ନରସିଂହ ମିଶ୍ରଙ୍କ ଭ୍ରାତୃ ବିୟୋଗ

ବଲାଙ୍ଗୀର : ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ରଙ୍କ ଭାଇ ସୁଧାଂଶୁ ଶେଖର ମିଶ୍ର (ସୁଦାମ, ୬୯ବର୍ଷ)ଙ୍କ ପରଲୋକ ହୋଇଯାଇଛି। ସେ ଗତ କିଛି ମାସ ହେଲା ଅସୁସ୍ଥ ଥିଲେ। ପରିବାର ବର୍ଗ ତାଙ୍କୁ ସମ୍ବଲପୁରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ। ଆଜି ଅପରାହ୍ନ ୨ଟା ୩୦ମିନିଟ ସମୟରେ ତାଙ୍କର ପରଲୋକ ଘଟିଛି।

ସ୍ୱର୍ଗତ ମିଶ୍ର ନିଜ ଗାଁ ଛତାମଖନାରେ ରହୁଥିଲେ। ସେ ଗାଁ ସ୍କୁଲରୁ ପ୍ରାଥମିକ ପାଠ ପଢ଼ିସାରିବା ପରେ ହାଇସ୍କୁଲ ପାଠ୍ୟକ୍ରମ ବଲାଙ୍ଗୀର ଓ ରାଜେନ୍ଦ୍ର କଲେଜରେ ପାଠ ପଢ଼ିଥିଲେ। ପରେ ସମ୍ବଲପୁର ୟୁନିଭରସିଟିରେ ପାଠ ପଢ଼ିଥିଲେ। ଏମଏ ବିଇଡି ପାଠ୍ୟକ୍ରମ ପରେ ଛତାମଖନା ହାଇସ୍କୁଲରେ ଶିକ୍ଷକତା କରିଥିଲେ। ୨୦୧୦ ମସିହାରେ ସେ ପ୍ରଧାନ ଶିକ୍ଷକ ପଦରୁ ଅବସର ଗ୍ରହଣ କରିଥିଲେ। ଛତାମଖନା ଯୁଧିଷ୍ଠିର ମହାବିଦ୍ୟାଳୟର ପ୍ରତିଷ୍ଠାତା ସଂପାଦକ ଥିଲେ। ଅବସର ପରେ ମଧ୍ୟ ସେ ମହାବିଦ୍ୟାଳୟର ବିକାଶ ଦିଗରେ ଚେଷ୍ଟିତ ଥିଲେ। ଛାତ୍ରମାନଙ୍କ ସହ ତାଙ୍କ ସୁସଂପର୍କ ରହିଥିଲା। ଶେଷ ସମୟରେ ପତ୍ନୀ ସୁଧାରାଣୀ, ପୁଅ ରାହୁଲ, ବୋହୂ ପ୍ରଜ୍ଞା, ବଡ଼ ଝିଅ କାଦମ୍ବିନୀ, ବଡ଼ ଜ୍ୱାଇଁ ଶ୍ରୀରାମ, ସାନ ଝିଅ ସଂଗୀତା ଓ ଜ୍ୱାଇଁ ଦେବାଶିଷଙ୍କ ସମେତ ପରିବାର ବର୍ଗ ଉପସ୍ଥିତଥିଲେ। ବିଧାନସଭା ଚାଲୁ ରହିଥିବା ବେଳେ ବିଧାୟକ ନରସିଂହ ମିଶ୍ର ଭୁବନେଶ୍ୱରରେ ଥିଲେ। ଖବର ପାଇବା ପରେ ସେ ବଲାଙ୍ଗୀର ଗସ୍ତ କରିଛନ୍ତି।

ସୂଚନାଯୋଗ୍ୟ ଯେ, ସମ୍ବିଧାନ ପ୍ରଣୟନ ସଭାର ପୂର୍ବତନ ସଦସ୍ୟ ତଥା ପ୍ରଖ୍ୟାତ ଆଇନଜୀବୀ ସ୍ୱର୍ଗତ ଯୁଧିଷ୍ଠିର ମିଶ୍ରଙ୍କ ଦଶ ପୁଅ ଓ ଗୋଟିଏ ଝିଅଙ୍କ ମଧ୍ୟରୁ ସୁଦାମ ସାତ ନମ୍ବର ସନ୍ତାନ ଅଟନ୍ତି।

ସମ୍ବନ୍ଧିତ ଖବର