ଜୁନ୍‌ ୬ରେ ଓଡ଼ିଶା ଛୁଇଁପାରେ ମୌସୁମୀ

ଭୁବନେଶ୍ୱର/ନୂଆଦିଲ୍ଲୀ : ମେ’ ୨୯ରେ କେରଳ ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ସାଧାରଣତଃ ଜୁନ୍‌ ୧ ତାରିଖରେ ମୌସୁମୀ କେରଳ ଉପକୂଳ ଛୁଇଁଥାଏ। କିନ୍ତୁ ଏଥର ନିର୍ଧାରିତ ତାରିଖର ଦୁଇ ତିନି ଦିନ ପୂର୍ବରୁ ମୌସୁମୀ କେରଳରେ ପହଞ୍ଚିଯିବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ଏନେଇ ଆଜି ବିଭାଗ ପକ୍ଷରୁ ସୂଚନା ଦିଆଯିବା ପରେ ଓଡ଼ିଶାରେ ମୌସୁମୀ ପହଞ୍ଚିବା ନେଇ ସମସ୍ତଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି ହୋଇଛି। କେରଳରେ ମୌସୁମୀ ପହଞ୍ଚିବାର ୧୦ ଦିନ ପରେ ମୌସୁମୀ ବାୟୁ ଓଡ଼ିଶା ଛୁଉଁଥିବାରୁ ଏଥର ଜୁନ୍‌ ୯ ବେଳକୁ ଓଡ଼ିଶାରେ ପହଞ୍ଚିବାର ଆଶା କରାଯାଉଛି। କିନ୍ତୁ ପାଣିପାଗ ବିଶେଷଜ୍ଞମାନେ ୯ ତାରିଖର ଯଥେଷ୍ଟ ପୂର୍ବରୁ ମୌସୁମୀ ଓଡ଼ିଶା ଛୁଇଁବ ବୋଲି ପୂର୍ବାନୁମାନ କରିଛନ୍ତି।

ପାଣିପାଗ ବିଶେଷଜ୍ଞ ତଥା ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି) କୁଳପତି ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ ଆକଳନ କହୁଛି ଯେ ଓଡ଼ିଶାରେ ଆଗୁଆ ପହଞ୍ଚିବ ମୌସୁମୀ। ପାଣିପାଗ ବିଭାଗର ପୂର୍ବାନୁମାନ ମେ’ ୨୯ରେ ଯଦି କେରଳରେ ମୌସୁମୀ ପହଞ୍ଚିବ ତେବେ ଏହାର ୧୦ ଦିନ ପରେ ଅର୍ଥାତ୍‌ ଜୁନ୍‌ ୯ରେ ଓଡ଼ିଶାକୁ ଛୁଇଁବା କଥା। କିନ୍ତୁ ଚଳିତବର୍ଷ ପାଗ ସ୍ୱାଭାବିକ ରହିଥିବାରୁ ନିର୍ଧାରିତ ସମୟର ୩ରୁ ୪ ଦିନ ଆଗରୁ ଓଡ଼ିଶାରେ ମୌସୁମୀ ବାୟୁ ପହଞ୍ଚିବ। ଆର୍ଥାତ୍‌ ଜୁନ୍‌ ୫ କିମ୍ବା ୬ରେ ମୌସୁମୀ ଓଡ଼ିଶା ଛୁଇଁବ। ପ୍ରଥମେ ଦକ୍ଷିଣ ଓଡ଼ିଶା ଛୁଇଁବ ଓ ଗୋଟିଏ ଦିନ ମଧ୍ୟରେ ସମ୍ପୂର୍ଣ୍ଣ ଓଡ଼ିଶାକୁ ପରିବ୍ୟାପ୍ତ ହେବ। ଚଳିତବର୍ଷ ସ୍ୱାଭାବିକ ବର୍ଷା ହେବାର ସମ୍ଭାବନା ରହିଛି। ତେଣୁ ଚାଷ କାର୍ଯ୍ୟ ଲାଗି ମୌସୁମୀ ବର୍ଷା ସହାୟକ ହେବ ବୋଲି ସେ କହିଛନ୍ତି।

ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦେଶକ ଶରତ ଚନ୍ଦ୍ର ସାହୁ ଓଡ଼ିଶାରେ ମୌସୁମୀ ବାୟୁ ପହଞ୍ଚିବା ନେଇ କୌଣସି ଆକଳନ କରିନାହାନ୍ତି। ତାଙ୍କ କହିବାନୁଯାୟୀ ଏତେ ଆଗରୁ ଓଡ଼ିଶାକୁ ମୌସୁମୀ ଆସିବା ନେଇ କହିବା ସମ୍ଭବପର ନୁହେଁ। ମେ’ ୨୯ରେ ଦକ୍ଷିଣ-ପଶ୍ଚିମା ମୌସୁମୀ ବାୟୁ କେରଳ ଛୁଇଁବ। ଏହାପରେ ମୌସୁମୀର ଗତି କେଉଁଆଡ଼େ ରହୁଛି ତାହାକୁ ଆନୁଧ୍ୟାନ କରିବା ପରେ ଓଡ଼ିଶାରେ କେବେ ପହଞ୍ଚିବ କହିବା ସମ୍ଭବପର ବୋଲି ସେ କହିଛନ୍ତି।

ଗତବର୍ଷ ଅପେକ୍ଷା ଏଥର ଗୋଟିଏ ଦିନ ପୂର୍ବରୁ ମୌସୁମୀ ପହଞ୍ଚିବାକୁ ଥିବାରୁ ଚାଷ କାର୍ଯ୍ୟ ଲାଗି ଏହା ବେଶ ସହାୟକ ହେବ ବୋଲି କୃଷି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି। ଓୟୁଏଟି କୁଳପତି ପ୍ରଫେସର ପଶୁପାଳକ କହିଛନ୍ତି ଯେ ମୌସୁମୀ ବର୍ଷା ଚାଷୀଙ୍କ ପାଇଁ ବେଶ ସହାୟକ ହେବ। ଧାନ ଚାଷ କରିବା ଓ ତଳି ପକାଇବା ଲାଗି ଏହା ଉପଯୁକ୍ତ ସମୟ। ମୌସୁମୀ ବର୍ଷା ହେବା କ୍ଷଣି ଚାଷୀମାନେ ବୁଣାବୁଣି କରିପାରିବେ। ଏଥିପାଇଁ ଏବେଠାରୁ ପ୍ରସ୍ତୁତ ରୁହନ୍ତୁ। ଯେତେ ଶୀଘ୍ର ବୁଣାବୁଣି କରିବେ ସେତେଶୀଘ୍ର ଧାନ ଅମଳ ହେବ। ଏହାପରେ ଚାଷୀ ଭାଇମାନେ ଅଣଜଳସେଚିତ ଜମିରେ ଡାଲି ଚାଷ କରିପାରିବେ। ମଧ୍ୟମ କିସମ ଜମିରେ ୧୧୫ ଦିନରେ ହେଉଥିବା ଧାନ ଓ ଢ଼ିପ ଜମିରେ ଅଣ ଧାନ ଫସଲ କରିବାକୁ ସେ ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧିତ ଖବର