୁଷ

ଭୁବନେଶ୍ୱର : ଆସନ୍ତା ଜୁଲାଇ ୧୬ତାରିଖରୁ ୧୦ଜିଲ୍ଲାରେ ମିସନ୍‌ ଇନ୍ଦ୍ରଧନୁଷ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି। ନିତି ଆୟୋଗ ପକ୍ଷରୁ ଦେଶର ୧୧୫ଟି ଜିଲ୍ଲାକୁ ମହତ୍ତ୍ୱାକାଂକ୍ଷୀ ଜିଲ୍ଲା ଭାବେ ଚିହ୍ନଟ କରାଯାଇଥିବା ବେଳେ ଓଡ଼ିଶାର ୧୦ଟି ଜିଲ୍ଲାକୁ ଏଥିରେ ସାମିଲ କରାଯାଇଛି। ମିସନ୍‌ ଇନ୍ଦ୍ରଧନୁଷ ସହିତ କେନ୍ଦ୍ର ସରକାରଙ୍କ ଅନ୍ୟ ୭ଟି ଯୋଜନାକୁ ଶତ ପ୍ରତିଶତ ସଫଳ କରିବା ପାଇଁ ଏଥିରେ ଲକ୍ଷ୍ୟ ରଖାଯାଇଛି।

୧୦ଟି ଜିଲ୍ଲା ମଧ୍ୟରେ ବଲାଙ୍ଗୀର, ଢେଙ୍କାନାଳ, ଗଜପତି, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ମାଲକାନାଗିରି, ରାୟଗଡ଼ା, ନୂଆପଡ଼ା ଓ ନବରଙ୍ଗପୁର ଜିଲ୍ଲା ରହିଛି। ଏହିସବୁ ଜିଲ୍ଲାଗୁଡ଼ିକରେ ମିସନ୍‌ ଇନ୍ଦ୍ରଧନୁଷ ଜରିଆରେ ଟିକାକରଣ କରାଯିବ। ଗ୍ରାମ ସ୍ୱରାଜ ଅଭିଯାନ ଅଧୀନରେ ମିସନ୍‌ ଇନ୍ଦ୍ରଧନୁଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଉଛି। ଦୁଇ ବର୍ଷ ପୂର୍ବରୁ ଏହା କେବଳ ମିସନ୍‌ ଇନ୍ଦ୍ରଧନୁଷ ପରେ ଇଣ୍ଟେନ୍‌ସିଫାଏଡ ମିସନ୍‌ ଇନ୍ଦ୍ରଧନୁଷ ଓ ଗତବର୍ଷ ସ୍ୱତନ୍ତ୍ର ମିସନ୍‌ ଇନ୍ଦ୍ରଧନୁଷ ଭାବେ ଟିକାକରଣ ଅନୁଷ୍ଠିତ ହୋଇଥିଲା।

ଏହି ୧୦ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟ ଟିକାକରଣ ୧୬ ଜୁଲାଇରୁ ଅନୁଷ୍ଠିତ ହେବ। ଦ୍ୱିତୀୟ ପର୍ଯ୍ୟାୟ ୧୩ ଅଗଷ୍ଟ ଓ ଶେଷ ପର୍ଯ୍ୟାୟ ୧୦ ସେପ୍ଟେମ୍ବର ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି। ଏଥିପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଭାଗୀୟ ଅଧିକାରୀଙ୍କୁ ବିଭିନ୍ନ ଜିଲ୍ଲାର ନୋଡାଲ ଅଧିକାରୀଭାବେ ଦାୟିତ୍ୱ ଦିଆଯାଇଛି। ଏହି ଅଧିକାରୀମାନେ ଟିକାକରଣ ପୂର୍ବରୁ ସ୍ଥାନୀୟ ଜିଲ୍ଲାଗୁଡ଼ିକ ଗସ୍ତ କରିବା ସହିତ ତୃଣମୂଳସ୍ତରରେ ଏଥିପାଇଁ ହୋଇଥିବା ପ୍ରସ୍ତୁତିର ତଦାରଖ କରିବେ।

ସମ୍ବନ୍ଧିତ ଖବର