ନୟାଗଡ଼ : କରୋନା କଟକଣା ପାଇଁ ଚଳିତ ବର୍ଷ ସୁପ୍ରିମକୋର୍ଟ ବିଶ୍ବ ପ୍ରସିଦ୍ଧ ପୁରୀ ରଥ ଯାତ୍ରା ସମେତ, ସାରା ଓଡ଼ିଶାରେ ରଥଯାତ୍ରା ବନ୍ଦ ପାଇଁ ରାୟ ଦେଇଛନ୍ତି। ଯାହା ଓଡ଼ିଶା ସମେତ ସାରା ବିଶ୍ବରେ ଥିବା ଜଗନ୍ନାଥପ୍ରେମୀଙ୍କୁ ବ୍ୟଥିତ କରିଛି। ଏହି ପରିପ୍ରେକ୍ଷୀରେ କଟକଣା ମଧ୍ୟରେ କେବଳ ପୁରୀରେ ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ଅନୁମତି ଦେବାକୁ ମୋଡିଫିକେସନ ପିଟିସନ୍ ଦାଖଲ କରି ନୟାଗଡ଼ ଜିଲ୍ଲା ଇଟାମାଟିର ଛାତ୍ର ଅଫତାବ ହୋସେନ୍(୧୯) ଏବେ ଚର୍ଚ୍ଚାରେ। ରଥଯାତ୍ରା ନିମନ୍ତେ ଓଡ଼ିଶା ବିକାଶ ପରିଷଦ ପକ୍ଷରୁ ଦାଖଲ ହୋଇଥିବା ମାମଲାରେ ମଧ୍ୟ ଆଫତାବ୍ ପକ୍ଷଭୁକ୍ତ ହୋଇଥିଲେ। ରଥଯାତ୍ରା ଆୟୋଜନ କରିବା ନିମନ୍ତେ ଇଣ୍ଟର୍ଭେନସନ୍ ପିଟିସନ୍ ଦାଖଲ କରିଥିଲେ। କିନ୍ତୁ ରଥଯାତ୍ରା ସଂପୂର୍ଣ୍ଣ ବନ୍ଦ ପାଇଁ ସୁପ୍ରିମକୋର୍ଟଙ୍କ ରାୟକୁ ଆଫତାବ୍ ସହଜରେ ଗ୍ରହଣ କରି ପାରିନାହାନ୍ତି। ଏ ନେଇ ସେ ଆଇନଜୀବୀ ପ୍ରଣୟ କୁମାର ମହାପାତ୍ରଙ୍କ ଜରିଆରେ ମୋଡିଫିକେସନ୍ ପିଟିସନ୍ ଦାୟର କରିଛନ୍ତି। ଆଫତାବ୍ଙ୍କ ଏହି ପିଟିସନ ପରେ ପୁରୀରେ ରଥଯାତ୍ରା ହେବା ନେଇ ଜଗନ୍ନାଥପ୍ରେମୀଙ୍କ ମଧ୍ୟରେ ପୁଣି ଆଶାର ସଞ୍ଚାର ହୋଇଛି। ମୁସଲିମ ସମ୍ପ୍ରଦାୟର ଯୁବକ ଆଫତାବଙ୍କ ଜଗନ୍ନାଥଙ୍କ ପ୍ରତି ଭଲ ପାଇବା, ରଥଯାତ୍ରା ପ୍ରତି ଆଗ୍ରହ ନେଇ ଏବେ ସେ ସାରା ଓଡ଼ିଶାର ଦୃଷ୍ଟି ଆକର୍ଷଣ କରିଛନ୍ତି। ସୋସିଆଲ ମିଡିଆରେ ତାଙ୍କୁ କେହି କେହି ସାଲବେଗଙ୍କ ସହ ତୁଳନା କରୁଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଛୋଟବେଳୁ ଜଗନ୍ନାଥ ସଂସ୍କୃତି ପ୍ରତି ଆଗ୍ରହୀ
