ଦୁଇବର୍ଷ ପରେ ହତ୍ୟା ଅଭିଯୁକ୍ତ ଗିରଫ

ବୀରମିତ୍ରପୁର : ପ୍ରାୟ ଦୁଇବର୍ଷ ପୂର୍ବେ ସ୍ଥାନୀୟ ବିଏସ୍ଏଲ୍ ଡାକ୍ତରଖାନା ପରିସରରେ ହୋଇଥିବା ବହୁଚର୍ଚ୍ଚିତ କୋବୀ ଜୟପୁରିଆ ହତ୍ୟାକାଣ୍ଡର ବୀରମିତ୍ରପୁର ପୁଲିସ ପର୍ଦ୍ଦାଫାସ କରି ଅଭିଯୁକ୍ତ ବିନୋଦ କେଶରୀ(୪୧)କୁ ଗିରଫ କରି କୋର୍ଟଚାଲାଣ କରିଛି। ଅନୈତିକ ସମ୍ପର୍କକୁ ବିରୋଧ କରିବା ଏହି ହତ୍ୟାକାଣ୍ଡର ମୂଳ କାରଣ ବୋଲି ଅଭିଯୁକ୍ତ ସ୍ବୀକାର କରିଥିବା କଥା ପୁଲିସ କହିଛି।

୨୦୧୯ ମସିହା ମେ ମାସ ୨୦ତାରିଖ ରାତିରେ କେହି କୋବୀ ଜୟପୁରିଆ(୫୨)ଙ୍କ ମୁଣ୍ଡକୁ ପଥରରେ ଛେଚି ବିଏସ୍ଏଲ୍ ଡାକ୍ତରଖାନା ପରିସରରେ ଫୋପାଡ଼ି ଦେଇଥିବା ଦେଖିବାକୁ ମିଳିଥିଲା। ସେ ସମୟରେ ପୁଲିସ କେସ୍ ନଂ ୬୭/୨୦୧୯ ଦଫା ୩୦୨ରେ ଅଜ୍ଞାତବ୍ୟକ୍ତିଙ୍କ ନାମରେ ମାମଲା ରୁଜୁକରି ତଦନ୍ତ ଚଳାଇଥିଲେ। ଦୀର୍ଘ ଦୁଇବର୍ଷ ପରେ ଅଭିଯୁକ୍ତ ନିକଟରେ ପହଞ୍ଚି ପାରିଛି ପୁଲିସ। ସୁନ୍ଦରଗଡ଼ ଏସ୍‌ପି ସାଗରିକା ନାଥଙ୍କ ନିର୍ଦ୍ଦେଶରେ ଏସ୍‌ଡିପିଓ ମାନସ ରଞ୍ଜନ ପ୍ରଧାନ, ଆଇଆଇସି ଶୁଚିସ୍ମିତା ଦାସ, ଏସ୍‌ଆଇ ଦୋଳମଣି ନାୟକଙ୍କ ସହିତ ତଦନ୍ତକୁ ବ୍ୟାପକ କରିଥିଲେ।

ଅନୁସନ୍ଧାନ ସମୟରେ ବୀରମିତ୍ରପୁର ଜଗନ୍ନାଥ ମନ୍ଦିର ସମ୍ମୁଖରେ ଫୁଲ ଓ ବେଲପତ୍ର ବିକ୍ରି କରୁଥିବା ବିନୋଦ କେଶରୀଙ୍କ ସମ୍ପୃକ୍ତି ସାମ୍ନାକୁ ଆସିଥିଲା। ଅଭିଯୁକ୍ତ ବିନୋଦର ବୀରମିତ୍ରପୁରରେ ଭିକ୍ଷାବୃତ୍ତି କରୁଥିବା ଜଣେ ଭିକାରୁଣୀ ସହିତ ଅନୈତିକ ସଂପର୍କ ଥିଲା। ଘଟଣାଦିନ ରାତିରେ ଉକ୍ତ ମହିଳାଙ୍କ ଅନିଚ୍ଛା ସତ୍ୱେ ବିନୋଦ ପ୍ରେମ ନିବେଦନ କରି ହଇରାଣ କରୁଥିବା ଦେଖି ଜୟପୁରିଆ ବିରୋଧ କରିଥିଲେ। ଏଥିରେ ଉତ୍ତ୍ୟକ୍ତହୋଇ ବିନୋଦ ପାଖରେ ପଡ଼ିଥିବା ଏକ ପଥରରେ ଛେଚି କୋବୀକୁ ହତ୍ୟା କରିଥିଲା। ହତ୍ୟାପରେ ସେ ସ୍ଥାନ ଛାଡ଼ି ସେ ପଳାଇ ଯାଇଥିଲା। ଦୁଇବର୍ଷ ପରେ ପୁଲିସ ଛାନଭିନ୍ କରି ଅପରାଧୀ ବିନୋଦ କେଶରୀ ପାଖରେ ପହଞ୍ଚି ପାରିଥିଲା। ବିନୋଦ ପୁଲିସ ସହିତ ଘଟଣା ସ୍ଥଳକୁ ଯାଇ ସମସ୍ତ ବିଷୟ ବର୍ଣ୍ଣନା କରି ନିଜର ଅପରାଧ ସ୍ୱୀକାର କରିଥିଲା।

ସମ୍ବନ୍ଧିତ ଖବର