ସ୍ବାଭିମାନ ଅଞ୍ଚଳରେ ନକ୍ସଲ-ପୁଲିସ ମୁହାଁମୁହିଁ : ଖସିଗଲେ କ୍ୟାଡର, ସାମଗ୍ରୀ ଜବତ

ମାଲକାନଗିରି : କିଛିଦିନର ବ୍ୟବଧାନ ପରେ ମାଲକାନଗିରି ଜିଲ୍ଲା ସ୍ବାଭିମାନ ଅଞ୍ଚଳରେ ପୁଣି ପୁଲିସ-ନକ୍ସଲ ମୁହାଁମୁହିଁ ହୋଇଛନ୍ତି। ଘଞ୍ଚ ଜଙ୍ଗଲର ସୁଯୋଗ ନେଇ କ୍ୟାଡର ନକ୍ସଲ ଖସି ଯାଇଥିବା ସୂଚନା ମିଳିଛି। ତେବେ ଘଟଣାସ୍ଥଳରୁ ସୁରକ୍ଷା କର୍ମୀଙ୍କୁ ବିପୁଳ ପରିମାଣରେ ବିସ୍ଫୋରକ ସାମଗ୍ରୀ ମିଳିଛି। ବଡ଼ଧରଣର ଆକ୍ରମଣ ପାଇଁ ଏଠାରେ ନକ୍ସଲ କ୍ୟାମ୍ପ କରିଥିବା ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି।

ବାଲିମେଳା ଜଳଭଣ୍ଡାରକୁ ଲାଗି ରହିଥିବା ମୁଦୁଲିଗୁଡ଼ା ଏବଂ ନାରିଙ୍ଗିଝଲା ଗାଁ ମଧ୍ୟରେ ରହିଥିବା ଘଞ୍ଚ ଜଙ୍ଗଲରେ କ୍ୟାମ୍ପ କରିଥିଲେ ନକ୍ସଲ। ବହୁ କ୍ୟାଡର ନକ୍ସଲ ବି ଏହି କ୍ୟାମ୍ପରେ ପହଞ୍ଚିଥିଲେ। ଗୁଇନ୍ଦା ବିଭାଗ ଏ ନେଇ ସୂଚନା ପାଇବା ପରେ ଜିଲ୍ଲା ପୁଲିସକୁ ଅବଗତ କରାଇଥିଲା। ନକ୍ସଲଙ୍କ ସଠିକ୍ ଠିକଣା ମିଳିବାରୁ ଜିଲ୍ଲା ପୁଲିସ, ଏସ୍‌ଓଜି, ଡିଭିଏଫ୍ ଓ ବିଏସ୍‌ଏଫ୍ ମିଳିତ ଅପରେସନ ଆରମ୍ଭ କରିଥିଲେ। ନକ୍ସଲଙ୍କ ଏହି କ୍ୟାମ୍ପ ଉପରେ ଅତର୍କିତ ଚଢ଼ଉ କରିଥିବାବେଳେ ଉଭୟପଟୁ ଦୀର୍ଘ ସମୟ ଧରି ଗୁଳି ବିନିମୟ ହୋଇଥିଲା। ତେବେ ସୁରକ୍ଷା କର୍ମୀଙ୍କ ସଂଘବଦ୍ଧ ଆକ୍ରମଣର ମୁକାବିଲା କରିପାରି ନ ଥିଲେ। କ୍ୟାମ୍ପ ନିକଟରେ ବଡ଼ ପାହାଡ଼ ସହ ଘଞ୍ଚ ଜଙ୍ଗଲ ରହିଥିବାରୁ ଖସିଯିବା ପାଇଁ ସୁଯୋଗ ପାଇଥିଲେ ନକ୍ସଲ। ଏହାପରେ ହୋଇଥିବା ସର୍ଚ୍ଚ ଅପରେସନରେ ଟିଫିନ ବୋମା, ଡିଟୋନେଟର, ନକ୍ସଲ ପୋଷାକ,ବେଲ୍ଟ, ମାଓ ପୋଷ୍ଟର, ମାