କରୋନା ଯୋଦ୍ଧାଙ୍କୁ କରୋନା : ମୋଟୁ ଥାନାକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା, ସଂଗରୋଧରେ ରହିଲେ ୭୦ ପୁଲିସ କର୍ମଚାରୀ

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ଆଜି ପୁଣି ୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କିଛି ଦିନ ପୂର୍ବରୁ ଜିଲ୍ଲାରେ କରୋନା ସଂକ୍ରମିତ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଗତ ୧୦ ତାରିଖ ଦିନ ଜଣେ ଚିହ୍ନଟ ହୋଇଥିବା ବେଳେ ଆଜି ୩ ଜଣ ଚିହ୍ନଟ ହୋଇ କୋଭିଡ଼ ହସପିଟାଲରେ ଭର୍ତ୍ତି ହୋଇଛନ୍ତି । ଆଜିର ତିନି ଜଣଙ୍କୁ ମିଶାଇ ଜିଲ୍ଲାରେ ମୋଟ ୨୫ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ତିନି ସଂକ୍ରମିତଙ୍କ ମଧ୍ୟରେ ଜଣେ ସୀମାନ୍ତ ମୋଟୁ ପ୍ରବେଶ ପଥରେ କାର୍ଯ୍ୟରତ ପୁଲିସ ହାବିଲଦାର ଥିବା ବେଳେ ଜଣେ କୋରକୋଣ୍ଡା ତାର୍ଲାକୋଟାସ୍ଥିତ ଟିଏମସିର ପ୍ରବାସୀ ଓ ଅନ୍ୟ ଜଣକ ସେହି ଟିଏମସିର ଆଟାଣ୍ଡାଣ୍ଟ ବୋଲି ଜଣାପଡିଛି। ଜିଲ୍ଲାର ମୋଟ ୨୫ ଜଣ ସଂକ୍ରମିତଙ୍କ ମଧ୍ୟରୁ ୨୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ମୋଟୁ ସୀମାରେ ନିୟୋଜିତ ପୁଲିସ କର୍ମଚାରୀ ସଂକ୍ରମିତ ହେବା ପରେ ଏହି ଅଂଚଳରେ ଭୟର ବାତାବରଣ ଖେଳିଯାଇଛି। ପ୍ରଶାସନ ପକ୍ଷରୁ ମୋଟୁ ଥାନାକୁ ସିଲ୍‌ କରାଯିବା ସହ କଣ୍ଟେନମେଣ୍ଟ ଜୋନ୍‌ ଭାବେ ଘୋଷଣା କରାଯାଇଛି। ଏହି ଥାନାରେ କାର୍ଯ୍ୟରତ ମୋଟ ୭୦ ଜଣ ପୁଲିସ କର୍ମଚାରୀଙ୍କୁ ସଂଗରୋଧରେ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ମୋଟୁ ଥାନାରେ କାର୍ଯ୍ୟରତ ସମସ୍ତ ପୁଲିସ କର୍ମଚାରୀଙ୍କ ନମୂନା ସଂଗ୍ରହ କରାଯାଇଛି ।

ଜିଲ୍ଲାର ସୀମାନ୍ତ ମୋଟୁ ଅଂଚଳ ଦେଇ ରାଜ୍ୟ ବାହାରୁ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ପ୍ରବାସୀ ପ୍ରବେଶ କରିଥାନ୍ତି । ପ୍ରବାସୀଙ୍କୁ ଶୃଙ୍ଖଳିତ ଭାବେ ଆଣିବା ପାଇଁ ସୀମାନ୍ତରେ ପୁଲିସ ଓ ପ୍ରଶାସନିକ କର୍ମଚାରୀ ନିୟୋଜିତ ହୋଇଛନ୍ତି । ତେବେ ଜଣେ ପୁଲିସ କର୍ମଚାରୀ ଏଥିରେ ସଂକ୍ରମିତ ହେବା ପରେ ସେଠାରେ ନିୟୋଜିତ ଥିବା ଅନ୍ୟ ପୁଲିସ କର୍ମଚାରୀଙ୍କ ସ୍ଥାନରେ ନୂତନ କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିବା ଏସ୍‌ପି ସୂଚନା ଦେଇଛନ୍ତି । ଆଜି ଚିହ୍ନଟ ହୋଇଥିବା ଅନ୍ୟ ଦୁଇ ଜଣ କୋରକୋଣ୍ଡା ବ୍ଲକ୍‌ର ତାର୍ଲାକୋଟା ସଂଗରୋଧ କେନ୍ଦ୍ରର ବୋଲି ଜଣାଯାଇଛି । ସେଥିରୁ ଜଣେ ପ୍ରବାସୀ ହୋଇଥିବା ବେଳେ ଆଉ ଜଣେ ଆଟାଣ୍ଡାଣ୍ଟ ଅଛନ୍ତି । ଏହି ସଂଗରୋଧ କେନ୍ଦ୍ରରୁ ମୋଟ ତିନି ଜଣ ଚିହ୍ନଟ ହୋଇସାରିଲେଣି । ଆଟାଣ୍ଡାଣ୍ଟ ଜଣକ କାହା କାହା ସଂସ୍ପର୍ଶରେ ଆସିଛନ୍ତି ଏହାର ଯାଞ୍ଚ ଆରମ୍ଭ କରାଯାଇଛି ।

ସମ୍ବନ୍ଧିତ ଖବର