ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କ ମା’ଙ୍କର ଦେହାନ୍ତ, ପାରୋଲ୍ ପାଇଁ ଆବେଦନ କରାଯିବ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାର ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କ ମା’ ଇନ୍ଦୁମତୀ ମେହେରଙ୍କର ଗତକାଲି ଦେହାନ୍ତ ହୋଇଥିବା ଜଣାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଗତକାଲି ଦିନ ୧୧ଟା ବେଳେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ। ସେ ଅସୁସ୍ଥ ହୋଇ ଦୀର୍ଘଦିନ ଧରି ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ୍ ଓ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଇନ୍ଦୁମତୀଙ୍କର ଶବକୁ ପୋଷ୍ଟମର୍ଟମ୍ ୱାର୍ଡରେ ରଖାଯାଇଛି।
ପୁଅ ପୁଞ୍ଜିଲାଲ ଜେଲରୁ ଆସି ମା’ଙ୍କର ଅନ୍ତିମ ସଂସ୍କାର କରିବେ ବୋଲି ଜଣାଯାଇଛି। ଏଥିଲାଗି ଆଜି ପୁଞ୍ଜିଲାଲ ମେହେରଙ୍କ ଓକିଲ ପାଟଣାଗଡ଼ ଏଡିଜେ କୋର୍ଟରେ ଆବେଦନ କରିବେ ବୋଲି ସୂଚନା ମିଳିଛି। ପାରୋଲ ପାଇଁ ଆବେଦନ କରାଯିବ ବୋଲି କୁହାଯାଉଛି।

ସୂଚନାଯୋଗ୍ୟ, ପାର୍ସଲ ବୋମା ବିସ୍ଫୋରଣ ଘଟଣାର ମାଷ୍ଟର ମାଇଣ୍ଡ ପୁଞ୍ଜିଲାଲ ମେହେର ଏବେ ଜେଲରେ ଅଛନ୍ତି । ୨୦୧୮ ଫେବ୍ରୁଆରି ୨୩ ତାରିଖରେ ପାଟଣାଗଡ଼ ଅଂଚଳରେ ଘଟିଥିଲା ପାର୍ସଲ ବୋମା ବିସ୍ଫୋରଣ । ସୌମ୍ୟଶେଖର ଓ ରିମାଙ୍କ ବାହାଘରର ୫ ଦିନ ପରେ ଘରେ ପହଞ୍ଚିଥିଲା ଏକ ଗିଫ୍ଟ ପାର୍ସଲ । ଏହାକୁ ଖୋଲିବା ପରେ ଘଟିଥିଲା ଏହି ଭୟଙ୍କର ବିସ୍ଫୋରଣ । ଆଉ ପୁଞ୍ଜିଲାଲ ଥିଲେ ଏହାର ମାଷ୍ଟର ମାଇଣ୍ଡ ।
କିଛି ଦିନ ପୂର୍ବରୁ ଖବର ଆସିଥିଲା ୬ ଜଣ ଡକାୟତଙ୍କ ସହ ଜେଲରୁ ଫେରାର୍ ହୋଇଯିବା ନେଇ ଯୋଜନା କରିଥିଲେ ପୁଞ୍ଜିଲାଲ। ତେବେ ଫାଟକ ଜଗିଥିବା ୱାର୍ଡର୍ ସାଇରନ୍ ବଜାଇ ଦେବାରୁ ପୁଞ୍ଜିଲାଲଙ୍କର ଫେରାର ଉଦ୍ୟମ ପଣ୍ଡ ହୋଇଥିଲା ।


ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାରେ କ୍ରାଇମବ୍ରାଞ୍ଚ ୬୫ପୃଷ୍ଠାର ଫାଇନାଲ ଚାର୍ଜସିଟ ଏସଡିଜେଏମ କୋର୍ଟରେ ଦାଖଲ କରିଥିଲେ। କ୍ରାଇମବ୍ରାଞ୍ଚ ୭୬ ଜଣ ସାକ୍ଷ୍ୟକୁ ନେଇ ଏହି ଚାର୍ଜସିଟ ଦାଖଲ କରିଥିଲେ। ପୂର୍ବରୁ କ୍ରାଇମବ୍ରାଞ୍ଚ ୩୦୦ ପୃଷ୍ଠାର ଚାର୍ଜସିଟ ଦାଖଲ କରିଥିଲା ।

ସମ୍ବନ୍ଧିତ ଖବର