ପୁଣି ନିର୍ବାଚନକୁ ଓହ୍ଲାଇବେ ନାଚିକା ଲିଙ୍ଗା

କୋରାପୁଟ/ନାରାୟଣପାଟଣା: ୧୦ବର୍ଷର ଲମ୍ବା ବ୍ୟବଧାନ ପରେ ପୁଣି ଚର୍ଚ୍ଚାକୁ ଆସିଛି କୋରାପୁଟ ଜିଲ୍ଲାର ନାରାୟଣପାଟଣା ଜିଲ୍ଲା ପରିଷଦ ଆସନ। ୩ ପ୍ରମୁଖ ଦଳ ବଳ କଷାକଷି ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଗୋଟିଏ ନୂଆ ନାଁକୁ ନେଇ ସୃଷ୍ଟି ହୋଇଛି କମ୍ପନ। ସେହି ନାଁ ହେଲା ଚାଷୀ ମୂଲିଆ ଆଦିବାସୀ ସଂଘର ନେତା ନାଚିକା ଲିଙ୍ଗା। ଆସନ୍ତକାଲି ନାଚିକା ଏବଂ ତାଙ୍କ ପୁଅ ରବି ନାଚିକା ପ୍ରାର୍ଥିପତ୍ର ଦାଖଲ କରିବେ ବୋଲି ବୋଲି ଶୁଣିବାକୁ ମିଳୁଛି।

୨୦୧୭ ପଞ୍ଚାୟତ ନିର୍ବାଚନରେ ବି ଜେଲ୍‌ରେ ରହି ନାଚିକା ଲିଙ୍ଗା ପ୍ରାର୍ଥିପତ୍ର ଦାଖଲ କରିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ନିର୍ବାଚନ ଦୌଡ଼ରୁ ବାଦ୍‌ ପଡିଥିଲେ। କିନ୍ତୁ ନାଚିକାଙ୍କ ସମର୍ଥନରେ କେ. ଶାୟାରାଜୁ ସ୍ବାଧୀନ ଭାବେ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ। ୩୬୩୫ ଖଣ୍ଡ ଭୋଟ ପାଇ ଶାୟାରାଜୁ ତୃତୀୟ ସ୍ଥାନରେ ରହିଥିଲେ। ଏହି ଅାସନରେ ବିଜେଡି ଓ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ହୋଇଥିଲା। ମାତ୍ର ୨୫ଖଣ୍ଡ ଭୋଟ ବ୍ୟବଧାନରେ ବିଜେଡି ପ୍ରାର୍ଥୀ ଲଳିତ ନାରାୟଣ ପରିଡା ବିଜୟୀ ହୋଇଥିଲେ। ଏହାପୂର୍ବରୁ ୨୦୧୨ ମସିହାରେ ନିର୍ଦ୍ବନ୍ଦ୍ବରେ ନାଚିକାଙ୍କ ପ୍ରାର୍ଥୀ ଜୁରୋ ମାଉକା ବିଜୟୀ ହୋଇଥିଲେ। ନିର୍ବାଚନ ପରେ ଜୁରୋ ହିଁ ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚନରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥିଲେ। ତେଣୁ ଏଥର ପୁଅକୁ ଏଠାରେ ପ୍ରାର୍ଥୀ କରି ପତିଆରା ପାଇଁ ନିଶ୍ଚିତ ରୂପେ ଲଢ଼େଇ କରିବେ ବୋଲି ସଂକେତ ମିଳୁଛି। ଯାହାଫଳରେ ନାରାୟଣପାଟଣାରେ ଏଥର ଭିନ୍ନ ଧରଣର ଲଢ଼େଇ ଦେଖିବାକୁ ମିଳିବ ବୋଲି ସମୀକ୍ଷକ କହୁଛନ୍ତି।

ସମ୍ବନ୍ଧିତ ଖବର