ସାଂସଦ ସୁରେଶ ପୂଜାରୀଙ୍କୁ କରୋନା

ବରଗଡ଼ : ସାଂସଦ ସୁରେଶ ପୂଜାରୀ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। କୌଣସି ଲକ୍ଷଣ ନଥିଲେ ବି ଶ୍ରୀ ପୂଜାରୀ ଦିଲ୍ଲୀରୁ ଫେରିବା ପରେ ଗତକାଲି ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନିଜର ପରୀକ୍ଷା କରାଇଥିଲେ। ତାଙ୍କର ରିପୋର୍ଟ ପଜିଟିଭ୍‌ ଆସିଥିଲା ବୋଲି ବରଗଡ଼ ଜିଲ୍ଲାପାଳ ତାଙ୍କୁ ସୂଚନା ଦେଇଥିଲେ। ଏହାପରେ ବରଗଡ଼ ଓ ସମ୍ବଲପୁର ଜିଲ୍ଲାପାଳ ଏବଂ ଡାକ୍ତରଙ୍କ ପରାମର୍ଶକ୍ରମେ ସେ ଘରେ ଏକାନ୍ତବାସରେ ଅଛନ୍ତି ଓ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି ବୋଲି ସାଂସଦ ଶ୍ରୀ ପୂଜାରୀ ନିଜେ ଟ୍ବିଟ୍‌ କରି ଜଣାଇଛନ୍ତି। ତେବେ ସେ ପଜିଟିଭ୍‌ ବୋଲି ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ବହୁ ବ୍ୟକ୍ତି ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

ଏ ସଂପର୍କରେ ଶ୍ରୀ ପୂଜାରୀଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି, ଗତ ୪ ଓ ୬ ତାରିଖରେ ଦିଲ୍ଲୀରେ ତାଙ୍କର ବୈଠକ ଥିଲା। ସେଠାରୁ ଫେରିବା ପରେ ଗତକାଲି ବରଗଡ଼ରେ କେତେକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିଲେ। ଡାକ୍ତରଖାନା ଯାଇଥିବା ବେଳେ ନିଜର କୋଭିଡ୍‌ ପରୀକ୍ଷା କରାଇ ନେଇଥିଲେ। ପ୍ରଥମେ ଆଣ୍ଟିଜେନ୍‌ ଟେଷ୍ଟରେ ତାଙ୍କର ନେଗେଟିଭ୍‌ ଆସିଥିଲା। ତେବେ ଆଉ ଏକ ପରୀକ୍ଷା କରିବା ପାଇଁ ଡାକ୍ତରମାନେ କହିବାରୁ ସେ ନମୁନା ଦେଇ ଫେରି ଆସିଥିଲେ। ଆଜି ଅପରାହ୍‌ଣରେ ବରଗଡ଼ ଜିଲ୍ଲାପାଳ ତାଙ୍କୁ ଫୋନ୍‌ କରି ସେ ପଜିଟିଭ୍‌ ଥିବା ଖବର ଦେଇଥିଲେ। ତେବେ ସେ ସଂପୂର୍ଣ୍ଣ ସୁସ୍ଥ ଥିବା ଓ ତାଙ୍କଠାରେ କୌଣସି ଲକ୍ଷଣ ନ ଥିବା ସେ କହିଛନ୍ତି। ଡାକ୍ତରଙ୍କ ପରାମର୍ଶ ମାନି ସେ ରହିଛନ୍ତି ବୋଲି ସାଂସଦ ଶ୍ରୀ ପୂଜାରୀ କହିଛନ୍ତି। ସେପଟେ ସାଂସଦ ଶ୍ରୀ ପୂଜାରୀଙ୍କ ସହ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ନେତା, କର୍ମୀ ଓ ବ୍ୟକ୍ତିବିଶେଷଙ୍କୁ ଚିହ୍ନଟ କରାଯାଉଛି ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ ଶୁକ୍ରବାର ସାଂସଦ ଶ୍ରୀ ପୁଜାରୀ ଦଳୀୟ ନେତାଙ୍କ ସହ ବାଗବାଡ଼ି ଗାଁ ଗସ୍ତ କରି ଆଇଓସିଏଲ୍ ପାଣ୍ଠିରେ କାର୍ଯ୍ୟକାରୀ ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଥିଲେ। ସ୍ଥାନୀୟ ସର୍କିଟ୍‌ ହାଉସ୍‌ରେ ରାତ୍ରୀଯାପନ ବେଳେ ମଧ୍ୟ କିଛି ନେତାଙ୍କ ସହ ଆଲୋଚନା କରିଥିଲେ। ସାଂସଦ ଶ୍ରୀ ପୂଜାରୀଙ୍କ ସହ ବୁଲାବୁଲି କରିଥିବା ଜିଲ୍ଲା ସଭାପତି ଅଶ୍ବିନୀ ଷଡ଼ଙ୍ଗୀଙ୍କ ସମେତ ୫ଜଣ ନେତାଙ୍କୁ ମଧ୍ୟ ହୋମ୍‌ କ୍ବାରାଣ୍ଟିନ୍‌ରେ ରହିବାକୁ ପ୍ରଶାସନ ନିର୍ଦ୍ଦେଶ ଦେଇଛି। ସାଂସଦ ଶ୍ରୀ ପୂଜାରୀ ମାର୍ଚ୍ଚ ମାସରୁ କୋଭିଡ୍‌ କଟକଣା ଲାଗୁ ପରେ ମଧ୍ୟ ନିଜ ନିର୍ବାଚନମଣ୍ଡଳୀର ବିଭିନ୍ନ ସ୍ଥାନ ପରିଦର୍ଶନ କରିଥିଲେ। ଲୋକଙ୍କ ସହ ମିଶି ସମସ୍ୟା ବୁଝିଥିଲେ। ଦଳୀୟ କାର୍ଯ୍ୟକ୍ରମରେ ମଧ୍ୟ ତାଙ୍କ ସଂପୃକ୍ତି ଥିଲା।

ସାଂସଦଙ୍କୁ ପରୀକ୍ଷା କରିଥିବା ଡାକ୍ତରଙ୍କ କହିବା ହେଲା, ସାଂସଦ କରୋନା ସଂକ୍ରମଣର ପ୍ରଥମ ସୋପାନରେ ପହଂଚିଛନ୍ତି, ନତୁବା ‌ଶେଷ ସୋପାନ ଅତିକ୍ରମ କରିବା ଉପରେ। ତେବେ କିଛି ବିପଦ ନାହିଁ ବୋଲି ଡାକ୍ତର ଜଣକ କହିଛନ୍ତି।

ସମ୍ବନ୍ଧିତ ଖବର