ସ୍ବାସ୍ଥ୍ୟ କ୍ଷେତ୍ରରେ ଅଧିକ ସରକାରୀ ବିନିଯୋଗ ଦରକାର: ଡା. ରଣଦୀପ ଗୁଲେରିଆ

ସ୍ବାସ୍ଥ୍ୟ ସମ୍ବାଦ-କନକ ନ୍ୟୁଜର ହେଲ୍ଥ କନକ୍ଲେଭ୍‌

ଭୁବନେଶ୍ବର : ଘରୋଇ ସଂସ୍ଥା ଉପରେ ଦାୟିତ୍ବ ଛାଡ଼ିଲେ ହେବନାହିଁ। ସ୍ବାସ୍ଥ୍ୟ କ୍ଷେତ୍ରରେ ଅଧିକ ସରକାରୀ ବିନିଯୋଗ ଦରକାର। ପଡ଼ୋଶୀ ଦେଶ ତୁଳନାରେ ଭାରତ ସ୍ବାସ୍ଥ୍ୟ କ୍ଷେତ୍ରରେ ଜିଡିପିର ଖୁବ କମ୍‌ ଅଂଶ ବିନିଯୋଗ କରୁଛି। ଆଜି ଯେଉଁ ଅଭାବ ଦେଇ ଆମେ ଗତି କରୁଛୁ ତାର ସମାଧାନ କରିବାକୁ ହେବ। ବର୍ତ୍ତମାନ ଦେଶକୁ ଉଭୟ ମାନବ ସମ୍ବଳ ଏବଂ ଭିତ୍ତିଭୂମି ବିକାଶ ଦିଗରେ ଦୃଷ୍ଟି ଦେବାକୁ ପଡ଼ିବ। ମାନବ ସମ୍ବଳ କହିଲେ ମଧ୍ୟ କେବଳ ଡାକ୍ତର ନୁହେଁ; ସ୍ବାସ୍ଥ୍ୟକର୍ମୀ, ଆଶାକର୍ମୀ ଏବଂ ନର୍ସ ସୃଷ୍ଟି କରିବାକୁ ହେବ। ଯେପରିକି ଜିଲ୍ଲା ଠାରୁ ଗ୍ରାମୀଣସ୍ତର ପର୍ଯ୍ୟନ୍ତ ଲୋକଙ୍କ ପାଖରେ ସ୍ବାସ୍ଥ୍ୟ ସେବା ପହଞ୍ଚି ପାରୁଥିବ। ମହମାରୀ ବଡ଼ ଶିକ୍ଷା ଦେଇଛି ଯେ ରୁଟି, କପଡ଼ା, ବାସଗୃହ ସହିତ ସ୍ବାସ୍ଥ୍ୟ ଉପରେ ମଧ୍ୟ ଧ୍ୟାନ ଦେବାକୁ ହେବ। ଦେଶ ସ୍ବାସ୍ଥ୍ୟବାନ ନହେଲେ ସମ୍ପୂର୍ଣ୍ଣ ବ୍ୟବସ୍ଥା ଭୁଶୁଡ଼ି ପଡ଼ିବ। ସ୍ବାସ୍ଥ୍ୟକୁ ପାଠ୍ୟକ୍ରମରେ ସ୍ବତନ୍ତ୍ର ବିଷୟ ଭାବରେ ଗ୍ରହଣ କରିବାକୁ ୧୫ତମ ଅର୍ଥ କମିସନଙ୍କୁ ସୁପାରିସ କରାଯାଇଥିବା କହିଛନ୍ତି ଏମ୍‌ସ ଦିଲ୍ଲୀର ପୂର୍ବତନ ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ। ସ୍ବାସ୍ଥ୍ୟ ସମ୍ବାଦ ଏବଂ କନକ ନ୍ୟୁଜ ପକ୍ଷରୁ ଆୟୋଜିତ ଦି ହେଲ୍ଥ କନକ୍ଲେଭ‌୍‌ରେ ସେ ଏହି ମତ ଦେଇଛନ୍ତି।

ଚିକିତ୍ସାର ବିଜ୍ଞାନ ଏବଂ କଳା ଉଭୟ ଗୁରୁତ୍ବପୂର୍ଣ୍ଣ
ଅଣସଂକ୍ରାମକ ରୋଗ ମୁକାବିଲାକୁ ଗୁରୁତ୍ବ ଦିଅନ୍ତୁ ଓଡ଼ିଶା ସରକାର

ରାଜ୍ୟ ଦକ୍ଷତା ବିକାଶ ପ୍ରାଧିକରଣ ଅଧ୍ୟକ୍ଷ ଡ. ସୁବ୍ରତ ବାଗଚିଙ୍କ ସହିତ ଆଲୋଚନା ବେଳେ ଡାକ୍ତର ଗୁଲେରିଆ କହିଛନ୍ତି, ଭାରତରେ ଯେଉଁଭଳି ଡାକ୍ତରମାନଙ୍କୁ ପ୍ରଶିକ୍ଷଣ ଦିଆଯାଏ ବିଶ୍ବର ଅନ୍ୟ କୌଣସି ଦେଶରେ ସେଭଳି ଦେଖାଯାଏ ନାହିଁ। କେବଳ ଡାକ୍ତରଙ୍କୁ ଦେଖା କରିବା ପାଇଁ ଜରୁରୀକାଳୀନ ଏବଂ ଓପିଡିରେ ଯେତେ ସଂଖ୍ୟକ ରୋଗୀ ଘଣ୍ଟା-ଘଣ୍ଟା ଅପେକ୍ଷା କରିଥାଆନ୍ତି ତାହା ଅନେକ ବିଦେଶୀଙ୍କୁ ବିସ୍ମିତ କରିଥାଏ। ପ୍ରକୃତରେ ଏଭଳି ସ୍ଥିତି ହିଁ ଭାରତୀୟ ଡାକ୍ତରମାନଙ୍କୁ ଦକ୍ଷ କରିଦିଏ। ଓଡ଼ିଶା ସରକାରଙ୍କୁ ପରାମର୍ଶ ଦେଇ ଡାକ୍ତର ଗୁଲେରିଆ କହିଛନ୍ତି, ଗାଁ ହେଉକି ସହର କିମ୍ବା ଯେକୌଣସି ଆର୍ଥିକ ବର୍ଗର ହୋଇଥାଆନ୍ତୁ, ସ୍ବାସ୍ଥ୍ୟ ସେବା ପାଇବା ପାଇଁ ସମସ୍ତଙ୍କ ଅଧିକାର ରହିଛି। ବର୍ତ୍ତମାନ ସ୍ଥିତିରେ ସରକାରଙ୍କୁ ଅଣସଂକ୍ରାମକ ରୋଗ ମୁକାବିଲା ଏବଂ ରୋଗର ପ୍ରତିଷେଧକ ଉପରେ ଅଧିକ ଗୁରୁତ୍ବ ଦେବାର ଆବଶ୍ୟକତା ରହିଛି। ଔଷଧର ବିଜ୍ଞାନ ଏବଂ କଳା ଉଭୟ ଗୁରୁତ୍ବପୂର୍ଣ୍ଣ ବୋଲି ସେ ଦର୍ଶାଇଛନ୍ତି।  ରୋଗୀଙ୍କ ଠାରୁ ରୋଗର ପ୍ରକୃତ ସମସ୍ୟା ନବୁଝି କେବଳ ଗୁଡ଼ାଏ ପରୀକ୍ଷା ଲେଖି ଦେଲେ ରୋଗ ଚିକିତ୍ସା ତ ସମ୍ଭବ ହେବ କିନ୍ତୁ ଏହା ବ୍ୟୟବହୁଳ ହୋଇ ପଡ଼ିବ। ତେଣୁ ଡାକ୍ତର ଭାବରେ ଉପଯୁକ୍ତ ଔଷଧ ଏବଂ ଚିକିତ୍ସା ସହିତ ରୋଗୀଙ୍କୁ ଗୁରୁତ୍ବ ଦେବା ଉଚିତ।

