ଶକ୍ତି ପ୍ରଦର୍ଶନ କଲେ ନବୀନ

ମିସନ ଶକ୍ତି ଭବନ ପାଇଁ ଦେଲେ ୧ କୋଟି, ୨ ସେତୁର ଶିଳାନ୍ୟାସ ଓ ଟିଟିଲାଗଡ଼ ମାତୃ ଓ ଶିଶୁ ଚିକିତ୍ସାଳୟ ଉଦ୍‌ଘାଟନ, ଏସଏଚଜିକୁ ୨୬ କୋଟି ଓ ଅଙ୍ଗନବାଡ଼ିକୁ ୮୮ ଲକ୍ଷ ସହାୟତା ରାଶି

ବଲାଙ୍ଗୀର : ବଲାଙ୍ଗୀର ପଥରଚେପା ପଡ଼ିଆରେ ଶକ୍ତି ପ୍ରଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଇଠି ବିଜେପିର ଦଳୀୟ ସମାବେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦବୋଧନ ଦେଇଥିଲେ। ଆଜି ସେହି ପଡ଼ିଆରେ ଓ ସମାନ ସ୍ଥାନରେ ହଜାର ହଜାର ଏସଏଚଜି ମହିଳାଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବୋଧିତ କରି ଦମ୍‌ ଦେଖାଇଛନ୍ତି ନବୀନ। ରାଜ୍ୟ ସରକାର ୧୮ ବର୍ଷ ହେଲା ମହିଳାଙ୍କ ବିକାଶ ପାଇଁ କାର୍ଯ୍ୟ କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଗୋଟିଏ ମିନିଟ ଭିତରେ ତାଙ୍କର ସ୍ବଳ୍ପ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏସଏଚଜି ମା’ମାନଙ୍କୁ ନମସ୍କାର ଜଣାଇଥିଲେ। ଉପସ୍ଥିତ ମହିଳାମାନେ ମୁଖ୍ୟମନ୍ତ୍ରୀଙ୍କୁ ହୁଳହୁଳି, ତାଳି ମାରି ସ୍ୱାଗତ ଜଣାଇଥିଲେ। ବଲାଙ୍ଗୀରରେ ମିସନ ଶକ୍ତି ଭବନ ପାଇଁ ୧କୋଟି ଟଙ୍କା ଅନୁମୋଦନ କରିଥିବା କହିବା ସହ ସମସ୍ତେ ଖୁସି ବୋଲି ପ୍ରଶ୍ନ କରିଥିଲେ। ଏହାପରେ ଧନ୍ୟବାଦ ଜଣାଇ ବନ୍ଦେ ଉତ୍କଳ ଜନନୀ କହି ନିଜର ବକ୍ତବ୍ୟ ସାରିଥିଲେ।

ମୁଖ୍ୟମନ୍ତ୍ରୀ ତାଙ୍କ ବାର୍ତ୍ତାରେ କହିଥିଲେ ଯେ, ୨୦୦୧ରେ ମହିଳାଙ୍କ ପାଇଁ ବିଜେଡି ସରକାର ମିସନ ଶକ୍ତି ପ୍ରକଳ୍ପ ଆରମ୍ଭ କରିଥିଲା। ୧୮ ବର୍ଷ ଧରି ସଫଳତାର ସହ ମିସନ ଶକ୍ତି କାର୍ଯ୍ୟକ୍ରମରେ ୭୦ ଲକ୍ଷ ମହିଳାଙ୍କୁ ସାମିଲ କରାଯାଇ ପାରିଛି। ମହିଳାମାନେ ଏହା ଦ୍ୱାରା ସ୍ୱାବଲମ୍ବୀ ହୋଇ ପାରିଛନ୍ତି। ମିସନ ଶକ୍ତି ଜରିଆରେ ମହିଳା ସ୍ୱୟଂ ସହାୟିକା ଦଳଙ୍କୁ ଋଣ ପ୍ରଦାନ କରାଯାଉଛି। ଋଣ ନେଇ ମହିଳାମାନେ ନିଜର ଦକ୍ଷତା ପ୍ରତିପାଦନ କରି ରୋଜଗାରକ୍ଷମ ହୋଇ ପାରିଛନ୍ତି। ମହିଳାଙ୍କ କ୍ଷେତ୍ରରେ ମିସନ ଶକ୍ତି ଏକ ବିପ୍ଲବ ଆଣିଛି ବୋଲି କହିଥିଲେ। ବିଜୁ ବାବୁଙ୍କ ସରକାର ମହିଳାଙ୍କ ବିକାଶ ପାଇଁ ଶିକ୍ଷାନୁଷ୍ଠାନ ଓ ସରକାରୀ ଚାକିରିରେ ୩୩ ପ୍ରତିଶତ ସଂରକ୍ଷଣ ରଖିଥିଲେ। ବର୍ତ୍ତମାନ ରାଜ୍ୟ ସରକାର ୫୦ ପ୍ରତିଶତକୁ ଏହାକୁ ବୃଦ୍ଧି କରିଛନ୍ତି। ମହିଳାମାନଙ୍କ ପାଇଁ ବିଧାନସଭା ଓ ଲୋକସଭାରେ ମଧ୍ୟ ୩୩ ପ୍ରତିଶତ ସଂରକ୍ଷଣ ପାଇଁ ନିକଟରେ ସଂକଳ୍ପ କରାଯାଇଛି। ସଶକ୍ତ ମହିଳା, ସଶକ୍ତ ଓଡ଼ିଶା ବୋଲି ସେ କହିଥିଲେ।

ମୁଖ୍ୟମନ୍ତ୍ରୀ ଆଜି ଦିନ ୧୨ଟା ୬ରେ ହେଲିକପ୍ଟରରେ ପଥରଚେପା ସମାବେଶ ପଡିଆରେ ଅସ୍ଥାୟୀ ହେଲିପେଡରେ ଓହ୍ଲାଇଥିଲେ। ସେଠାରୁ ୧୨ଟା ୧୬ରେ ମଂଚକୁ ପହଞ୍ଚିବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ରାଜ୍ୟ ମିସନ ଶକ୍ତିର ପ୍ରକଳ୍ପ ନିର୍ଦ୍ଦେଶିକା ସୁଜାତା କାର୍ତ୍ତିକେୟନ ସ୍ୱାଗତ ବକ୍ତବ୍ୟ ରଖିଥିଲେ। ଶ୍ରୀମତୀ କାର୍ତ୍ତିକେୟନ କହିଥିଲେ, ବାର୍ଷିକ ୨୦୦୦କୋଟି ଟଙ୍କା ଏସଏଚଜି ମହିଳାମାନଙ୍କୁ ବିନା ସୁଧରେ ଋଣ ଦିଆଯାଉଛି। ସେଥିରୁ ସେମାନେ ସ୍ୱାବଲମ୍ବୀ ହୋଇ ପାରୁଛନ୍ତି। ଏଣିକି ପ୍ରତ୍ୟେକ ପଂଚାୟତରେ ମିସନ ଶକ୍ତି ଗୃହ ନିର୍ମାଣ ହେବ। ଆଗକୁ ସ୍ମାର୍ଟ ଫୋନ ଜରିଆରେ ଅନଲାଇନରେ ଏସଏସଜି ମହିଳାମାନେ ବ୍ୟବସାୟକୁ ଆହୁରି ବଢାଇବେ। ପ୍ରତ୍ୟେକ ଗ୍ରୁପ ୩ ଲକ୍ଷ ଯାଏଁ ବିନା ସୁଧରେ ଋଣ ଯେ କୌଣସି ବ୍ୟାଙ୍କରୁ ନେଇ ପାରିବେ ବୋଲି ସେ କହିଥିଲେ। ଏସଏଚଜି ମହିଳାଙ୍କ ପାଇଁ ଆଜି ଓଡ଼ିଶାରେ ମା’ ଓ ଶିଶୁ ମୃତ୍ୟୁ ହାର ମଧ୍ୟ କମିଛି ବୋଲି ସେ କହିଥିଲେ। ଏହାପରେ ଦୁଆନପାଲି ଗାଁର ଏସଏଚଜି ମହିଳା ସଦସ୍ୟା ବିଳାସିନୀ ଠାକୁର, ଚାନ୍ଦନୀ କୁମ୍ଭାର ତାଙ୍କ ମିସନ ଶକ୍ତି କାର୍ଯ୍ୟକ୍ରମ ହିଁ ସେମାନଙ୍କୁ ସ୍ୱାବଲମ୍ବୀ କରିଛି ବୋଲି ବକ୍ତବ୍ୟରେ କହିଥିଲେ। ବଲାଙ୍ଗୀର ଜିଲ୍ଲାପାଳ ଅରିନ୍ଦମ ଡାକୁଆ, ମହିଳା ସମବାୟ ବିକାଶ ନିଗମ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଓ ୧୪ଟି ବ୍ଲକ ଲେବଲ ଫେଡେରେସନ ସଭାପତି ମଂଚାସୀନ ଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ତୁଷୁରା ଛକରୁ ଖର୍ଡା- ଲିଖିରିଆ ଛକର ସୋନଗଡ଼ ନଦୀରେ ୧୪କୋଟି ବ୍ୟୟ ଅଟକଳର ପୋଲ, ଦେଓଗାଁ ଦେଷଣ୍ଢ ରାସ୍ତାରେ ସେତୁ ୪କୋଟି ୯୦ ଲକ୍ଷ ଟଙ୍କା ପ୍ରକଳ୍ପର ଶିଳାନ୍ୟାସ ଓ ଟିଟିଲାଗଡର ୫୦ଶଯ୍ୟା ବିଶିଷ୍ଟ ମାତୃ ଓ ଶିଶୁ ଚିକିତ୍ସାଳୟର ଉଦଘାଟନ କରିଥିଲେ। ସେହିପରି ନୂତନ ଭାବେ ଗଠନ କରାଯାଇଥିବା ଏସଏଚଜିଙ୍କୁ ପ୍ରୋତ୍ସାହିତ କରିବା ସହ ପାଣ୍ଠି ବୃଦ୍ଧି ପାଇଁ ବଲାଙ୍ଗୀର ଜିଲ୍ଲାର ୧୩ ହଜାର ୪୦୧ଟି ଏସଏଚଜିକୁ ୨୦.୧୦ କୋଟି ଟଙ୍କା, ଡିଜିଟାଲ ସଶକ୍ତୀକରଣ ମାଧ୍ୟମରେ ଜିଲ୍ଲାର ୯ ହଜାର ୬୦୭ ଏସଏଚଜିକୁ ୨.୮୮ କୋଟି ଟଙ୍କା, ବ୍ଲକ ସ୍ତରରେ ସ୍ୱୟଂ ସହାୟକ ଗୋଷ୍ଠୀର ବିଭିନ୍ନ କାର୍ଯ୍ୟକ୍ରମକୁ ସୁଦୃଢ଼ କରିବାକୁ ବ୍ଲକସ୍ତରୀୟ ମହାସଂଘକୁ ୩.୫୦ କୋଟି ଟଙ୍କା ଆର୍ଥିକ ସହାୟତା ପ୍ରଦାନ ଓ ୧୪ଟି ପ୍ରକଳ୍ପର ୨୫୬୬ ଅଙ୍ଗନବାଡ଼ି କର୍ମୀ ଓ ୨୪୧୭ ଅଙ୍ଗନବାଡ଼ି ସହାୟିକାଙ୍କୁ ୮୮.୮୬ଲକ୍ଷ ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରିଥିଲେ। ସେହିପରି ଭଲ ପ୍ରଦର୍ଶନ କରିଥିବା ବିଭିନ୍ନ ଏସଏଚଜି ସଦସ୍ୟାଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ। ସଭା ଶେଷରେ ମହିଳା ସମବାୟ ବିକାଶ ନିଗମ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଧନ୍ୟବାଦ ଦେଇଥିଲେ। ବିଶାଳ ସମାବେଶରେ ଆଜି ବହୁ ସଂଖ୍ୟାରେ ମହିଳା ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର