ନିରାକାରପୁର : ବାପପୁଅଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ, ପରଘରେ କାମ କରି ପରିବାର ପ୍ରତିପୋଷଣ କରୁଛନ୍ତି ପତ୍ନୀ

ନିରାକାରପୁର : ଟାଙ୍ଗୀ ବ୍ଲକ୍‌ ରମାବିଲି ଗ୍ରାମର ରୋଗାକ୍ରାନ୍ତ ଯୁଧିଷ୍ଟିର ପ୍ରଧାନ ଓ ତାଙ୍କ ପୁଅ ଭାଗୀରଥି ପ୍ରଧାନଙ୍କ ଚିକିତ୍ସା ପାଇଁ ଅର୍ଥ ପ୍ରତିବନ୍ଧକ ସାଜିଛି। ପରିସ୍ଥିତି ଏମିତି ହୋଇଛି ଯେ, ଭୁବନେଶ୍ୱରରେ ପରଘରେ କାମ କରି ଯୁଧିଷ୍ଟିରଙ୍କର ପତ୍ନୀ ପରିବାର ପ୍ରତିପୋଷଣ କରୁଥିବା ବେଳେ ଚିକିତ୍ସା ବ୍ୟବସ୍ଥା କରି ନ ପାରି ସ୍ୱାମୀ ଓ ପୁଅଙ୍କୁ ଭଗବାନଙ୍କ ଆଶ୍ରାରେ ଛାଡ଼ି ଦେଇଛନ୍ତି। ଯୁଧିଷ୍ଟିର ପ୍ରଧାନଙ୍କ ପରିବାର କହିଲେ ସ୍ତ୍ରୀ, ୨ଝିଅ ଓ ଏକମାତ୍ର ପୁଅ ଭାଗୀରଥି। ବାହାର ରାଜ୍ୟରେ ଶ୍ରମିକ ଭାବେ କାର୍ଯ୍ୟ କରି ଯୁଧିଷ୍ଟିର ପରିବାର ପ୍ରତିପୋଷଣ କରୁଥିଲେ। ହଠାତ୍ ଯୁଧିଷ୍ଟିର ପକ୍ଷାଘାତ ରୋଗର ଶିକାର ହେଲେ। ରୋଜଗାର କରି ପରିବାର ଚଳାଇବେ କ’ଣ ବସିବା ଠାରୁ ଉଠି ପାରିଲେ ନାହିଁ। ଶେଷରେ ଆଇଟିଆଇ ପଢ଼ୁଥିବା ଭାଗୀରଥି ପରିବାର ଚଳାଇବା ପାଇଁ ହାଇଦ୍ରାବାଦର ଏକ କମ୍ପାନିରେ ଚାକିରି କଲେ। ମାତ୍ର ଏକ ବାଇକ୍ ଦୁର୍ଘଟଣାର ଭାଗୀରଥିଙ୍କ ବାମଗୋଡଟି ଭାଙ୍ଗିଗଲା। ଗ୍ରାମବାସୀଙ୍କ ସହଯୋଗରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଗଲା। ଅସ୍ତ୍ରୋପଚାର ପାଇଁ ଧାରକରଜ କରାଗଲା। ଏବେ ପରିବାର ସମ୍ପୂର୍ଣ୍ଣ ନିସ୍ୱ। ସ୍ୱାମୀ ଓ ପୁଅଙ୍କ ଚିକିତ୍ସା ପାଇଁ ଭୁବନେଶ୍ୱରରେ ଜଣଙ୍କ ଘରେ କାମ କରି ଯୁଧିଷ୍ଟିରଙ୍କ ପତ୍ନୀ ପରିବାର ପ୍ରତିପୋଷଣ କରୁଛନ୍ତି। ଏ ଭଳି ପରିସ୍ଥିତିରେ ଗତ ‘ଫନି’ ବାତ୍ୟା ସହିତ ଲଗାଣ ବର୍ଷାରେ ତାଙ୍କ ଚାଳଘରଟି ଭୁଶୁଡ଼ି ପଡିଛି। ଏବେ ବାପ ପୁଅ ପରଘରେ ଆଶ୍ରୟ ନେବାସହ ପଡୋଶୀଙ୍କ ହାତ ଟେକାକୁ ଆଶ୍ରାକରି ଜୀବନ ବିତାଉଛନ୍ତି। ଜିଲ୍ଲା ପ୍ରଶାସନ ଦୃଷ୍ଟିଦେବାକୁ ଗ୍ରାମବାସୀ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର