କଟକରେ ନିଆରା ଭାଇଚାରା : ଦେବୀଙ୍କ ମେଢ଼ ତିଆରିରେ ବ୍ୟସ୍ତ ସଇଦା ବିବି

କଟକ : କଟକର ଭାଇଚାରା ସାରା ରାଜ୍ୟରେ ନିଆରା। ବିଶେଷ କରି ଦଶହରା ସମୟରେ ସାରା ସହରରେ ଭିନ୍ନ ପରିବେଶ ଅନୁଭବ ହୁଏ। ସହରବାସୀ ଏକାଠି ହୋଇ କଟକର ଏହି ଗଣପର୍ବରେ ସାମିଲ ହୋଇଯାଆନ୍ତି। ଦଶହରା ପ୍ରସ୍ତୁତିର ବିଭିନ୍ନ କାର୍ଯ୍ୟରେ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ବିଭିନ୍ନ ବ୍ୟକ୍ତିଙ୍କର ଯୋଗଦାନ ରହିଥାଏ। କିନ୍ତୁ ମା’ ଦୁର୍ଗାଙ୍କ ପାଇଁ ଜରି ମେଢ ପ୍ରସ୍ତୁତିରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ସଇଦା ବିବି।

ସଇଦାଙ୍କ ଦ୍ବାରା ତିଆରି ଜରି ମେଢ଼ର ଢେର ଚାହିଦା ରହିଛି। ଦୁର୍ଗା ପୂଜା ପାଇଁ ଜରି ମେଢ଼, ରଥଯାତ୍ରାରେ ଶ୍ରୀଜିଉଙ୍କ ପାଇଁ ଜରିର ଅଳଙ୍କାର ଏବଂ ବାହାଘରରେ ବ୍ୟବହାର ହେଉଥିବା ରଥର ସାଜସଜ୍ଜା ଇତ୍ୟାଦି କାମରେ ନିଜକୁ ନିୟୋଜିତ କରିଛନ୍ତି ସେ। କଟକ ଜଗନ୍ନାଥବଲ୍ଳଭ ଅଞ୍ଚଳର ବାସିନ୍ଦା ସଇଦା ଏବେ ଏହି କାମରେ ପୁରୁଣା ମେଢ ପ୍ରସ୍ତୁତକାରୀଙ୍କୁ ବି ଟକ୍କର ଦେଉଛନ୍ତି।

ସଇଦାଙ୍କ କହିବା ଅନୁଯାୟୀ, ତାଙ୍କ ମାମୁଁ ଏହି ଜରି କାମ କରୁଥିଲେ। ପିଲା ବେଳୁ ଏଥିପାଇଁ ତାଙ୍କର ଆଗ୍ରହ ରହିଥିଲା। ତେଣୁ ଏହି ଜରି କାମ ଶିଖିବା ଉପରେ ଧ୍ୟାନ ଦେଇଥିଲେ। ସେ ଆଲାମଚାନ୍ଦ ବଜାର ସ୍ଥିତ ଦୁର୍ଗା ବାଡ଼ି ମଣ୍ଡପର ଜରି କାମ ନିୟମିତ କରି ଆସୁଛନ୍ତି। ୩ ବର୍ଷ ହେବ ସ୍ବାମୀ ଜାଭିର ଖାନଙ୍କ ମୃତ୍ୟୁ‌ ପରେ ଏହି ଜରି କାମରୁ ଆସୁଥିବା ଆୟରେ ହିଁ ସେ ଦୁଇ ଝିଅଙ୍କ ଲାଳନପାଳନ କରୁଛନ୍ତି।