ନିଜ ସାହିରେ ଆଠ ବର୍ଷ ହେଲା କରୁଛନ୍ତି ରଥଯାତ୍ରା
ଅଜା ବି ହିନ୍ଦୁ ରୀତିନୀତିକୁ ଭଲ ପାଉଥିଲେ
୨୦୦୧ ମସିହାରେ ଜନ୍ମିତ ଅଫତାବ ବର୍ତ୍ତମାନ ନୟାଗଡ଼ ସ୍ବଂୟଶାସିତ ମହାବିଦ୍ୟାଳୟରେ ଯୁକ୍ତ ତିନି ତୃତୀୟ ବର୍ଷ(ଅର୍ଥନୀତି ସମ୍ମାନ)ର ଛାତ୍ର। ପିଲାବେଳୁ ତାଙ୍କର ଜଗନ୍ନାଥ ସଂସ୍କୃତି ପ୍ରତି ରହିଛି ପ୍ରଗାଢ଼ ଆଗ୍ରହ। ଏପରିକି ତାଙ୍କ ଘରେ ନିଜ ହାତରେ ତିଆରି ଜଗନ୍ନାଥଙ୍କ ମୂର୍ତ୍ତି ସହ ଅନ୍ୟ ହିନ୍ଦୁ ଦେବାଦେବୀଙ୍କ ଫଟୋ ରଖି ପୂଜାର୍ଚ୍ଚନା କରନ୍ତି। ଜଗନ୍ନାଥଙ୍କ ସମ୍ପର୍କିତ ବିଭିନ୍ନ ପୁସ୍ତକ ସଂଗ୍ରହ କରି ଅଧ୍ୟୟନ କରନ୍ତି। ଅଫତାବର ଏଭଳି ରୁଚିକୁ ବାପା ଇମଦାଦ୍ ହୁସେନ, ମା’ ରସିଦା ବେଗମ୍, ସପ୍ତମ ଶ୍ରେଣୀରେ ପାଠ ପଢ଼ୁଥିବା ସାନ ଭାଇ ଅନ୍ମୋଲ୍ ମଧ୍ୟ ସମର୍ଥନ କରନ୍ତି।
ଅଫତାବ୍ ଜଗନ୍ନାଥ ସଂସ୍କୃତି ପ୍ରତି ଆଗ୍ରହୀ ହେବା ପଛରେ ତାଙ୍କ ଅଜା ସ୍ବର୍ଗତ ମୁଲତାବ ଖାଁଙ୍କର ପ୍ରଭାବ ଥିବା କହିଛନ୍ତି। ମୁଲତାବ, ହିନ୍ଦୁ ରାମାୟଣ, ପୁରାଣ ଆଦି ପଢ଼ାରେ ରୁଚି ରଖୁଥିଲେ। ଏଥିରେ ତାଙ୍କର ମଧ୍ୟ ପାଣ୍ଡିତ୍ୟ ଥିଲା, ଏପରିକି ୧୯୬୦ ମସିହାରେ ସେ ନିଜ ଉଦ୍ୟମରେ ତ୍ରିନାଥ ମନ୍ଦିର ପ୍ରତିଷ୍ଠା କରିଥିଲେ। ଯାହା ଏବେବି ଇଟାମାଟି ଅଞ୍ଚଳରେ ରହିଛି। ଅଫତାବଙ୍କର ଜଗନ୍ନାଥ ସଂସ୍କୃତି ପ୍ରତି ରୁଚି ବଢ଼ାଇବାରେ ଇଟାମାଟି ଶିକ୍ଷା ଓ ବୈଷୟିକ ମହାବିଦ୍ୟାଳୟ ଉଦ୍ଭିଦ ବିଜ୍ଞାନ ଅଧ୍ୟାପକ ବଂଶୀଧର ସାହୁଙ୍କ ପ୍ରେରଣା ଥିବା ସେ ସ୍ବୀକାର