କୋଟିଏ ମା’ଙ୍କ ଆନ୍ଦୋଳନ ହେବାକୁ ଯାଉଛି ମିସନ ଶକ୍ତି

ଯେଉଁ ଦେଶରେ ମା’ ଆଗୁଆ ସେ ଦେଶ ଉନ୍ନତ, କାର୍ଯ୍ୟକ୍ଷମ ହେଲା ‘ମିସନ ଶକ୍ତି’ ବିଭାଗ

ଭୁବନେଶ୍ବର : ୨୦୦୧ ମାର୍ଚ୍ଚ ୮ ତାରିଖରେ ଲାଗିଥିବା ଗୋଟିଏ ଚାରା ଆଜି ଏକ ବିରାଟ ଗଛରେ ପରିଣତ ହୋଇଛି। ୮୦ ଲକ୍ଷ ମା’ମାନଙ୍କ ପାଇଁ ଆଶାର ବୃକ୍ଷ ହୋଇଯାଇଛି। ଏହି ଗଛର ପ୍ରତିଟି ପତ୍ରରେ ରହିଛି ଗୋଟିଏ ଗୋଟିଏ ସଫଳ କାହାଣୀ। ସେହି କାହାଣୀ ହେଉଛି ଆମର ମିସନ ଶକ୍ତି।

ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ ରାଜ୍ୟ ସ୍ତରୀୟ ବିଶ୍ବ ମହିଳା ଦିବସ ପାଳନ ଅବସରରେ ଏହା କହିଛନ୍ତି। ମୁଖ୍ୟମନ୍ତ୍ରୀ ଆହୁରି କହିଲେ, ମିସନ ଶକ୍ତିର ଏ ସଫଳତା ଅଧିକରୁ ଅଧିକ ମା’ ମାନଙ୍କୁ ପ୍ରେରଣା ଦେବ ଏବଂ ମିସନ ଶକ୍ତି ଖୁବଶୀଘ୍ର ଏକ କୋଟି ମହିଳାଙ୍କର ଏକ ବିରାଟ ଆନ୍ଦୋଳନରେ ପରିଣତ ହେବ। ଓଡିଶାର ଘରେ ଘରେ ସଶକ୍ତ ଓଡିଶାର ବାର୍ତ୍ତା ଦେବ। ମିସନ ଶକ୍ତି ସ୍ବତନ୍ତ୍ର ବିଭାଗ ନିଷ୍ପତ୍ତି ବିଷୟ ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଏହାକୁ ମା’ମାନେ ଖୁବ ସ୍ବାଗତ କରିଛନ୍ତି। ମିସନ ଶକ୍ତି ଆଜି ଏକ ବଡ ସାମାଜିକ ଓ ଅର୍ଥନୈତିକ ଆନ୍ଦୋଳନରେ ପରିଣତ ହୋଇଛି। ଗାଁ ଅର୍ଥନୀତିକୁ ଚଳ ଚଞ୍ଚଳ କରିପାରିଛି। ମିସନ ଶକ୍ତି କେବଳ ଦେଶରେ ନୁହେଁ, ସାରା ବିଶ୍ବରେ ସବୁଠାରୁ ବଡ ଆନ୍ଦୋଳନରେ ପରିଣତ ହେବ ବୋଲି ଶ୍ରୀ ପଟ୍ଟନାୟକ ଆଶା ପ୍ରକାଶ କରିଥିଲେ। ଏହି ଅବସରରେ କୋଭିଡ୍ ସମୟରେ ମିସନ ଶକ୍ତିର ମା’ ମାନଙ୍କ ଠାରୁ ଆରମ୍ଭ କରି ଅଙ୍ଗନବାଡି, ଆଶା କର୍ମୀ, ସ୍ୱାସ୍ଥ୍ୟ କର୍ମୀ ଆଦି ସବୁ ମା’ ମାନେ ସବୁଠାରୁ ବେଶି ଦାୟିତ୍ବର ସହ କାମ କରିଛନ୍ତି। ପରିବାରକୁ ସଚେତନ ମଧ୍ୟ କରିଛନ୍ତି। ସେଥିପାଇଁସେମାନେ ଧନ୍ୟବାଦର ପାତ୍ର। ଯେଉଁ ଦେଶରେ ମାମାନେ ଯେତେ ଆଗୁଆ ସେ ଦେଶ ସେତେ ଉନ୍ନତ। ଏଣୁ ମା’ ମାନଙ୍କ ସମୃଦ୍ଧି ଓ ଅଧିକାର ପାଇଁ ତାଙ୍କର ଉଦ୍ୟମ ଜାରି ରହିବ ବୋଲି ସେ କହିଥିଲେ।

