ନିଆଳି ପରେ କଣ୍ଟାପଡ଼ାରେ ଅଜଣା ଜନ୍ତୁ ଆତଙ୍କ : ଖାଇଲା ୧୧ ମେଣ୍ଢା କଲିଜା 

ନିଆଳି/କଣ୍ଟାପଡ଼ା : ଗତ ଶନିବାର ରାତିରେ କଟକ ଜିଲ୍ଲା ନିଆଳି ବ୍ଲକ୍‌ ଅନ୍ତର୍ଗତ ଅଲଣା ପଞ୍ଚାୟତ ଗୋବିନ୍ଦପଦାରେ ଅଜଣା ଜନ୍ତୁ ୩ଟି ମେଣ୍ଢା ମାରିଥିବା ବେଳେ ଗତକାଲି ମଙ୍ଗଳବାର ରାତିରେ ସମାନ ଢଙ୍ଗରେ ଜନ୍ତୁ କଣ୍ଟାପଡ଼ାରେ ୧୧ଟି ମେଣ୍ଢା ମାରି କଲିଜା ଖାଇଯାଇଛି। ପ୍ରଥମ କରି କଣ୍ଟାପଡ଼ାରେ ଏଭଳି ଘଟଣା ଘଟିଥିବା ବେଳେ ଉଭୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି।

ସୂଚନାଯୋଗ୍ୟ ଯେ ଶନିବାର ରାତିରେ ଅଜଣା ଜନ୍ତୁ ନିଆଳି ବ୍ଲକ୍‌ ଅନ୍ତର୍ଗତ ଅଲଣା ପଞ୍ଚାୟତ ଗୋବିନ୍ଦପଦାର ଗୋବର୍ଦ୍ଧନ ସ୍ୱାଇଁଙ୍କ ତିନିଟି ମେଣ୍ଢା ମାରିଥିବା ବେଳେ  ଢ଼ିଅ ବାଁସାହିର ପହଲି ବେହେରାଙ୍କ ଗୋଟିଏ ମେଣ୍ଢାକୁ ମାରି ଘାଇଲା କରିଥିଲା। ପରେ ଚିକିତ୍ସାଧୀନ ଅବସ୍ଥାରେ ଥିବା ମେଣ୍ଢାଟିର ମଧ୍ୟ ମୃତ୍ୟୁ ଘଟିଛି। ଗତକାଲିି ରାତିରେ ଅଜଣା ଜନ୍ତୁ ପ୍ରଥମ କରି କଣ୍ଟାପଡ଼ା ବ୍ଳକ ଅନ୍ତର୍ଗତ ଅଡ଼ଶପୁର ପଞ୍ଚାୟତ ୮ ନମ୍ବର ଓ୍ଵାର୍ଡ ନଦୀକୂଳସାହିର ବନମାଳୀ ମହାନ୍ତିଙ୍କ ଗୁହାଳରେ ପଶି ୪ଟା ଓ ବାଁପଦାର ଗୁରୁବାରୀ ବେହେରାଙ୍କ ୭ଟି ମେଣ୍ଢା ମାରି କଲିଜା ଖାଇଯାଇଛି। ଜନ୍ତୁ ଆକ୍ରମଣରେ ଗୁରୁବାରୀଙ୍କ ଗୁହାଳ ଖାଲି ହୋଇଯାଇଛି। ଅନ୍ୟପକ୍ଷରେ ଅଳ୍ପକେ ବର୍ତ୍ତି ଯାଇଥିବା ଆଉ ୫ ମେଣ୍ଢାଙ୍କ ସୁରକ୍ଷା ପାଇଁ ବନମାଳୀ ଚିନ୍ତିତ ହୋଇପଡ଼ିଛନ୍ତି।  ବିଳମ୍ବିତ ରାତିରେ ଜନ୍ତୁ ଗୋଟିଏ ପରେ ଗୋଟିଏ ଜୀବନ ନେଇ ଚାଲିଥିବା ବେଳେ ଉଭୟ ପରିବାର ସାମାନ୍ୟ ସୂଚନା ପାଇପାରି ନଥିବା ସୂଚନା ଦେଇଛନ୍ତି।

ଖବର ପାଇ ବନାଞ୍ଚଳ ଅଧିକାରୀ ଶ୍ରୀକାନ୍ତ ବେହେରା ଘଟଣାସ୍ଥଳରେ ପହଞ୍ଚି ପ୍ରାଣୀ ଚିକିତ୍ସକ ଦିଲ୍ଲୀପ କୁମାର ଦାସଙ୍କ ଜରିଆରେ ଶବ ବ୍ୟବଚ୍ଛେଦ କରାଇଛନ୍ତି। ସେହିପରି ନିଆଳି ବ୍ଲକ ଅନ୍ତର୍ଗତ ଅଂଳୋ ପଞ୍ଚାୟତ ବାବଜା ଗ୍ରାମର ପ୍ରଶାନ୍ତ ରାଉତଙ୍କ ଗାଈ ଗୁହାଳରେ ପଶି ଜନ୍ତୁ ୩ ମେଣ୍ଢାର ପେଟ ଚିରି କଲିଜା ଖାଇଯାଇଛି। ରାତିପ୍ରାୟ ୩ଟା ବେଳେ ଜନ୍ତୁକୁ ଦେଖି ଗୁହାଳରେ ବନ୍ଧାଯାଇଥିବା ଗୋରୁ ଡିଆଁଡେଇଁ କରି ବୋବାଳି ପକାଇଥିଲେ। ଶଦ୍ଦ ଶୁଣି ଘର ଲୋକେ ଉଠିବା ବେଳକୁ ୩ଟି ମେଣ୍ଢା ମରିପଡ଼ିଥିବା ଦେଖିବାକୁ ପାଇଥିଲେ।  ସେତେବେଳକୁ ଜନ୍ତୁ ଉଭାନ୍‌ ହୋଇଯାଇଥିଲା। ତେବେ ଏହି ଗୁହାଳ ମଧ୍ୟରୁ କିଛି ଲୋମ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି। ପ୍ରାଣୀ ଚିକିତ୍ସା ଅଧିକାରୀ ଶଶାଙ୍କଶେଖର ନାୟକ ମୃତ ମେଣ୍ଢାର ଶବ ବ୍ୟବଚ୍ଛେଦ କରାଇଛନ୍ତି।

ନିଆଳି ଓ ଅଡ଼ଶପୁର ଅଞ୍ଚଳ ପାଖାପାଖି ହୋଇଥିଲେ ବି କଣ୍ଟାପଡ଼ାରେ ପ୍ରଥମ କରି ମେଣ୍ଢାମୃତ୍ୟୁକୁ ନେଇ ବିଭିନ୍ନ କଳ୍ପନା ଜଳ୍ପନା ପ୍ରକାଶ ପାଇଛି। ରାତିରେ କାକଟପୁର କେନାଲ ପାରି ହୋଇ ଜନ୍ତୁ ମେଣ୍ଢା ମାରିବା ଘଟଣାକୁ ଗ୍ରାମବାସୀ ସହଜରେ ଗ୍ରହଣ କରୁନାହାନ୍ତି। କୌଣସି ଦୁର୍ବୃତ୍ତ ଯୋଜନାବଦ୍ଧ ଭାବେ ଏହି କାଣ୍ଡ କରୁଥିବା ଆଲୋଚନା ହେଉଛି। ପ୍ରକାଶଯୋଗ୍ୟ ଯେ ଗତ ଅଢେଇ ମାସ ତଳେ  ପାଖାପାଖି ୨୫୦ରୁ ଅଧିକ ମେଣ୍ଢାଙ୍କ ଜୀବନ ଯାଇଥିଲା। ଏବେ  ସମାନ ଢଙ୍ଗରେ ମେଣ୍ଢାଙ୍କ ପେଟ ଚିରି କଲିଜା ଗାଏବ ହୋଇଯାଉଛି। ବନବିଭାଗ, ନନ୍ଦନକାନନ ବିଶେଷଜ୍ଞ ଟିମ୍‌ ଓ ପରେ ଶିମିଳିପାଳ ଅଭୟାରଣ୍ୟ ଟିମ, ଡ଼େରାଡ଼ୁନ୍‌ ସ୍ଥିତ ଜାତୀୟ ବନ୍ୟପ୍ରାଣୀ ସଂସ୍ଥାନ ଟିମ୍‌ ନିଆଳିରେ ପହଞ୍ଚି ମେଣ୍ଢା ମୃତ୍ୟୁ ଘଟଣାର ତଦନ୍ତ କରିଥିଲେ। ଯନ୍ତା, ସିସିଟିଭି ଓ ଡ୍ରୋନ୍‌ କ୍ୟାମେରା ଖଞ୍ଜାଯାଇଥିଲା। ଏତେ ସତର୍କତା ସତ୍ତ୍ୱେ ମେଣ୍ଢା ମୃତ୍ୟୁର ସଠିକ୍‌ କାରଣ ଜଣାପଡ଼ିନାହିଁ। ପୁଣି ସାଢେ ୩ମାସ ପରେ ସମାନ ଢଙ୍ଗରେ ଶନିବାର ଓ  ଗତକାଲି ରାତିରେ ୧୪ଟିି ମେଣ୍ଢାଙ୍କ ମୃତ୍ୟୁ ଘଟିଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳର ମେଣ୍ଢାଚାଷୀ ଆତଙ୍କିତ ହୋଇପଡ଼ିଛନ୍ତି।

ସମ୍ବନ୍ଧିତ ଖବର