ବ୍ଲକ, ଏନ୍‌ଏସି କର୍ମଚାରୀଙ୍କୁ ପିଟିଲେ, ଭାଙ୍ଗିଲେ

ଦାଦାଗିରି କରି ଛତ୍ରପୁର ବିଧାୟକ ପ୍ରତିନିଧି ଅଟକ

ଛତ୍ରପୁର : ଛତ୍ରପୁର ବିଧାୟକଙ୍କ ପ୍ରିୟାଂଶୁ ପ୍ରଧାନଙ୍କ ପ୍ରତିନିଧି ଏନ୍‌.ଓ୍ଵର୍ଦ୍ଧରାଜୁଲୁ ରେଡ୍ଡୀ ଆଜି ଛତ୍ରପୁର ବ୍ଲକ ଓ ଏନ୍‌ଏସି କାର୍ଯ୍ୟାଳୟ ଭିତରେ ଧସେଇ ପଶି ଉନ୍ମତ୍ତକାଣ୍ଡ ଘଟାଇଛନ୍ତି। ଓ୍ଵର୍ଦ୍ଧରାଜୁଲୁ ଓ ତାଙ୍କର ସହଯୋଗୀ ଉଭୟ କାର୍ଯ୍ୟାଳୟ ଭିତରେ ପଶି କର୍ମଚାରୀଙ୍କୁ ନିସ୍ତୁକ ମାଡ଼ ମାରିବା ସହ କମ୍ପ୍ୟୁଟର ଏବଂ ଲାପ୍‌ଟପ୍‌, ବିଭିନ୍ନ ସାମଗ୍ରୀ ଭଙ୍ଗାରୁଜା କରିଥିଲେ। ଜିଲ୍ଲା ସଦରମହକୁମାର ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀ ଏହାକୁ ତୀବ୍ର ନିନ୍ଦା କରିଛନ୍ତି। ବିଡ଼ିଓ ବଂଶୀଧର ଖୋସ୍‌ଲା ଓ ଏନ୍‌ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଅନ୍ୟପକ୍ଷରେ ଏହାର ପ୍ରତିବାଦରେ ଆସନ୍ତାକାଲି ବ୍ଲକ ଓ ଏନ୍‌ଏସି କାର୍ଯ୍ୟାଳୟର କର୍ମଚାରୀ ମାନେ ଏକ ଦିନିଆ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଖବର ମିଳିବା ସୁଦ୍ଧା ପୁଲିସ ଓ୍ଵର୍ଦ୍ଧରାଜୁଲୁ ଓ ତାଙ୍କର ସହଯୋଗୀଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି।

ଅପରାହ୍ନ ପ୍ରାୟ ୪ଟା ବେଳେ ଓ୍ଵର୍ଦ୍ଧରାଜୁଲୁ ଓ ତାଙ୍କର ୪ରୁ ୫ଜଣ ସହଯୋଗୀ ପ୍ରଥମେ ବ୍ଲକ କାର୍ଯ୍ୟାଳୟରେ ପଶିଥିଲେ। ବିଡିଓ ସେତେବେଳେ ଅନୁପସ୍ଥିତ ଥିଲେ। ବ୍ଲକର ବିଭିନ୍ନ ବିଭାଗରେ ପଶି ସେମାନେ ଫାଇଲ୍‌ ପତ୍ର ଫୋପାଡ଼ିବା ସହ କନିଷ୍ଠ ଯନ୍ତ୍ରୀ ପ୍ରଫୁଲ ବେହେରାଙ୍କୁ ମାଡ଼ ମାରି ତାଙ୍କ ଲ୍ୟାପ୍‌ଟପ୍‌କୁ ଭାଙ୍ଗି ଦେଇଥିଲେ। ସେହିପରି ଆଉଜଣେ କନିଷ୍ଠ ଯନ୍ତ୍ରୀ ଦେବରାଜ ଗୌଡ଼ ଓ ଅନ୍ୟ କର୍ମଚାରୀଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ। ସେଠାରୁ ସେମାନେ ଏନ୍‌ଏସି କାର୍ଯ୍ୟାଳୟ ଭିତରକୁ ଯାଇ କର୍ମଚାରୀ ପ୍ରଭାକର ବେହେରା, କୃଷ୍ଣ ମହାପାତ୍ର ଏବଂ ଚନ୍ଦ୍ରଶେଖର ଦାସଙ୍କୁ ନିସ୍ତୁକ ମାଡ଼ ମାରି ଥିଲେ। ଏହାସହ ଏନ୍‌ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକଙ୍କୁ ଗାଳିଗୁଲଜ କରିଥିଲେ। ଏତିକିରେ ସେମାନଙ୍କ ଆତଙ୍କ ଥମି ନଥିଲା। ପୁଣି ଥରେ ସେମାନେ ବ୍ଲକ କାର୍ଯ୍ୟାଳୟକୁ ଯାଇ କନିଷ୍ଠ ଯନ୍ତ୍ରୀ ମନୋରଞ୍ଜନ ମଲ୍ଲିକ ଏବଂ କମ୍ପ୍ୟୁଟର ପ୍ରୋଗ୍ରାମ ଅଫିସର ସୁଶୀଲ କୁମାର ପାତ୍ରକୁ ମାଡ଼ ମାରିଥିଲେ। ଏହାସହ ବିଡିଓଙ୍କ ସହ କଟୁଭାଷାରେ ଯୁକ୍ତିତର୍କ କରିଥିଲେ।

ସୂଚନା ପାଇ ଛତ୍ରପୁର ଥାନା ଅଧିକାରୀ ବିଷ୍ଣୁ ପ୍ରସାଦ ପାତ୍ର ଓ ତହସିଲଦାର ଶୁଭେନ୍ଦୁ କୁମାର ସାହୁ ଏନ୍‌ଏସି ଓ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ । ଏନେଇ ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଛତ୍ରପୁର ଥାନାରେ ଏତଲା ଦେବା ପରେ ପୁଲିସ ବିଧାୟକ ପ୍ରତିନିଧି ଏବଂ ତାଙ୍କର ଜଣେ ସହଯୋଗୀକୁ ଅଟକ ରଖି ପଚରାଉଚରା କରୁଛି। ବ୍ଲକ ପକ୍ଷରୁ ଦିଆଯାଇଥିବା ଏତଲା ଓ ଏନ୍‌ଏସିର ଏତଲାକୁ ଭିତ୍ତି କରି ଦୁଇଟି ମାମଲା ରୁଜୁ ହୋଇଛି।

ସମ୍ବନ୍ଧିତ ଖବର