ଜାତୀୟ ସ୍ୱେଚ୍ଛାକୃତ ରକ୍ତଦାନ ଦିବସ : ଅଧିକ ସ୍ୱେଚ୍ଛାକୃତ ରକ୍ତଦାନ ଉପରେ ଗୁରୁତ୍ୱ

ସ୍ୱେଚ୍ଛାକୃତ ରକ୍ତଦାନ ପାଇଁ ‘ଆମ ଓଡ଼ିଶା’ ପୁରସ୍କୃତ

ଭୁବନେଶ୍ୱର : ରାଜ୍ୟରେ ବାର୍ଷିକ ୪.୫ଲକ୍ଷ ୟୁନିଟ୍ ରକ୍ତର ଆବଶ୍ୟକତା ରହିଛି। ଗତବର୍ଷ ୪ଲକ୍ଷ ୨୭ହଜାର ୭ୟୁନିଟ୍‌ ରକ୍ତ ସଂଗ୍ରହ ହୋଇପାରିଛି। ସେଥିରୁ ୧ଲକ୍ଷ ୮୫ହଜାର ୯୫୫ୟୁନିଟ୍ ରକ୍ତ ୩୨୦୪ଟି ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଜରିଆରେ ସଂଗ୍ରହ ହୋଇପାରିଛି। ଅଧିକରୁ ଅଧିକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା।

ଆଜି ହେଉଛି ଜାତୀୟ ସ୍ୱେଚ୍ଛାକୃତ ରକ୍ତଦାନ ଦିବସ। ଏହି ଉପଲକ୍ଷେ ଜୟଦେବ ଭବନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଶ୍ରୀ ଜେନା କହିଲେ, ସୁରକ୍ଷିତ ରକ୍ତ, ଗୁଣବତ୍ତା ଓ ରକ୍ତ ଆବଶ୍ୟକ କରୁଥିବା ରୋଗୀଙ୍କୁ ସହଜରେ ରକ୍ତର ଉପଲବ୍ଧ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ପ୍ରଥମ ପର୍ଯ୍ୟାୟରେ କ୍ୟାପିଟାଲ ହସ୍ପିଟାଲ, ବିଏମ୍‌ସି ହସ୍ପିଟାଲ, କେନ୍ଦ୍ରୀୟ ରକ୍ତଭଣ୍ଡାର କଟକ ଓ ଏସ୍‌ସିବି, ଏମ୍‌କେସିଜି ଓ ଭିମ୍‌ସାର ରକ୍ତଭଣ୍ଡାରରେ ନାଟ୍ ପ୍ରଣାଳୀରେ ରକ୍ତ ପରୀକ୍ଷା କରାଯିବାର ବ୍ୟବସ୍ଥା କରାଯାଇଛି। ଆଗାମୀ ଦିନରେ ଅନ୍ୟ ରକ୍ତ ଭଣ୍ଡାରରେ ଏହି ବ୍ୟବସ୍ଥା କରାଯିବ। ସେହିପରି ଏବେ ୧୪ଟି ରକ୍ତ ଉପାଦାନ ପୃଥକୀକରଣ ୟୁନିଟ୍ କାର୍ଯ୍ୟ କରୁଛି। ଖୁବଶୀଘ୍ର ବାଲେଶ୍ୱର, ବାରିପଦା, କେନ୍ଦୁଝର, କୋରାପୁଟ, ବରଗଡ଼, ବଲାଙ୍ଗୀର ଓ ରାଉରକେଲାଠାରେ ଏହି ୟୁନିଟ୍ ପ୍ରତିଷ୍ଠା କରାଯିବ। ସ୍ୱେଚ୍ଛାକୃତ ରକ୍ତଦାନ କରି ଅମୂଲ୍ୟ ଜୀବନ ବଞ୍ଚାଇବା ଦିଗରେ ସହାୟକ ହେବାକୁ ଶ୍ରୀ ଜେନା ଆହ୍ବାନ କରିଥିଲେ।

ସ୍ୱାସ୍ଥ୍ୟ ସଚିବ ଡା.ପ୍ରମୋଦ କୁମାର ମେହେର୍ଦା କହିଲେ, ସୁରକ୍ଷିତ ରକ୍ତ ପାଇଁ ରାଜ୍ୟ ସରକାର ସମସ୍ତ ରକ୍ତ ଭଣ୍ଡାରକୁ ନୋଇଡାସ୍ଥିତ ଜାତୀୟ ଜୀବନ ବିଜ୍ଞାନ ପ୍ରତିଷ୍ଠାନ ସହିତ ସଂଯୋଗ କରାଯାଇଛି। ସିକିଲସେଲ ଓ ଥାଲାସେମିଆ ରୋଗର ନିୟନ୍ତ୍ରଣ ପାଇଁ ସିଏମ୍‌ସି ଭେଲୋର ସହିତ ବୁଝାମଣା ସ୍ବାକ୍ଷର କରାଯାଇଛି। ବୁଝାମଣାପତ୍ର ଅନୁଯାୟୀ, ବାଲେଶ୍ୱର, ସମ୍ବଲପୁର, କୋରାପୁଟ ଓ କଟକରେ ପରୀକ୍ଷାମୂଳକଭାବେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବ। ଏହାସହିତ ଥାଲାସେମିଆ, ସିକିଲସେଲ, ଆନିମିଆ ଓ ହେମୋଫୋଲିଆରେ ଆକ୍ରାନ୍ତ ରୋଗୀମାନଙ୍କୁ ଯାତାୟାତ ଖର୍ଚ ବାବଦକୁ ୫ଶହ ଟଙ୍କା ଓ ସ୍ୱେଚ୍ଛାକୃତ ରକ୍ତଦାତାଙ୍କୁ ଜଳଖିଆ ବାବଦକୁ ୬୦ଟଙ୍କା ଲେଖାଏଁ ପ୍ରଦାନ କରିବାର ବ୍ୟବସ୍ଥା କରାଯାଇଛି। ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ଦେବାଶିଷ ସାମନ୍ତରାୟ ଉପସ୍ଥିତ ରହି ସ୍ୱେଚ୍ଛାକୃତ ରକ୍ତଦାନ ପାଇଁ ଆଗେଇ ଆସିବାକୁ ଆହ୍ବାନ କରିଥିଲେ।

ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ରକ୍ତଦାନ ପାଇଁ ଉଲ୍ଲେଖନୀୟ ସଫଳତା ପାଇଁ ଅନୁଷ୍ଠାନ, ରକ୍ତଭଣ୍ଡାରଙ୍କୁ ପୁରସ୍କୃତ କରାଯାଇଥିଲା। ଗତବର୍ଷ ପାଇଁ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପ୍ରଥମ, ରାଜଧାନୀସ୍ଥିତ ମ୍ୟୁନସିପାଲଟି ହସ୍ପିଟାଲ ଦ୍ବିତୀୟ ଓ କ୍ୟାପିଟାଲ ହସ୍ପିଟାଲ ତୃତୀୟ, ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଚତୁର୍ଥ, ରକ୍ତ ପୃଥକୀକରଣ ୟୁନିଟ୍ ପାଇଁ କଟକ ଏସ୍‌ସିବି ମେଡିକାଲ କଲେଜ, ଟିଏସ୍‌ପି ଅଧୀନରେ ଥିବା ଶ୍ରେଷ୍ଠ ରକ୍ତଭଣ୍ଡାର ପାଇଁ ବାରିପଦା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, କେବିକେ ଜିଲ୍ଲାରେ କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପୁରସ୍କୃତ କରାଯାଇଥିଲା। ସେହିପରି ସ୍ୱେଚ୍ଛାକୃତ ରକ୍ତଦାନ କ୍ଷେତ୍ରରେ ଗତବର୍ଷ ପାଇଁ ଜୀବନ ବିନ୍ଦୁ, ଆମ ଓଡ଼ିଶା ଓ ସତ୍ୟସାଇ ସେବା ସଂଗଠନକୁ ପୁରସ୍କୃତ କରାଯାଇଥିଲା। ଲଗାତାର ୧୨ଥର ଲାଗି ‘ଆମ ଓଡ଼ିଶା’ ସ୍ୱେଚ୍ଛାକୃତ ରକ୍ତଦାନ ପାଇଁ ପୁରସ୍କାର ହାସଲ କରିଛି। ଗତବର୍ଷ ରାଜ୍ୟର ସମସ୍ତ ବ୍ଲକ୍‌ରେ ୧୪୪୪ଟି ଶିବିର ଅନୁଷ୍ଠିତ ହେବା ସହିତ ୬୫ହଜାର ୪୪୯ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା। ଯାହାକି ଏକ ରେକର୍ଡ। ‘ଆମ ଓଡ଼ିଶା’ ସଂପାଦକ ସ୍ୱରାଜ ମିଶ୍ର ଏହି ପୁରସ୍କାର ଗ୍ରହଣ କରିଥିଲେ।

ଅଡ଼ଶପୁରସ୍ଥିତ ୟୁଏନ୍ ସ୍ୱୟଂଶାସିତ ମହାବିଦ୍ୟାଳୟ ୟୁଥ ରେଡକ୍ରସ୍ କ୍ଷେତ୍ରରେ ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ ଦାମନଯୋଡ଼ିର ଏସ୍‌ଭିଏମ୍ ଦ୍ବିତୀୟ ଓ ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ ତୃତୀୟ ସ୍ଥାନ ହାସଲ କରିଛି। ସେହିପରି ସ୍ୱେଚ୍ଛାକୃତ ରକ୍ତଦାନ ପାଇଁ ଏଚ୍‌ଡିଏଫ୍‌ସି ବ୍ୟାଙ୍କ, ଭୁବନେଶ୍ବରସ୍ଥିତ ପରିବର୍ତନ ଫାଉଣ୍ଡେସନ୍, ଗୁନୁପୁରର ଜିଆଇଟି, ଦୁଖୀ ସମାଜ, ଏନ୍‌ଆଇଟି ରାଉରକେଲା, କଟକସ୍ଥିତ ନାରାୟଣ ଚାରିଟେବୁଲ ଟ୍ରଷ୍ଟ, ସମ୍ବଲପୁର ପୁଲିସ ଓ କୋରାପୁଟର ସେବା ଭାରତୀ ଅନୁଷ୍ଠାନକୁ ସ୍ବତନ୍ତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା।

କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟ ବିଭାଗର ସ୍ବତନ୍ତ୍ର ସଚିବ(ମେଡିକାଲ ସେବା) ଡା.ବି.କେ ବ୍ରହ୍ମା ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ରକ୍ତ ସଂଚାରଣ ପରିଷଦର ନିର୍ଦେଶକ ଡା.ଦୀପକ କୁମାର ଦାସମହାପାତ୍ର ଧନ୍ୟବାଦ ଦେଇଥିଲେ। ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।

ସମ୍ବନ୍ଧିତ ଖବର