ଏହି କାର୍ଯ୍ୟକ୍ରମରେ ଲୋକସେବା ଭବନରେ ଉପସ୍ଥିତ ଥିବା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନୀ ସାହୁ କହିଥିଲେ, ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଯୋଗୁଁ ଆଜି ଓଡିଶା ମହିଳା ବିକାଶ କ୍ଷେତ୍ରରେ ନୂଆ ଇତିହାସ ସୃଷ୍ଟି କରିପାରିଛି। ମିସନ ଶକ୍ତି ମା’ ମାନଙ୍କୁ ନୂଆ ପରିଚୟ ଦେଇଛି।

କାର୍ଯ୍ୟକ୍ରମ ପ୍ରାରମ୍ଭରେ ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରମୁଖ ସଚିବ ଅନୁ ଗର୍ଗ ସ୍ବାଗତ ଭାଷଣ ଦେଇ କହିଥିଲେ ରାଜ୍ୟ ସରକାର ମହିଳାମାନଙ୍କୁ ହିତାଧିକାରୀ ନୁହେଁ, ବରଂ ବିକାଶର ସହ ଭାଗୀଦାର ବୋଲି ମନେ କରନ୍ତି। ମହିଳା ମାନଙ୍କ ବିକାଶ ପାଇଁ ରାଜ୍ୟ ସରକାର କେବଳ ଗୋଟିଏ ଦିନ ନୁହେଁ, ବରଂ ପୂରା ୩୬୫ ଦିନ ସମର୍ପିତ ହୋଇ କାମ କରୁଛନ୍ତି। ମିସନ ଶକ୍ତିର କମିସନର ତଥା ନିର୍ଦେଶିକା ସୁଜାତା କାର୍ତ୍ତିକେୟନ ଧନ୍ୟବାଦ ଅର୍ପଣ କରି କହିଥିଲେ ଯେ ୨୦୦୧ ରେ ମିସନ ଶକ୍ତି ଏକ ଯୋଜନା ହୋଇ ଆରମ୍ଭ ହୋଇଥିଲା। ଆଜି ଏହା ଏକ ସ୍ବତନ୍ତ୍ର ବିଭାଗ ହୋଇଛି। ମୁଖ୍ୟମନ୍ତ୍ରୀ ମିସନ ଶକ୍ତିର ମା’ ମାନଙ୍କ ପାଇଁ ଯେଉଁ ୫ ହଜାର କୋଟି ଟଙ୍କା ଘୋଷଣା କରିଥିଲେ, ସେଥିରୁ ଆଜି ମା’ମାନେ ୨୫୦୦ କୋଟି ଟଙ୍କାରୁ ଅଧିକ ଟଙ୍କାର ବ୍ୟବସାୟ ଆରମ୍ଭ କରି ସାରିଛନ୍ତି।ମା’ମାନଙ୍କ ପାଇଁ ୩୨୦୦ କୋଟି ଟଙ୍କାର ଋଣ ଲକ୍ଷ୍ୟ ଥିଲା ବେଳେ ବର୍ତ୍ତମାନ ସୁଧା ୪୦୦୦ କୋଟି ଟଙ୍କାରୁ ଅଧିକ ଋଣ ମିଳିପାରିଛି।

ଆଜିର କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ବିଭାଗ ଓ ମିସନ ଶକ୍ତିର କାର୍ଯ୍ୟକ୍ରମ ସମ୍ପର୍କରେ ଦୁଇଟି ଭିଡିଓ ଚିତ୍ର ପ୍ରଦର୍ଶିତ ହୋଇଥିଲା। ଝାରସୁଗୁଡା , ଯାଜପୁର ଓ ଭୁବନେଶ୍ବରରେ ତିନୋଟି କର୍ମଜୀବୀ ମହିଳା ହଷ୍ଟେଲ ଉଦଘାଟିତ ହୋଇଥିଲା। ହଷ୍ଟେଲ ପରିଚାଳନା, ସ୍ବଧାର ଓ ଉଜ୍ଜ୍ବଳ ଆଦି ଯୋଜନା ପାଇଁ ନୂଆ ପୋର୍ଟାଲ, ମିସନ ଶକ୍ତି ୱେବସାଇଟ , ମୋବାଇଲ ଆପ ଓ ବ୍ୟାଙ୍କ ମାନଙ୍କ ଋଣ ପ୍ରଦାନ ସମ୍ପର୍କରେ ଏକ ସ୍ବତନ୍ତ୍ର ପୋର୍ଟାଲ ଉନ୍ମୋଚିତ ହୋଇଥିଲା। ଡାଆଣି କୁପ୍ରଥାର ବିଲୋପ ପାଇଁ ଗୋଟିଏ ସ୍ବତନ୍ତ୍ର କାର୍ଯ୍ୟକ୍ରମ ମାର୍ଗଦର୍ଶିକା ମଧ୍ୟ ଉନ୍ମୋଚିତ ହୋଇଥିଲା। ଏହି ଅବସରରେ ଶ୍ରେଷ୍ଠ ପ୍ରଦର୍ଶନକାରୀ ଜିଲ୍ଲା, ସ୍ବୟଂ ସହାୟକ ଗୋଷ୍ଠୀ, ଅଧିକାରୀ ଓ ବ୍ୟାଙ୍କ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।

