୩୫ ଆଦର୍ଶ ଥାନା ଉଦ୍‌ଘାଟିତ

ପ୍ରତି ଥାନାକୁ ଗୋଟିଏ ବୋଲେରୋ, ଦୁଇଟି ବାଇକ୍‌, ଅପରାଧ ନିୟନ୍ତ୍ରଣରେ ନୂଆ ମାର୍ଗଦର୍ଶନ କରିବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆଜି ୩୫ ଆଦର୍ଶ ଥାନା ଉଦ୍‌ଘାଟିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ବରର ଏୟାରପୋର୍ଟ ଥାନାକୁ ଫିତା କାଟି ଉଦ୍‌ଘାଟନ କରିଥିଲେ। ପରେ ଅନ୍ୟ ୩୪ ଥାନାକୁ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ସଚିବାଳୟରୁ ଉଦ୍‌ଘାଟନ କରାଯାଇଥିଲା। ଏୟାରପୋର୍ଟ ଥାନା ଉଦ୍‌ଘାଟନ କରିବା ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ରାଜ୍ୟର ଏହି ସବୁ ଆଦର୍ଶ ଥାନା ଅପରାଧ ନିୟନ୍ତ୍ରଣରେ ନୂଆ ମାର୍ଗଦର୍ଶକ ହେବ। ଅତ୍ୟାଧୁନିକ ବ୍ୟବସ୍ଥା ସହ ଉନ୍ନତ ଭିତ୍ତିଭୂମି ଉଭୟ ପୁଲିସ୍‌ ଓ ଅଭିଯୋଗକାରୀଙ୍କ ପାଇଁ ଏକ ନୂଆ ବାତାବରଣ ସୃଷ୍ଟି କରିବ।

ଏହି ଆଦର୍ଶ ଥାନାଗୁଡ଼ିକ ସହ ୧୨ଟି ପିସିଆର୍‌ ଲୋକାର୍ପିତ ହୋଇଥିଲା। ଏହି ପିସିଆରଗୁଡ଼ିକ ଭୁବନେଶ୍ବରରେ ସ୍ବତନ୍ତ୍ର ଭାବେ ହକି ବିଶ୍ବକପ୍‌‌ ପାଇଁ ପାଟ୍ରୋଲିଂ କରିବେ। ପରେ ଅନ୍ୟ ଦିନମାନଙ୍କରେ ଏହା ରାଜଧାନୀର ବିଭିନ୍ନ ଅଞ୍ଚଳରେ ଅପରାଧ ନିୟନ୍ତ୍ରଣ ପାଇଁ ପଇଁତରା ମାରିବ। ଏହାବ୍ୟତୀତ ପ୍ରତ୍ୟେକ ଆଦର୍ଶ ଥାନା ପାଇଁ ଗୋଟିଏ ପିସିଆର୍‌ ଓ ଥାନା ପିଛା ଦୁଇଟି ଲେଖାଏଁ ବାଇକ୍‌ ପିସିଆର ଲୋକାର୍ପିତ େହାଇଥିଲା। ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ମେୟର ଅନନ୍ତ ନାରାୟଣ ଜେନା, ବରିଷ୍ଠ ପୁଲିସ ଅଧିକାରୀ ସନ୍ତୋଷ ଉପାଧ୍ୟାୟ, ମନୋଜ ଛାବ୍ରା, ରାଧାକୃଷ୍ଣ ଶର୍ମା, ନିଖିଲ କାନୋଡିଆ, ସାରା ଶର୍ମା ଓ ଭୁବନେଶ୍ବର ଡିସିପି ଅନୁପ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ସଚିବାଳୟରେ ଆୟୋଜିତ ଉଦ୍‌ଘାଟନୀ ଉତ୍ସବରେ ପୁଲିସ ଡିଜି ଡ. ରାଜେନ୍ଦ୍ର ପ୍ରସାଦ ଶର୍ମା ସ୍ବାଗତ ଭାଷଣ ଦେଇ କହିଥିଲେ, କ୍ରମବର୍ଦ୍ଧିଷ୍ଣୁ ଅପରାଧ ପୁଲିସ୍‌ ପାଇଁ ଆହ୍ବାନ ହୋଇଛି। ଏଥିପାଇଁ ପୁଲିସକୁ ଅଧିକ ଉନ୍ନତ ହେବା ସହ କୁଶଳୀ ହେବା ଜରୁରୀ ହୋଇଛି। ଏ ଦିଗରେ ଆଦର୍ଶ ଥାନା ଅନ୍ୟ ଥାନାମାନଙ୍କ ପାଇଁ ରୋଲ୍‌ ମଡେଲ ହେବ। ତତ୍‌କାଳୀନ ପୁଲିସ୍‌ ଡିଜି ଯୋଗେଶ ବାହାଦୁର ଖୁରାନିଆଙ୍କ ସମୟରେ ଏହାର ପରିକଳ୍ପନା ହେବା ସହ ଭାରତବର୍ଷରେ ଏଭଳି ଏକ ଯୋଜନା ପ୍ରଥମ ଥିଲା େବାଲି ଡିଜି ଏହି ଅବସରରେ ସୂଚନା େଦଇଥିଲେ। ଉନ୍ନୟନ କମିସନର ଆର. ବାଲାକ୍ରିଷ୍ଣନ୍‌ ଯୋଗଦେଇ ଏହି ଆଦର୍ଶ ଥାନା ପରିକଳ୍ପନା ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି କହିଥିଲେ। ପୁଲିସ କମିସନର ସତ୍ୟଜିତ୍‌ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