କୋଭିଡ ସମୟର ଅନୁଭବ ବିଷୟରେ ଡା. ଗୁଲେରିଆ କହିଛନ୍ତି, କୋଭିଡ ପ୍ରାଥମିକ ପର୍ଯ୍ୟାୟରେ ଅଜଣା ଭୂତାଣୁର ମୁକାବିଲା କରିବା କେବଳ ଡାକ୍ତର ନୁହେଁ ପ୍ରତ୍ୟେକ ସାଧାରଣ ଜନତାଙ୍କ ପାଇଁ ଚ୍ୟାଲେଞ୍ଜିଂ ଥିଲା। ଭୟ ଏଭଳି ଥିଲା ଯେ ପ୍ରଥମେ ପ୍ରଥମେ କେବଳ ସନ୍ଦିଗ୍ଧ କୋଭିଡ ରୋଗୀଙ୍କ ପାଖ ଦେଇ ଯାଉଥିବା ଅନେକ ନର୍ସ ନିଜ ଘରକୁ ଯିବା ପାଇଁ ମଧ୍ୟ ଭୟ କରୁଥିଲେ। ଆମ ପରିବାରରେ ସ୍ତ୍ରୀ, ପୁଅ, ବୋହୂ ସମସ୍ତେ ଡାକ୍ତର। କିନ୍ତୁ କାଳେ ଜଣେ ଆଉ ଜଣଙ୍କୁ ସଂକ୍ରମିତ କରିବ ଏଥିପାଇଁ ସମସ୍ତେ ପରସ୍ପର ଠାରୁ ଦୂରେଇ ରହୁଥିଲୁ। ସେମିତିରେ କୋଭିଡ ମୁକାବିଲା ଦିଗରେ ଦେଶର ପ୍ରତ୍ୟେକ ଜନତା ଜଣେ କୋଭିଡ ଯୋଦ୍ଧା। କିନ୍ତୁ ସଂକ୍ରମିତ ଜୋନରେ ବିନା ପିପିଇ କିଟ୍‌ରେ କାର୍ଯ୍ୟ କରୁଥିବା ଆଶା, ସ୍ବାସ୍ଥ୍ୟ କର୍ମୀ ଏବଂ ପୁଲିସ ଭଳି ତୃଣମୂଳସ୍ତରରେ କାର୍ଯ୍ୟ କରୁଥିବା ବ୍ୟକ୍ତିମାନେ ହିଁ ପ୍ରକୃତ ଯୋଦ୍ଧା। ନର୍ସ ଭଳି ଅନ୍ୟ ସ୍ବାସ୍ଥ୍ୟକର୍ମୀମାନଙ୍କୁ ଆହୁରି ଦକ୍ଷତା ସହିତ ଉପଯୋଗ କରାଯାଇ ପାରିବ। ଏପରିକି ଯେଉଁଠାରେ ଡାକ୍ତର ନାହାନ୍ତି। ସେଠାରେ ନର୍ସମାନେ ଔଷଧ ଦେଇ ପାରିବେ। ସେଥିପାଇଁ ସେମାନଙ୍କୁ ସେହିଭଳି ପ୍ରଶିକ୍ଷଣ ଦିଆଯିବା ସହିତ ଉପଯୋଗୀ କରାଯିବାର ଆବଶ୍ୟକତା ରହିଛି। କୋଭିଡ ସମୟରେ ପ୍ରଯୁକ୍ତିର ଗୁରୁତ୍ବ ମଧ୍ୟ ଜଣାପଡ଼ିଥିଲା। ଘରେ ଥାଇ ମଧ୍ୟ ଅନେକ ରୋଗର ପରୀକ୍ଷା କରାଯାଇ ପାରୁଥିଲା। ହିମାଚଳପ୍ରଦେଶ ଜନ୍ମିତ ପଦ୍ମଶ୍ରୀ ଡାକ୍ତର ଗୁଲେରିଆ କହନ୍ତି, ତାଙ୍କ ପରିବାରର ସମସ୍ତେ ସେନାରେ ଥିଲେ କିନ୍ତୁ ବାପା ଡାକ୍ତର ଥିବାରୁ ସେ ମଧ୍ୟ ଏହି କ୍ଷେତ୍ରକୁ ଆସିଥିଲେ। ଏଥିରୁ ଯେତେ ଖୁସି ମିଳେ, ଅନ୍ୟ କୌଣସିରୁ ମିଳେ ନାହିଁ। ତେଣୁ ଟଙ୍କା କିମ୍ବା ଅନ୍ୟ ଯେକୌଣସି ସ୍ଥିତିର ମୁକାବିଲା କରିବା ଏତେ କଷ୍ଟକର ହୁଏ ନାହିଁ।

‘ସମ୍ବାଦ’ର ସଂପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଲେ, ସମ୍ବାଦ ଗ୍ରୁପ୍‌ ସବୁବେଳେ ଅଭିନବ କଳ୍ପନାକୁ ସାକାର କରିବା ପାଇଁ ଉଦ୍ୟମ କରିଥାଏ। ତେବେ ଶିକ୍ଷା ଓ ସ୍ବାସ୍ଥ ସମାଜର ଦୁଇଟି ପ୍ରମୁଖ ସମସ୍ୟା। ଭାରତର ଅର୍ଥରେ ପଢ଼ୁଥିବା ଡାକ୍ତରମାନେ ଆମେରିକା ନଯାଇ ଭାରତରେ ସେବା ପ୍ରଦାନ କରିବାକୁ ସେ ପରାମର୍ଶ କରିଥିଲେ। ଏଥିସହ କାରିଗରୀ ଓ କଳାର ସମନ୍ବୟରେ ଚିକିତ୍ସା ବ୍ୟବସ୍ଥା ଆଗକୁ ଯିବା ଦରକାର ବୋଲି ସେ କହିଥିଲେ। ଶ୍ରୀ ପଟ୍ଟନାୟକ ଡାକ୍ତର ଗୁଲେରିଆ ଏବଂ ସୁବ୍ରତ ବାଗଚିଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ ବିଭିନ୍ନ ବିଷୟକୁ ନେଇ ଡା. ଆଶୁତୋଷ ମହାପାତ୍ର, ଡା. ଦିବ୍ୟରଞ୍ଜନ ବେହେରା, ଡା. ଗରିମା ସରୱାଗି, ଡାକ୍ତର ପ୍ରଦୀପ ସେଠୀ, ଡା. ସୁରଜିତ୍‌ କୁମାର ପାତ୍ର, ଡା. ଅକ୍ଷୟ କୁମାର ରାଉତ, ପ୍ରଫେସର ସୁନୀଲ କର, ନୀଳଞ୍ଜନା ମୁଖାର୍ଜୀ, ଡା. ସୀତାକାନ୍ତ ଦାଶ ପ୍ରମୁଖ ଯୋଗଦେଇ ଆଲୋଚନା କରିଥିଲେ। ସମ୍ବାଦ ଗ୍ରୁପର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନୟକ ସ୍ବାଗତ ଭାଷଣ ଦେଇଥିଲେ। ସମ୍ବାଦ ଗ୍ରୁପର ପରିଚାଳନା ନିର୍ଦ୍ଦେଶିକା ମୋନିକା ନୈୟର ପଟ୍ଟନାୟକ ଓ ତନୟା ପଟ୍ଟନୟକ ଅତିଥିଙ୍କୁ ସମ୍ମାନିତ କରିଥିଲେ।

ସମ୍ବନ୍ଧିତ ଖବର