ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ରାଇରଙ୍ଗପୁରର ସହିଦ ନନ୍ଦୁରାମ ସୋରେନଙ୍କ ଶେଷକୃତ୍ୟ ସଂପନ୍ନ

ରାଇରଙ୍ଗପୁର: ପୂର୍ବ ଲଦାଖର ଗଲଓ୍ଵାନ ଉପତ୍ୟକାରେ ଭାରତ-ଚୀନ ଲଢ଼େଇରେ ଗତ ସୋମବାର-ମଙ୍ଗଳବାର ରାତି ସହିଦ ହୋଇଥିବା ୨ ଜଣ ଓଡ଼ିଆ ଯବାନଙ୍କ ମଧ୍ୟରୁ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରର ସହିଦ ନନ୍ଦୁରାମ ସୋରେନ ପଞ୍ଚଭୂତରେ ଲୀନ ହୋଇଛନ୍ତି। ତାଙ୍କ ଗାଆଁ ବଡ଼ଚମ୍ପାଉଦାଠାରେ ମରଶରୀରରେ ପୁତୁରା କାହ୍ନୁ ମାଝି ମୁଖାଗ୍ନି ଦେଇଥିବା ଜଣାଯାଇଛି। ଏହା ପୂର୍ବରୁ ସହିଦ ନନ୍ଦୁରାମ ସୋରେନଙ୍କୁ ଗାର୍ଡ ଅଫ ଅନର ଦିଆଯାଇଥିଲା।

ଏହି ଅବସରରେ ସେଠାରେ ମୟୂରଭଞ୍ଜ ଲୋକସଭା ସଦସ୍ୟ ବିଶେଶ୍ବର ଟୁଡୁ, ମନ୍ତ୍ରୀ ସୁଦାମ ମାରାଣ୍ଡି, ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, ଗତକାଲି ସହିଦ ନନ୍ଦୁରାମ ସୋରେନଙ୍କ ପାର୍ଥିବ ଶରୀର ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିଥିଲା। ସେନାର ଏକ ସ୍ୱତନ୍ତ୍ର ବିମାନରେ ଯବାନଙ୍କ ପାର୍ଥିବ ଶରୀର ଏଠାରେ ପହଞ୍ଚିଥିଲା ବିମାନ ବନ୍ଦରରେ ପାର୍ଥିବ ଶରୀର ପହଞ୍ଚିବା ପୂର୍ବରୁ ଏଠାରେ ଆବଶ୍ୟକୀୟ ପ୍ରସ୍ତୁତି କରାଯାଇଥିଲା।

ସହିଦ ଯବାନଙ୍କୁ ଶେଷ ସମ୍ମାନ ଜଣାଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଜଳ, ସ୍ଥଳ ଓ ବାୟୁସେନାବାହିନୀ, ପୁଲିସ ଓ ରାଜନେତା ପହଞ୍ଚିଥିଲେ । ସେହିଭଳି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ମଧ୍ୟ ପହଞ୍ଚିଥିଲେ । ସହିଦଙ୍କ ମରଶରୀରରେ ଶ୍ରଦ୍ଧାଞ୍ଜଳି ଦିଆଯିବା ପରେ ଏହା କନ୍ଧମାଳ ଓ ମୟୂରଭଞ୍ଜ ଅଭିମୁଖେ ଯିବ ଜନ୍ମମାଟିରେ ମରଶରୀର ପହଞ୍ଚିବା ପରେ ସହିଦ ଯବାନଙ୍କୁ ପରିବାର ଓ ବନ୍ଧୁବର୍ଗ, ଗ୍ରାମବାସୀ ତଥା ସ୍ଥାନୀୟ ଅଞ୍ଚଳର ଲୋକେ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ଏହା ପରେ ଗାଁ ମଶାଣିରେ ଆଜି ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ସହିଦ୍‌ ଯବାନମାନଙ୍କର ଶେଷକୃତ୍ୟ ସଂପନ୍ନ ହୋଇଛି।

ସୂଚନାଯୋଗ୍ୟ, ଗଲଓ୍ଵାନ ଉପତ୍ୟକାରେ ଚଳିତ ମାସ ୧୫ ଓ ୧୬ ତାରିଖ ରାତିରେ ୨୦ ଜଣ ଭାରତୀୟ ଯବାନ ସହିଦ ହୋଇଥିଲେ। ଏଥିରେ ଓଡ଼ିଶାରୁ କନ୍ଧମାଳ ଜିଲ୍ଲାର ରାଇକିଆ ବ୍ଲକ୍‌ ବିଅରପାଙ୍ଗା ଗ୍ରାମର ଚନ୍ଦ୍ରକାନ୍ତ ପ୍ରଧାନ (୨୮) ଓ ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବଡଚମ୍ପାଉଦା ଗ୍ରାମର ସ୍ୱର୍ଗତ କାହ୍ନୁ ସୋରେନଙ୍କ ପୁଅ ନନ୍ଦୁରାମ (୪୩) ସାମିଲ ଥିଲେ।

ସମ୍ବନ୍ଧିତ ଖବର