ରାଜ୍ୟ ସଂଗ୍ରହାଳୟରେ ଖୋଲିଲା ନୌବାଣିଜ୍ୟ ଗ୍ୟାଲେରି

ଭୁବନେଶ୍ୱର : ରାଜ୍ୟ ସଂଗ୍ରହାଳୟରେ ଖୋଲିଛି ନୌବାଣିଜ୍ୟ ଗ୍ୟାଲେରି। ସମଗ୍ର ଦେଶର ପ୍ରାଚୀନ ବନ୍ଦରଠୁ ନେଇ ଓଡ଼ିଶାର ପ୍ରାଚୀନ ବନ୍ଦରର ଇତିହାସ ଏବଂ ସମୟାନୁକ୍ରମେ ଚାଲି ଆସିଥିବା ନୌବାଣିଜ୍ୟର ପରମ୍ପରାକୁ ଅବଲୋକନ କରିବାର ସୁଯୋଗ ଆଣି ଦେଇଛି ଏହି ଗ୍ୟାଲେରି। ଓଡ଼ିଶାର ପ୍ରାଚୀନ ନୌବାଣିଜ୍ୟର ବିକାଶ ଓ ବ୍ୟାପକତା ବିଷୟରେ ବହୁ ପ୍ରମାଣ ଏଠାରେ ମହଜୁଦ ରହିଛି। ୫୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି ଗ୍ୟାଲେରିରେ ବହୁ ପ୍ରତ୍ନତତ୍ତ୍ବ ଖନନରୁ ମିଳିଥିବା ସାମଗ୍ରୀଗୁଡ଼ିକ ପ୍ରମାଣ ସ୍ବରୂପ ମହଜୁଦ ରଖାଯାଇଛି।

ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ଆୟୋଜିତ ଭର୍ଚୁଆଲ ଉଦ୍‌ଘାଟନୀ ପର୍ବରେ ଏହି ନୌବାଣିଜ୍ୟ ଐତିହ୍ୟ ଗ୍ୟାଲେରିର ଲୋକାର୍ପଣ କରିଛନ୍ତି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ। ଏହା ଜିଜ୍ଞାସୁ, ଗବେଷକମାନଙ୍କ ପାଇଁ ବହୁ ଉପାଦେୟ ବୋଲି ସେ କହିଛନ୍ତି।

ବିଭାଗୀୟ ପ୍ରମୁଖ ଶାସନ ସଚିବ ମନୋରଂଜନ ପାଣିଗ୍ରାହୀ କହିଥିଲେ, ଓଡ଼ିଶାର ବଣିକମାନେ ଦରିଆପାରିରେ ବାଣିଜ୍ୟ କାରବାର ସହ ସାଂସ୍କୃତିକ ଉପନିବେଶ ପ୍ରତିଷ୍ଠା କରିପାରିଥିଲେ। ଜାଭା, ସୁମାତ୍ରା, ବାଲି, ଇଣ୍ଡୋନେସିଆରେ ହିନ୍ଦୁ କିଂବଦନ୍ତି ଓ ଐତିହ୍ୟ ଏହାର ଜ୍ବଳନ୍ତ ଉଦାହରଣ। ବିଭାଗୀୟ ନିର୍ଦେଶକ ବିଜୟ କୁମାର ନାୟକ କହିଥିଲେ, ଆମ ଇତିହାସର ପ୍ରକୃତ ମୂଲ୍ୟାଙ୍କନ କରିବାରେ କିଛିଟା ତ୍ରୁଟି ରହିଛି। ନଚେତ ଓଡ଼ିଆମାନେ ହିଁ ବୋଧହୁଏ ସର୍ବପ୍ରଥମ ଉପନିବେଶ ପ୍ରତିଷ୍ଠା କରିଥିବାର ଅନୁମାନ କରାଯାଏ ବୋଲି ସେ କହିଥିଲେ। ଉତ୍କଳୀୟ ନୌବାଣିଜ୍ୟ ଓ ‌ଦକ୍ଷିଣପୂର୍ବ ଏସୀୟ ଗବେଷଣା ପ୍ରତିଷ୍ଠାନର ସଚିବ ଡ.ସୁନୀଲ କୁମାର ପଟ୍ଟନାୟକ ଗ୍ୟାଲେରି ସମ୍ପର୍କରେ ସବିଶେଷ ବିବରଣୀ ଉପସ୍ଥାପନ କରିଥିଲେ।

ଏହି ଅବସରରେ ପ୍ରତିଷ୍ଠାନ ଦ୍ବାରା ପ୍ରସ୍ତୁତ ଇଂରାଜୀ ପୁସ୍ତିକା ‘ଦି ଇଣ୍ଟିମେଟ୍‌ ଏନ୍‌କାଉଣ୍ଟର୍ସ, ଇୟର୍ଲି ଓଡ଼ିଶା ଆଣ୍ଡ୍‌ ସାଉଥ୍‌ ଇଷ୍ଟ୍‌ ଏସିୟା’ ଏବଂ କରୋନା ମହାମାରୀରେ ପ୍ରପୀଡ଼ିତ ମାନବଜାତିର ପରିବର୍ତ୍ତିତ ଜୀବନଚର୍ଯ୍ୟା, ମାନସିକ ସ୍ଥିତି, ଆତଙ୍କ ଓ ଆଶୀର୍ବାଦକୁ ନେଇ ପ୍ରମୁଖ ଶାସନସଚିବ ମନୋରଂଜନ ପାଣିଗ୍ରାହୀଙ୍କ ରଚିତ ‘ସୃଜନ’ ଓ କ୍ଷୁଦ୍ର ପୁସ୍ତିକା ‘ଲକ୍‌ଡାଉନ୍‌’ ଲୋକାର୍ପିତ ହୋଇଥିଲା।

ସମ୍ବନ୍ଧିତ ଖବର