ନଦୀରୁ ମିଳିଲା ମା-ଝିଅଙ୍କ ମୃତଦେହ

ଶୌଚ ହେବାକୁ ଯାଇ ବୁଡ଼ିଗଲେ!

ମହାକାଳପଡା: କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ନିକଟ ବାବର ପୋଲ ନିକଟ ଗୋବରୀ ନଦୀରୁ ଆଜି ମା-ଝିଅଙ୍କର ମୃତଦେହ ମିଳିଛି। ମୃତ ମା’ ଓ ଝିଅ ହେଉଛନ୍ତି ସ୍ଥାନୀୟ ଗଗୁଆ (ବନ୍ଧସାହି) ଗ୍ରାମର ଯଦୁମଣି ଜେନାଙ୍କ ପତ୍ନୀ ନେଉଳି (୪୨) ଓ ସାତ ବର୍ଷର ଝିଅ ଝୁନି। ନଦୀରେ ସ୍ଥାନୀୟ ମତ୍ସ୍ୟଜୀବୀମାନେ ମାଛ ଧରିବା ପାଇଁ ଜାଲ ପକାଇବା ସମୟରେ ସେମାନେ ମା-ଝିଅଙ୍କ ମୃତଦେହ ପାଇ ପୁଲିସକୁ ସୂଚନା ଦେଇଥିଲେ। ସ୍ଥାନୀୟ ତନ୍ତିଆପାଳ ସାମୁଦ୍ରିକ ଥାନାରେ ମାମଲା ରୁଜୁ ହେବା ସହ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।

ସୂଚନା ଅନୁଯାୟୀ ଆଜି ସକାଳ ପ୍ରାୟ ୬ଟା ସମୟରେ କେତେକ ମତ୍ସ୍ୟଜୀବୀ ବାବର ପୋଲ ନିକଟ ଗୋବରୀ ନଦୀରେ ଜାଲ ପକାଇବା ସମୟରେ ଏକ ମୃତ ଶିଶୁ କନ୍ୟାର ଶବ ସେମାନଙ୍କ ଜାଲରେ ଲାଗିଥିଲା। ସ୍ଥାନୀୟ ଲୋକେ ମୃତଦେହକୁ ଗଗୁଆ (ବନ୍ଧସାହି ) ଗ୍ରାମର ଯଦୁମଣି ଜେନାଙ୍କ ଝିଅ ଝୁନିର ବୋଲି ଚିହ୍ନଟ କରିଥିଲେ। ତେବେ ଯଦୁମଣିଙ୍କ ପତ୍ନୀ ନେଉଳି ଘରେ ନଥିବା ଜଣାପଡ଼ିବା ପରେ ତାଙ୍କୁ ମଧ୍ୟ ଖୋଜାଖୋଜି କରାଯାଇଥିଲା। ପ୍ରାୟ ୧ ଘଣ୍ଟା ପରେ ବାବର ମେଡ଼ିକାଲ ନିକଟ ଦେଇ ବହିଯାଇଥିବା ଗୋବରୀ ଶାଖା ନଦୀ ମଧ୍ୟରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ମୃତା ନେଉଳିଙ୍କ ସ୍ବାମୀ ଯଦୁମଣି ଦିନ ମଜୁରିଆ ହୋଇଥିବାରୁ ସେ ବଡ଼ିଭୋରୁ ଉଠି ବାବର ବଜାରକୁ କାମ ଖୋଜିବାକୁ ଚାଲିଯାଇଥିଲେ। ଫଳରେ ପତ୍ନୀ ଓ ନିଜ ଝିଅର ମୃତ୍ୟୁ ଖବର ସେ ବିଳମ୍ବରେ ପାଇଥିଲେ। ଅନ୍ୟପକ୍ଷରେ ଉଭୟ ମା-ଝିଅଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅ‌ଞ୍ଚଳରେ ନାନା କଳ୍ପନାଜଳ୍ପନା ଚାଲିଥିବା ବେଳେ ମୃତ ନେଉଳିଙ୍କ ଭାଇ ଶରତ ଜେନା ତାଙ୍କ ଭଉଣୀ ଓ ଭାଣିଜୀ ନଦୀକୁ ଶୌଚ ହେବାକୁ ଯାଇ ବୁଡ଼ି ଯାଇ ପ୍ରାଣ ହରାଇଛନ୍ତି ବୋଲି ସ୍ଥାନୀୟ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତିକରି ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଉଭୟଙ୍କ ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ଆଳି ଡ‌ାକ୍ତରଖାନାକୁ ପଠାଇଛି।

ସମ୍ବନ୍ଧିତ ଖବର