କୋରାପୁଟ୍‌ର ସିମିଳିଗୁଡ଼ା, ବ୍ରହ୍ମପୁରର ବଡ଼ବଜାର, ଅନୁଗୁଳର ନାଲ୍‌କୋ ଥାନା, ପୁରୀ ଟାଉନ ଥାନା, ବାଲେଶ୍ବର ସହଦେବ ଖୁଣ୍ଟା, ସମ୍ବଲପୁରର େକ୍ଷତରାଜପୁର, ଓ ରାଉରକେଲାର ପ୍ଲାଣ୍ଟ ସାଇଟ୍‌ ଥାନା ଏଭଳି ୭ଟି ଆଦର୍ଶ ଥାନାରେ ଉପସ୍ଥିତ ଥିବା ସାଧାରଣ ଜନତାଙ୍କ ସହ ମୁଖ୍ୟମନ୍ତ୍ରୀ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ କଥାବାର୍ତ୍ତା କରିଥିଲେ।

ଉଲ୍ଲେଖଥାଉକି, ଆଦର୍ଶ ଥାନାରେ ଅଭିଯୋଗକାରୀଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଦେବାକୁ ପ୍ରାଥମିକତା ଦିଆଯିବ। ମହିଳାଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଥିବା ବେଳେ ମହିଳାଙ୍କ ସହ ଶିଶୁ ଥିଲେ ସେମାନଙ୍କ ପାଇଁ ସ୍ବତନ୍ତ୍ର ସୁବିଧା ଯୋଗାଇ ଦିଆଯିବ। ପାନୀୟଜଳ ଓ ଟଏଲେଟ୍‌ ସୁବିଧା ସହ ସ୍ତନ୍ୟପାନ କରାଇବା ପାଇଁ ସ୍ବତନ୍ତ୍ର କକ୍ଷ ରହିବ। ପ୍ରଥମ ମହଲାରେ ଥାନା, ହାଜତ ଓ ମାଲ୍‌ ଖାନା ରହିଛି। ଦ୍ବିତୀୟ ମହଲାରେ ପାସ୍‌ପୋର୍ଟ ଯାଞ୍ଚ ସେଲ୍‌ ଓ କନ୍‌ଫରେନ୍‌ସ୍‌ ହଲ ଏବଂ ଉପର ମହଲରେ ବାରାକ୍‌ ରହିଛି।

ରାଜ୍ୟରେ ଉଦ୍‌ଘାଟିତ ଆଦର୍ଶ ଥାନା

କମିସନରେଟ୍‌ ପୁଲିସ: ଭୁବନେଶ୍ବର: ନନ୍ଦନକାନନ, ଏୟାରପୋର୍ଟ, କଟକ: ସିଡିଏ, ଫେଜ୍‌-୨, କଟକର ସାଲେପୁର ଥାନା, ଜଗତସିଂହପୁରର ପାରାଦୀପ ଥାନା, ଯାଜପୁରର ଯାଜପୁର ରୋଡ୍‌ ଥାନା, କେନ୍ଦ୍ରାପଡ଼ାର ପଟ୍ଟାମୁଣ୍ଡାଇ ଥାନା, ପୁରୀର ଟାଉନ୍‌ ଥାନା, ନୟାଗଡ଼ର ଓଡ଼ଗାଁ ଥାନା, ଖୋର୍ଦ୍ଧାର ଟାଉନ ଥାନା, ବାଲେଶ୍ବରର ସହଦେବ ଖୁଣ୍ଟା ଥାନା, ଭଦ୍ରକର ଟାଉନ ଥାନା, ମୟୂରଭଞ୍ଜର ରାଇରଙ୍ଗପୁର ଟାଉନ ଥାନା, ଗଞ୍ଜାମର ଆସ୍କା ଥାନା, ଗଜପତିର ପାରଳାଖେମୁଣ୍ଡି ଥାନା, ବ୍ରହ୍ମପୁରର ବଡ଼ବଜାର ଥାନା, କନ୍ଧମାଳର ଫୁଲବାଣୀ ଟାଉନ ଥାନା, ବୌଦ୍ଧର ବୌଦ୍ଧ ଥାନା, କୋରାପୁଟ୍‌ର ସେମିଳିଗୁଡ଼ା ଥାନା, ରାୟଗଡ଼ାର ଗୁଣୁପୁର ଥାନା, ମାଲକାନାଗିରିର ମାଲକାନାଗିରି ଥାନା, ନବରଙ୍ଗପୁରର ଟାଉନ ଥାନା, କଳାହାଣ୍ଡିର କେସିଙ୍ଗା ଥାନା, ନୂଆପଡ଼ାର ଜୋଙ୍କ ଥାନା, ସମ୍ବଲପୁରର େକ୍ଷତରାଜପୁର ଥାନା, ଝାରସୁଗୁଡ଼ାର ବଡ଼ମାଳ ଥାନା, ବରଗଡ଼ର ପଦ୍ମପୁର ଥାନା, ବଲାଙ୍ଗୀରର ଟାଉନ ଥାନା, ସୁବର୍ଣ୍ଣପୁରର ବୀର ମହାରାଜପୁର ଥାନା, ଅନୁଗୁଳର ନାଲ୍‌କୋ ଥାନା, ଢେଙ୍କାନାଳର କାମାକ୍ଷା ନଗର ଥାନା, ଦେବଗଡ଼ର ଦେବଗଡ଼ ଥାନା, ରାଉରକେଲାର ପ୍ଲାଣ୍ଟ ସାଇଟ୍‌ ଥାନା, ସୁନ୍ଦରଗଡ଼ର ସଦର ଥାନା, କେନ୍ଦୁଝରର ସଦର ଥାନା।

ସମ୍ବନ୍ଧିତ ଖବର