ଭାଇରାଲ୍ ଭିଡିଓରେ ବିଧାୟକ ସାଲୁଗାଙ୍କ ବିବାଦୀୟ ଭାଷଣ : ‘ଭୋଟ ଦେଇ ନଥିବା ଲୋକଙ୍କ ପାଇଁ କାମ କରିବିନି’
ବିଧାୟକଙ୍କ ସଫେଇ: ବଦନାମ କରିବାକୁ ଷଡ଼ଯନ୍ତ୍ର
ଦାରିଙ୍ଗବାଡ଼ି : ‘ମତେ ଯେଉଁ ଲୋକ ମାନେ ଭୋଟ ଦେଇନାହାନ୍ତି ସେମାନଙ୍କ ପାଇଁ କାମ କରିବି ନାହିଁ। ଯଦି ସେମାନେ ପୂର୍ବ ଭଳି ବିଜେଡିରେ ସାମିଲ ହେବେ ଏବଂ ୨୦୨୨ରେ ହେବାକୁ ଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜେଡି ଜିଲ୍ଲା ପରିଷଦ ସଦସ୍ୟ ପ୍ରାର୍ଥୀଙ୍କୁ ଜିତାଇବାରେ ସାହାଯ୍ୟ କରିବେ ତେବେ ସେମାନଙ୍କ ପାଇଁ କାମ କରିବି। ବର୍ତ୍ତମାନ ଦଳକୁ ସଜାଡ଼ିବା ଲାଗି ଉଦ୍ୟମ ଜାରି ରଖିଛି। ୨୦୦୦ରୁ ୨୦୦୪ ପର୍ଯ୍ୟନ୍ତ ବିଧାୟକ ଥିବା ବେଳେ ବହୁ ଉନ୍ନୟନମୂଳକ କାମ ହାତକୁ ନେଇଥିଲି। ଏହାକୁ ପାଥେୟ କରି ଅଞ୍ଚଳବାସୀ ଓ ଦଳୀୟ କର୍ମୀ ମୋ ଉପରେ ପୁଣି ଆସ୍ଥା ପ୍ରକଟ କରିଥିବାରୁ ବିକାଶ ଧାରା ବଜାୟ ରଖିବି।’ ପ୍ରାୟ ୪ ମାସ ତଳେ ଏକ ଦଳୀୟ କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ଏମିତି ଭାଷଣ ଦେଇଥିଲେ। ନିକଟରେ ଏହି ଭାଷଣର ଭିଡିଓ ଭାଇରାଲ୍ ହେବା ପରେ କନ୍ଧମାଳ ବିଜେଡି ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି। ସେପଟେ ଦୁଇରୁ ଅଧିକ ସନ୍ତାନ ଥିବା ମାମଲାରେ ବିଧାୟକ ସାଲୁଗାଙ୍କ ପତ୍ନୀ ତଥା ଦାରିଙ୍ଗବାଡ଼ି ବ୍ଲକ ଅଧ୍ୟକ୍ଷା ସୁବେନ୍ତି ପ୍ରଧାନଙ୍କ ସଭ୍ୟ ପଦକୁ ଜିଲ୍ଲା ଦୌରାଜଜ ରଦ୍ଦ କରିଥିବାବେଳେ ସାଲୁଗାଙ୍କ ଏଭଳି ବିବାଦୀୟ ମନ୍ତବ୍ୟ ସମ୍ବଳିତ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ଘଟଣା ଜିଲ୍ଲା ରାଜନୀତିକୁ ବେଶ୍ ସରଗରମ କରିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଚଳିତବର୍ଷ ବିଧାନସଭା ନିର୍ବାଚନରେ ଘୁ.ଉଦୟଗିରି ଆସନରୁ ବିଜେଡି ପ୍ରାର୍ଥୀ ସାଲୁଗା ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଗତ ଜୁନ୍ ୧୧ ତାରିଖରେ ଡୁଲୁରି ପାଇନ୍ ବଣରେ ଦଳର ସମୀକ୍ଷା ବୈଠକ ବସିଥିଲା। ଏଥିରେ ବିଧାୟକ ସାଲୁଗା ପ୍ରଧାନ ଅତିଥି ଭାବେ ଯୋଗ ଦେଇ ସମବେତ ସମର୍ଥକ ଓ କର୍ମୀଙ୍କୁ ଭାଷଣ ଦେଇ ଏଭଳି କହିଥିଲେ। ଅନ୍ୟପକ୍ଷରେ ଏହି ଭିଡିଓ ଭାଇରାଲ୍ ହେବା ପରେ ବିଧାୟକ ନିଜ ପ୍ରତିକ୍ରିୟାରେ କହିଛନ୍ତି, ତାଙ୍କର ସଂପୂର୍ଣ୍ଣ ଭାଷଣ ଭାଇରାଲ୍ ଭିଡିଓରେ ନାହିଁ। ମିଥ୍ୟା ଭିଡିଓ ତିଆରି କରି ତାଙ୍କୁ ଲୋକଙ୍କ ପାଖରେ ବଦନାମ କରିବାକୁ ଷଡ଼ଯନ୍ତ୍ର ଚାଲିଛି। ଏଥିପାଇଁ ନିର୍ଦ୍ଦିଷ୍ଟ ଗଣମାଧ୍ୟମ ଦାୟୀ ବୋଲି ସେ ଅଭିଯୋଗ କରିଛନ୍ତି।
ଏହି ବୈଠକରେ ମୁଖ୍ୟତଃ କେଉଁ ବୁଥ୍ରେ ବିଜେଡିକୁ କେତେ ଭୋଟ ମିଳିଲା, କାହିଁକି କମ୍ ଭୋଟ ମିଳିଲା, ଦଳ ବିରୋଧୀ କାର୍ଯ୍ୟକଳାପରେ କେଉଁମାନେ ସଂପୃକ୍ତ ଏ ନେଇ ଆଲୋଚନା ହୋଇଥିଲା। ଆଉ ୮ଜଣ ସକ୍ରିୟ କର୍ମୀଙ୍କୁ ଏଥିପାଇଁ ବହିଷ୍କାର କରା ଯାଇଥିଲା। ବିଧାୟକଙ୍କ ଅସନ୍ତୁଷ୍ଟ ଗୋଷ୍ଠୀ ଏଭଳି କାର୍ଯ୍ୟକଳାପରେ ସଂପୃକ୍ତ ଥିବା ତାଙ୍କ ସମର୍ଥକ ମହଲରେ ଚର୍ଚ୍ଚା ହେଉଛି।