ବର୍ଷକ ବାର ମାସ ଏହି କାମର ଚାହିଦା ଥାଏ। ଦଶହରା, ରଥଯାତ୍ରା, ବାହାଘର ସମୟରେ ଏଥିପାଇଁ ଅର୍ଡର ମି‌ଳେ। ପାର୍ବଣ ସମୟରେ ଅବଶ୍ୟ ଅଧିକ କାମ କରିବାକୁ ପଡ଼ିଥାଏ। କଟକ ଓ କଟକ ବାହାରୁ ମଧ୍ୟ ଏହି କାମ ପାଇଁ ଅର୍ଡର ଆସିଥାଏ। ପୂଜା ମଣ୍ଡପ ମାନଙ୍କ ଅର୍ଡର ଅନୁଯାୟୀ ମେଢ଼ର ଖର୍ଚ୍ଚ କମ ବେଶି ହୋଇଥାଏ। ତେଣୁ ସେହି ଅନୁଯାୟୀ ରୋଜଗାର ବି ହୋଇଥାଏ ବୋଲି କହନ୍ତି ସଇଦା।

ସଇଦା ବିବିଙ୍କ ସଂପର୍କରେ ମତ ଦେଇ ମେରିଆବଜାର କେଶରପୁର ଦୁର୍ଗା ପୂଜା କମିଟିର ସଭାପତି ବିଜୟ ମହାପାତ୍ର କହିଛନ୍ତି ଯେ, ଚଳିତବର୍ଷ ଆଲାମଚାନ୍ଦ ବଜାର ସ୍ଥିତ ଦୁର୍ଗା ବାଡ଼ି ଠାରେ ତାଙ୍କ ମଣ୍ଡପର ଜରି ମେଢ଼ ତିଆରି ପାଇଁ ଅର୍ଡର ଦିଆଯାଇଛି। ଗତବର୍ଷ ମଧ୍ୟ ସେହିଠାରେ ଜରି ମେଢ଼ ପ୍ରସ୍ତୁତ କରାଯାଇଥିଲା। ଜରି ମେଢ଼ କାରିଗର ସଇଦା ବିବିଙ୍କ କାମ ଖୁବ୍‌ ନିଆରା। ପ୍ରତିବର୍ଷ ସେ ଭିନ୍ନ ଭିନ୍ନ ଆକୃତିର ମେଢ଼ ତିଆରି କରିଥାନ୍ତି। ଅନ୍ୟ କାରିଗରଙ୍କ ଅପେକ୍ଷା ସେହି ମହିଳାଙ୍କ କାମ ସଂପୂର୍ଣ୍ଣ ଭିନ୍ନ ଅଟେ। କଟକ ଭଇଚାରାର ସହର ହୋଇଥିବାରୁ ଏଠାରେ ଜାତି, ଧର୍ମର ଭେଦ ଭାବ ନଥାଏ। ମୁସଲିମ ମହିଳା ଜଣେ ଏପରି କାମ କରି ନିଜର ସ୍ବତନ୍ତ୍ରତା ପ୍ରତିପାଦନ କରି ପାରିଛନ୍ତି।

ସେହିଭଳି କଟକ ମହାନଗର ଶାନ୍ତି କମିଟିର ସଭାପତି ଦେବେନ୍ଦ୍ରନାଥ ସାହୁ କହିଛନ୍ତି ଯେ, କଟକ ସହର ହେଉଛି ପର୍ବପର୍ବାଣୀ ଓ ଭାଇଚାରାର ସହର। ଜରି ମେଢ଼ରେ ମା ପୂଜା ପାଇଥାନ୍ତି। ଅନ୍ୟ ଧର୍ମର ହୋଇ ମଧ୍ୟ ସଇଦାଙ୍କ ଏଭଳି କାମ ସଂପୂର୍ଣ୍ଣ ନିଆରା ଆଉ ପ୍ରଶଂସନୀୟ। ସେହି ମହିଳାଙ୍କ କାମ ଅନ୍ୟ କାରିଗରଙ୍କ ଠାରୁ ବାରି ହୋଇପଡ଼େ।

ସମ୍ବନ୍ଧିତ ଖବର