ମାଓ ସଂଗଠନ‌େର ନେତୃତ୍ବ ପରିବର୍ତନ : କେଶବ କେନ୍ଦ୍ରୀୟ କମିଟି ମହାସଚିବ

ମାଲକାନଗିରି : ସିପିଆଇ ମାଓବାଦୀ ସଂଗଠନରେ ବଡ଼ଧରଣର ନେତୃତ୍ବ ପରିବର୍ତନ ହୋଇଛି। ସଂଗଠନର କେନ୍ଦ୍ରୀୟ କମିଟି ମହାସଚିବ ପଦବିରୁ ଗଣପତି ଇସ୍ତଫା ଦେବା ପରେ ବାସବ ରାଜୁ ଓରଫ ଏନ.କେଶବ ରାଓଙ୍କୁ ନୂଆ ଦାୟିତ୍ବ ମିଳିଛି। ଗତ କିଛି ବର୍ଷ ହେଲା ଗଣପତି ବାରମ୍ବାର ଅସୁସ୍ଥ ହେଉଥିବାରୁ ସେ ପୂର୍ବଭଳି ସଂଗଠନକୁୁ ଅଧିକ ସମୟ ଦେଇପାରୁ ନଥିଲେ। ତେଣୁ ନିଜ ପଦବିରୁ ଇସ୍ତଫା ଦେଇ ନୂଆ ମହାସଚିବ ନିଯୁକ୍ତି ଦେବାକୁ ଗଣପତି କେନ୍ଦ୍ରୀୟ କମିଟିକୁ ପ୍ରସ୍ତାବ ଦେଇଥିଲେ। ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାଓବାଦୀ)ର ୫ମ କେନ୍ଦ୍ରୀୟ ବୈଠକରେ ସବୁ ଦିଗକୁ ବିଚାର କରି ଶେଷରେ ‌କେଶବଙ୍କୁ ସଂଗଠନର ନେତୃତ୍ବ ନେବାକୁ ଦାୟିତ୍ବ ଦିଆଯାଇଛି। ଏନେଇ ସଂଗଠନ ପକ୍ଷରୁ ପ୍ରେସ୍ ବିବୃତ୍ତି ମାଧ୍ୟମରେ ଗଣମାଧ୍ୟମକୁ ଅବଗତ କରାଯାଇଛି।

ଗଣପତିଙ୍କ ଉତ୍‌ଥାନ ଓ ବିଦାୟ:
୧୯୯୧-୯୨ ମସିହାର ପାର୍ଟି ଏକ ପ୍ରକାର କଠିନ ପରିସ୍ଥିତି ଦେଇ ଗତି କରୁଥିଲା। ସେହି ସମୟରେ କେନ୍ଦ୍ରୀୟ କମିଟି ମହାସଚିବ ଥିଲେ କୋଣ୍ଡାପାଲ୍ଲୀ ସୀତାରାମାୟା। ପାର୍ଟିକୁ ସୂଚାରୁରୂପେ ଚଳାଇବା ପାଇଁ ସୀତାରାମାୟାଙ୍କୁ ବହୁ କଷ୍ଟ ସ୍ବୀକାର କରିବାକୁ ପଡ଼ିଥିଲା। ପାର୍ଟିର ଗୋଟିଏ ଗୋଷ୍ଠୀ ସଂଗଠନର ଲକ୍ଷ୍ୟ ନେଇ ସରକାରଙ୍କ ବିରୋଧରେ ଲଢ଼େଇ କରିବା ପରିବର୍ତେ ସୀତାରାମାୟାଙ୍କୁ ହଟାଇବା ପାଇଁ ଯୋଜନା କରିଥିଲେ। ଯାହାଫଳରେ ସଂଗଠନରେ ଫାଟ ସୃଷ୍ଟି ହୋଇଇ ଏକପ୍ରକାର ଦୁର୍ବଳ ହୋଇଯାଇଥିଲା। ଭାଗ ଭାଗ ହେଉଥିବା ସଂଗଠନକୁ ପୁଣି ଯୋଡ଼ିବା ପାଇଁ ଗଣପତି ସାମ୍ନାକୁ ଆସିଥିଲେ। ସଂଗଠନରେ ଚାଲିଥିବା ଗୃହଯୁଦ୍ଧକୁ ନିଜ ବୁଦ୍ଧି ଏବଂ ବିବେକ ବଳରେ ବନ୍ଦ କରିବାରେ ସଫଳ ହୋଇଥିଲେ। ଯାହାଫଳରେ ୧୯୯୫ ମସିହାରେ ପାର୍ଟି ତାଙ୍କୁ ମହାସଚିବ ଭାବେ ଗୁରୁତ୍ବ ଦାୟିତ୍ବ ପ୍ରଦାନ କରିଥିଲା। ୧୯୯୮, ୨୦୦୦ ଏବଂ ୨୦୦୧ରେ ଗଣପତି ସଂଗଠନରେ ବହୁ ସଂସ୍କାର ଆଣି ନୂଆ ବଳ ଦେଇଥିଲେ। ତେଣୁ ସମସ୍ତଙ୍କ ସମର୍ଥନ ତାଙ୍କୁ ମିଳିଥିଲା। ସଂଗଠନର ବିଭିନ୍ନ ଶାଖା ତିଆରି କରି ଜନଯୁଦ୍ଧ ଆରମ୍ଭ କରିଥିଲେ। ୨୦୦୪ ବେଳକୁ ଦେଶର ବିଭିନ୍ନ ସ୍ଥାନରେ ଛୋଟ ଛୋଟ ପାର୍ଟି ଗଠନ ହୋଇ ବିଭିନ୍ନ ସଂଗଠନର ନାମ ଦେଇ ସରକାରଙ୍କ ବିରୋଧରେ ଲଢ଼େଇ କରୁଥିଲେ। ତେବେ ଗଣପତି ସବୁ ଛୋଟ ଛୋଟ ଦଳକୁ ଏକତ୍ର କରି ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାଓବାଦୀ) ଗଠନ କରିବାରେ ସଫଳ ହୋଇଥିଲେ। ନକ୍ସଲବାଡିର ବହୁ ନେତାଙ୍କୁ ସେ ସାମିଲ କରି ସଂଗଠନକୁ ମଜବୁତ କରିଥିଲେ। ତେବେ ଗତ ୨୦୦୭ରେ କେନ୍ଦ୍ରୀୟ କମିଟିର ୯ମ ବୈଠକ ବସିଲା। ଏହି ବୈଠକରେ ମହାସଚିବ ପଦବିକୁ ନେଇ ବହୁ ବାଦବିବାଦ ହୋଇଥିଲା। ତଥାପି ଗଣପତିଙ୍କୁ ହିଁ ଏହି ଦାୟିତ୍ବ ପ୍ରଦାନ କରାଯାଇଥିଲା।

୨୦୧୭ ମସିହା ବେଳକୁ ଦଳକୁ ସଂଗଠିତ ଏବଂ ମଜବୁତ କରିଥିଲେ ହେଁ ନିଜେ ଗଣପତି ଅସୁସ୍ଥ ହୋଇ ଦୁର୍ବଳ ହୋଇଗଲେ। ତେଣୁ ଗତବର୍ଷ ଠାରୁ ମହାସଚିବ ବଦଳିବେ ବୋଲି ଚର୍ଚ୍ଚା ଚାଲିଥିଲା। କେଶବ ଏବଂ ହିଡମାଙ୍କ ମଧ୍ୟରୁ କେହି ଜଣେ ନୂଆ ଦାୟିତ୍ବ ନେବେ ବୋଲି ଶୁଣିବାକୁ ମିଳିଥିଲା। ଶେଷରେ କେଶବ ଶପଥ ନେବା ପରେ ନୂଆ ରଣନୀତି ଅନୁଯାୟୀ କାମ କରିବେ ବୋଲି ସୂଚନା ମିଳିଛି।

କିଏ ସେ କେଶବ ରାଓ?
କେଶବ ରାଓ ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମ ଜିଲ୍ଲାର ଜିୟାନପେଟ ଗ୍ରାମର ବାସିନ୍ଦା। ସେ ଇଂଜିନିୟରିଂରେ ଗ୍ରାଜୁଏଟ। ବୟସ ବର୍ତ୍ତମାନ ୬୪ ବର୍ଷ ହେବ। ବୋମା ତିଆରି କରିବାରେ ନିପୁଣ। ଗରିଲା ଯୁଦ୍ଧରେ ପାରଦର୍ଶିତା ରହିଥିବାରୁ ସେ ବହୁ ଜନଯୁଦ୍ଧରେ ମଧ୍ୟ ସଫଳ ହୋଇଛନ୍ତି। ଆଗକୁ ସେ କେଉଁଭଳି ଆଭିମୁଖ୍ୟ ନେଇ ଲଢ଼େଇକୁ ଆଗକୁ ନେବେ। ସରକାର ଏବଂ ପୁଲିସ ତାଙ୍କୁ କିଭଳି ପ୍ରତିହତ କରୁଛି ତାହା ଦେଖିବାକୁ ବାକି ରହିଲା।

ସମ୍ବନ୍ଧିତ ଖବର