କରିଛନ୍ତି। ବଂଶୀଧର ଜଣେ ଜଗନ୍ନାଥ ପ୍ରେମୀ ହୋଇଥିବା ବେଳେ ସେ ଏ ସମ୍ପର୍କିତ ବିଭିନ୍ନ ପୁସ୍ତକ ଅଧ୍ୟୟନ କରନ୍ତି। ସେ କହନ୍ତି, ‘ସାର୍ଙ୍କ ନିକଟକୁ ଟ୍ୟୁସନ୍ ପାଇଁ ଯିବା ସମୟରେ ତାଙ୍କଠାରୁ ଅନେକ ବହି ମାଗି ଆଣି ପଢ଼େ, ଯାହା ମତେ ଜଗନ୍ନାଥ ସଂସ୍କୃତି ସମ୍ପର୍କରେ ଅନେକ କଥା ଜାଣିବାର ସୁଯୋଗ ଦେଇଛି। ଅଫତାବଙ୍କ କହିବା କଥା ହେଲା, ‘‘ମନ୍ଦିର ହେଉ କି ମସଜିଦ୍ ମୋ ପାଇଁ କିଛି ମାନେ ରଖେନା। ସାମାଜିକ କଟକଣା ପାଇଁ ମୁଁ ମନ୍ଦିର ଯାଏନି। କିନ୍ତୁ ସର୍ବପ୍ରଥମେ ମୁଁ ଜଣେ ମଣିଷ, ଆମର ପାଳନକର୍ତ୍ତା ଜଣେ ବୋଲି ବିଶ୍ବାସ କରେ।’’
ସବୁଠୁ ରୋଚକ କଥା ହେଲା ଅଫତାବ୍ ନିଜ ସାହିରେ ୨୦୧୨ ମସିହାରୁ ରଥ ଟାଣି ଆସୁଛନ୍ତି। ନିଜ ଘରେ ଥିବା ପ୍ରତିମାକୁ ନିଜ ଦ୍ବାରା ପ୍ରସ୍ତୁତ ରଥରେ ବସାଇ ସାଙ୍ଗସାଥୀଙ୍କ ଦ୍ବାରା ଗାଁ’ ଦାଣ୍ଡରେ ବୁଲାନ୍ତି। ଲକ୍ଡାଉନ୍ ସମୟରେ ଇଦ୍ ପାଳନ ଉପରେ କଟକଣା କରାଗଲା, ସେତେବେଳେ କାହିଁକି ପ୍ରତିବାଦ କଲ ନାହିଁ ପଚାରିବାରୁ, ଅଫତାବ କହିଛନ୍ତି, ଆମେ ଓଡ଼ିଆ, ଜଗନ୍ନାଥ, ରଥଯାତ୍ରା ସାରା ବିଶ୍ବରେ ଆମକୁ ପରିଚୟ ଦେଇଛି। ଇଦ୍ଠାରୁ ଓଡ଼ିଶାବାସୀଙ୍କ ପାଇଁ ରଥଯାତ୍ରା ବଡ଼। ବର୍ଷ ବର୍ଷର ଏହି ପରମ୍ପରା ବନ୍ଦ ହେବା ଉଚିତ ନୁହେଁ। ଭବିଷ୍ୟତରେ ଜଣେ ପ୍ରଶାସନିକ ଅଧିକାରୀ ହେବା ସହ ଜଗନ୍ନାଥଙ୍କ ସମ୍ପର୍କରେ ଗବେଷଣା କରିବାକୁ ଇଚ୍ଛା ଥିବା ଅଫତାବ କହିଛନ୍ତି। ସୋମବାର ଦିନ ସୁପ୍ରିମକୋର୍ଟଙ୍କ ରାୟ ଜଗନ୍ନାଥ ପ୍ରେମୀଙ୍କୁ ନିରାଶ କରିବ ନାହିଁ ବୋଲି ଅଫତାବ୍ ଆଶା ବାନ୍ଧିଛନ୍ତି।