ହବିଷ୍ୟାଳୀ ଶିବିରରେ ‘ନବୀନ ଭଜନ’, ନଷ୍ଟ ହେଉଛି ଆଧ୍ୟାତ୍ମିକ ପରିବେଶ

ପୁରୀ : ହବିଷ୍ୟାଳୀ ଶିବିରରେ କାର୍ତ୍ତିକ ବ୍ରତର ମୂଳ ଲକ୍ଷ୍ୟ ଦିଗହରା ହେଉଥିବା ଅଭିଯୋଗ ହୋଇଛି। ଭଜନକୀର୍ତ୍ତନ ବଦଳରେ ରାଜନୈତିକ ପରିବେଶ ଏଠାରେ ମୁଣ୍ଡ ଟେକିଛି। ପରିସ୍ଥିତି ଏପରି ହୋଇଛି ଯେ ପ୍ରଶାସନିକ ଅଧିକାରୀମାନେ ହବିଷ୍ୟାଳୀଙ୍କୁ ଭଜନକୀର୍ତ୍ତନ ବଦଳରେ ‘ନବୀନ ଭଜନ’ ଗାନ କରିବାକୁ ପ୍ରବର୍ତ୍ତାଇଛନ୍ତି। ଏହାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ବିଭିନ୍ନ ମହଲରୁ ଏହାକୁ ନିନ୍ଦା କରାଯାଇଛି। ଧର୍ମମାସ କାର୍ତ୍ତିକରେ ଯେଉଁଠି ଭଜନକୀର୍ତ୍ତନରେ ହବିଷ୍ୟାଳୀ ଶିବିର ପ୍ରକମ୍ପିତ ହେବା କଥା ସେଠି ଏଭଳି ସଂଗୀତ ଗାନ କରିବାକୁ ହବିଷ୍ୟାଳୀଙ୍କୁ ଚାପ ପଡ଼ିବା ଧାର୍ମିକ ଭାବନାକୁ କୁଠାରାଘାତ କରୁଛି ବୋଲି ସାଧାରଣରେ ଅଭିଯୋଗ ହୋଇଛି।

ମିଳିଥିବା ସୂଚନା ମୁତାବକ, ବୁଧବାର ଦିନ ବଗଲା ଧର୍ମଶାଳାରେ ହବିଷ୍ୟାଳୀଙ୍କୁ ଏକତ୍ର ବସାଇ ମୁଖ୍ୟମନ୍ତ୍ରୀଙ୍କ ଉପରେ ଲିଖିତ ଭଜନ ଗାନ କରିବାକୁ ହବିଷ୍ୟାଳୀଙ୍କୁ କୁହାଯାଇଥିଲା। ଯେଉଁ ଭଜନରେ ପ୍ରତି ଧାଡ଼ିରେ ମୁଖ୍ୟମନ୍ତ୍ରୀଙ୍କ ଗୁଣଗାନ ହେଉଥିବା ଦେଖିବାକୁ ମିଳିଥିଲା। ଆଉ ପାଖରେ ଜିଲ୍ଲାପାଳଙ୍କ ସହ ଅନ୍ୟ ପ୍ରଶାସନିକ ଅଧିକାରୀମାନେ ବସି ଧ୍ୟାନର ସହ ଶୁଣୁଥିଲେ ଓ ତାଳି ମାରୁଥିଲେ। ଏଭଳି ଭଜନ କାର୍ତ୍ତିକ ବ୍ରତର ପରମ୍ପରା ଓ ଧାର୍ମିକ ଭାବନାକୁ ନଷ୍ଟ କରୁଥିବାବେଳେ ତୁରନ୍ତ ଏହାକୁ ବନ୍ଦ କରିବାକୁ ଶ୍ରୀଜଗନ୍ନାଥ ସଂସ୍କୃତିକୁ ଭଲ ପାଉଥିବା ବୁଦ୍ଧିଜୀବୀମାନେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର