ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ୬ ଜିଲ୍ଲାର ମିସନ୍ ଶକ୍ତି ସଦସ୍ୟା

ଭୁବନେଶ୍ବର : ୬ଟି ଜିଲ୍ଲା ଗଞ୍ଜାମ, ଗଜପତି, ନୂଆପଡା, ରାୟଗଡା, କୋରାପୁଟ ଓ ମାଲକାନଗିରିର ୮୪ଟି ମିସନ ଶକ୍ତି ଗୋଷ୍ଠୀର ସଦସ୍ୟାମାନେ ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ଅଗଷ୍ଟ ୧୫ ତାରିଖ ୭୫ତମ ସ୍ବାଧୀନତା ଦିବସ ପାଳନ ଅବସରରେ ଜାତୀୟ ପତାକା ତିଆରି କରିବାର ସୁଯୋଗ ଦେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ସେମାନେ କୃତଜ୍ଞତା ଜଣାଇଥିଲେ। ମା’ମାନେ ଜାତୀୟ ପତାକା ତିଆରି ଦାୟିତ୍ବ ନେଇ ଦକ୍ଷତାର ସହ ତୁଲାଇ ଥିବାରୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ। ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଆପଣମାନଙ୍କ ଉପରେ ମୋର ପୂରା ଭରସା ରହିଛି। ଆପଣମାନଙ୍କ ଭିତରେ ବହୁତ କିଛି କରିବାର ସାମର୍ଥ ରହିଛି । ବହୁତ କମ୍ ସମୟ ପାଇ ମଧ୍ୟ ଆପଣମାନେ ୩୦ ଲକ୍ଷ ଜାତୀୟ ପତାକା ତିଆରି କରି ରାଜ୍ୟ ପାଇଁ ଗୌରବ ଆଣିପାରିଛନ୍ତି। ଆପଣମାନଙ୍କୁ ଧନ୍ୟବାଦ।

ମିସନ ଶକ୍ତିର ସଦସ୍ୟାମାନେ କହିଥିଲେ ଯେ ଜାତୀୟ ପତାକା ତିଆରି କରିବାର ଆନନ୍ଦ ପାଇ ଆମେ ବହୁତ ଖୁସି। ଆମେ ଏବେ ମଧ୍ୟାହ୍ନ ଭୋଜନ ଠାରୁ ଆରମ୍ଭ କରି ଅଙ୍ଗନବାଡ଼ି ପିଲାଙ୍କ ଡ୍ରେସ୍ ସିଲେଇ କରିବା, ଇଲେକ୍ଟ୍ରି ବିଲ୍ ଆଦାୟ କରିବା ଆଦି କାମ ବହୁତ ଭଲ ଭାବରେ କରିପାରୁଛୁ। ନୂଆପଡାରେ ଆମେ ଡ୍ରାଇଭିଂ ଶିକ୍ଷା ମଧ୍ୟ ନେଉଛୁ। ଆମେ ବି ପାରିବୁ, ଏ ବିଶ୍ବାସ ଆମର ବଢିଛି। ଆମେ ସମସ୍ତେ ଏବେ କିଛି ନା କିଛି ଉପଯୋଗୀ କାର୍ଯ୍ୟରେ ନିୟୋଜିତ ହୋଇପାରିଛୁ ବୋଲି ସେମାନେ କହିଥିଲେ।

ସମ୍ବନ୍ଧିତ ଖବର