ଅନ୍ୟମାନଙ୍କ ମଧ୍ୟରେ ମିସନ ଶକ୍ତିର ଉପଦେଷ୍ଟା, ରାଜ୍ୟ ମହିଳା କମିସନ ଅଧ୍ୟକ୍ଷା, ରାଜ୍ୟ ଶିଶୁ ସୁରକ୍ଷା କମିସନର ଅଧ୍ୟକ୍ଷା, ଓଡିଶା ଶିଶୁ କଲ୍ୟାଣ ପରିଷଦର ସଦସ୍ୟା ସଚିବ, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିସନର ପ୍ରଦୀପ ଜେନା, ମୁଖ୍ୟମନ୍ତ୍ରୀଙ୍କ ସଚିବ ୫ଟି ଭି କେ ପାଣ୍ତିଆନ ଓ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ।

କାର୍ଯ୍ୟକ୍ଷମ ହେଲା ‘ମିସନ ଶକ୍ତି’ ବିଭାଗ
ଭୁବନେଶ୍ବର : ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ଆଜି ରାଜ୍ୟରେ ‘ମିସନ୍ ଶକ୍ତି’ ବିଭାଗ ବିଧିବଦ୍ଧ ଭାବେ କାର୍ଯ୍ୟକ୍ଷମ ହୋଇଛି। ରାଜ୍ୟ ସରକାରଙ୍କର ଏହା ୪୦ତମ ବିଭାଗ। ନୂଆ ବିଭାଗରେ ପ୍ରଥମ ମନ୍ତ୍ରୀ ଓ ସଚିବ ଉଭୟ ମହିଳା। ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ନୂଆ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ବ ନେଇଥିଲା ବେଳେ ଆଇଏଏସ୍‌ ଅଫିସର୍‌ ସୁଜାତା କାର୍ତ୍ତିକେୟନ୍ ସଚିବ ହୋଇଛନ୍ତି। ଏହା ପୂର୍ବରୁ ଶ୍ରୀମତୀ କାର୍ତ୍ତିକେୟନ୍ ମିସନ୍ ଶକ୍ତିର କମିସନର୍‌ ତଥା ନିର୍ଦ୍ଦେଶିକା ଭାବେ କାର୍ଯ୍ୟ କରୁଥିଲେ।

ସୂଚନାଯୋଗ୍ୟ ଯେ ୨୦୨୦ ମସିହା ମାର୍ଚ୍ଚ ୮ ତାରିଖ ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ମିସନ୍ ଶକ୍ତି’ ନାମରେ ନୂଆ ବିଭାଗ ଖୋଲିବ ବୋଲି ଘୋଷଣା କରିଥିଲେ। ଗତ ୬ ତାରିଖରେ ରାଜ୍ୟ କ୍ୟାବିନେଟ୍‌ ବୈଠକରେ ନୂଆ ବିଭାଗ ପ୍ରସ୍ତାବକୁ ଅନୁମୋଦନ ମିଳିଥିଲା। ବିଭିନ୍ନ ବିଭାଗ ଓ ସଂସ୍ଥା ମାଧ୍ୟମରେ ସ୍ବୟଂ ସହାୟକ ଗୋଷ୍ଠୀ(ଏସ୍‌ଏଚ୍‌ଜି)ମାନଙ୍କ ନିମନ୍ତେ କାର୍ଯ୍ୟକାରୀ ହେଉଥିବା ଯୋଜନାଗୁଡ଼ିକୁ ‘ମିସନ୍ ଶକ୍ତି’ ବିଭାଗ ମାଧ୍ୟମରେ ପରିଚାଳନା କରାଯିବ। ମିସନ୍ ଶକ୍ତି ବିଭାଗ, ମିସନ୍ ଶକ୍ତି ନିର୍ଦ୍ଦେଶାଳୟ ଓ ଓଡ଼ିଶା ଜୀବିକା ମିସନ୍‌ ଅଧୀନରେ କାର୍ଯ୍ୟ କରୁଥିବା ଅଧିକାରୀ ଓ କର୍ମଚାରୀ ନୂଆ ବିଭାଗ ଅଧୀନରେ କାମ କରିବେ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର