ରାୟଗଡ଼ା : ୫ ବର୍ଷରେ ବୁଡ଼ି ମରିଛନ୍ତି ୨୭ରୁ ଊର୍ଦ୍ଧ୍ବ ପର୍ଯ୍ୟଟକ। ଏହା ପୂର୍ବରୁ ଅନେକଙ୍କ ଜୀବନ ମଧ୍ୟ ଯାଇଛି। ସୌନ୍ଦର୍ଯ୍ୟତାକୁ ଉପଭୋଗ କରିବାକୁ ଆସି ଅକାଳରେ ଜୀବନ ହାରୁଥିବା ପର୍ଯ୍ୟଟକଙ୍କ ସୁରକ୍ଷା ପ୍ରତି ଜିଲ୍ଲା ପ୍ରଶାସନ କିମ୍ବା ପର୍ଯ୍ୟଟନ ବିଭାଗ କେହି ତତ୍ପର ନଥିଲେ। ଅଗଷ୍ଟରେ ଆନ୍ଧ୍ରପ୍ରଦେଶର ଏକ ପରିବାର ଝୁଲାପୋଲ ବୁଲିବାକୁ ଆସିଥିବା ବେଳେ ବାପା ଆଗରେ ପୁଅ ଭାସିଯିବା ଏବଂ ପୁଅକୁ ବଞ୍ଚାଇବା ପାଇଁ ବାପା ନଦୀଗର୍ଭକୁ ଡେଇଁବା ଘଟଣା ପରେ ଚେତିଛି ପ୍ରଶାସନ। ଝୁଲାପୋଲକୁ ସିଲ୍ କରିବା ସହ ପର୍ଯ୍ୟଟକଙ୍କ ଭ୍ରମଣ ଉପରେ ରୋକ୍ ଲଗାଇଛି।
ନାଗାବଳୀ ନଦୀ ଯୋଗୁ ରାୟଗଡ଼ା ବ୍ଲକର ୮ ମାଓ ପ୍ରବଣ ପଞ୍ଚାୟତ ବର୍ଷା ଦିନରେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ରହୁଥିଲେ। ନଦୀରେ ପାଣି ବଢ଼ିଲେ ଏହି ପଞ୍ଚାୟତବାସୀ ରାୟଗଡ଼ା ଜିଲ୍ଲା ସଦର ମହକୁମାରୁ ବିଚ୍ଛିନ୍ନ ହୋଇ ଶିକ୍ଷା, ସ୍ବାସ୍ଥ୍ୟ ସମେତ ସରକାରଙ୍କ ଅନ୍ୟ ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ହୋଇ ଆସୁଥିଲେ। ପୋଲ ନିର୍ମାଣ ପାଇଁ ବହୁ ଦାବି ହୋଇ ଆସୁଥିଲେ ମଧ୍ୟ ପଥୁରିଆ ଓ ନଦୀର ଗଭୀରତା ଯୋଗୁ ନିର୍ମାଣ ସମ୍ଭବ ହୋଇପାରୁନଥିବାରୁ ଯାତାୟାତ ବିକଳ୍ପ ଭାବେ ପ୍ରଶାସନ ଝୁଲାପୋଲ ନିର୍ମାଣ ଲାଗି ନିଷ୍ପତ୍ତି ନେଇଥିଲା। ଆଇଏପି ଯୋଜନାରେ ଦେଢ଼ କୋଟି ବ୍ୟୟରେ ୨୦୧୧ ନଭେମ୍ବରରେ ଝୁଲାପୋଲର ନିର୍ମାଣ ଆରମ୍ଭ ହୋଇଥିଲା। କର୍ଣ୍ଣାଟକର ଭାରତ ଗ୍ରାମ ସେତୁ ପ୍ରତିଷ୍ଠାନ ଚିଫ୍ ଗିରିଶ ଭରଦ୍ବାଜଙ୍କ ଡିଜାଇନରେ ନିର୍ମାଣ ଆରମ୍ଭ ହୋଇ ୨୦୧୨ ମାର୍ଚ୍ଚରେ ପୋଲ ନିର୍ମାଣ ସରିଥିଲା। ୧୦୦ ଫୁଟ୍ ଉପରେ ନିର୍ମିତ ୧୫୧ ମିଟର ଲମ୍ବର ଝୁଲାପୋଲ ସଂପୂର୍ଣ୍ଣ ଲୁହା ତାରରେ ନିର୍ମିତ ହୋଇଛି। ଯାହା ରକ୍ଷଣାବେକ୍ଷଣ ଅଭାବରୁ ଏବେ ବିପଦସଙ୍କୁଳ ଅବସ୍ଥାରେ ରହିଛି। ୟା ଭିତରେ ୮ ପଞ୍ଚାୟତକୁ ସଂଯୋଗ ପାଇଁ ନାଗାବଳୀ ଉପରେ ୬ରୁ ଊର୍ଦ୍ଧ୍ବ ସ୍ଥାୟୀ ପୋଲ ନିର୍ମାଣ ସରିଲାଣି।ତେବେ ପର୍ଯ୍ୟଟନ ଭିତ୍ତିଭୂମି ଦୃଷ୍ଟିରୁ ଏହି ପୋଲ ଏବେ ଲୋକଙ୍କ ଆକର୍ଷଣ ପାଲଟିଛି।
ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀଙ୍କ ମନ୍ଦିର ନିକଟରୁ ୩ କିମି ଦୂରରେ ରହିଛି ନାଗାବଳୀ ନଦୀ ଓ ଝୁଲାପୋଲ। ଝୁଲାପୋଲ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଥିବାରୁ ମନ୍ଦିରକୁ ଆସୁଥିବା ବାହାର ରାଜ୍ୟ ଓ ଜିଲ୍ଲାର ଭକ୍ତ ଏହି ଅଞ୍ଚଳକୁ ବୁଲିବାକୁ ଆସିଥାନ୍ତି। ଝୁଲାପୋଲ ବୁଲିବା ସହ ସଭିଏଁ ନଦୀକୁ ଯାଇ ଗାଧୋଇ ପଥୁରିଆ ଶଯ୍ୟାରେ ଫଟୋ ଉଠାଇଥାନ୍ତି। ଝୁଲାପୋଲ ତଳେ ନାଗାବଳୀ ଗଭୀର ସ୍ରୋତରେ ପ୍ରବାହିତ ହେଉଥିବା ବେଳେ ଅସାବଧାନତାବଶତଃ ନଦୀଗର୍ଭକୁ ଯାଉଥିବା ଅନେକ ପର୍ଯ୍ୟଟକ ଭାସିଯାଇ ମୃତ୍ୟୁବରଣ କରୁଛନ୍ତି। ଅକାଳରେ ବହୁ ଜୀବନ ଚାଲି ଯାଉଥିବାରୁ ଏହି ଅଞ୍ଚଳକୁ ନିଷିଦ୍ଧାଞ୍ଚଳ ଭାବେ ଘୋଷଣା କରିବା ପାଇଁ ରାୟଗଡ଼ାର ବହୁ ସଂଗଠନ ଦାବି ଉଠାଇଥିଲେ। ଯାହାକୁ ଜିଲ୍ଲା ପ୍ରଶାସନ ବିଚାରକୁ ନେଇ ଆଜି ଝୁଲାପୋଲର ଉଭୟ ପାର୍ଶ୍ବ ରାସ୍ତାକୁ ଲୁହା ରଡ୍ ମାଧ୍ୟମରେ ୱେଲଡିଂ କରି ସିଲ୍ କରିଛି।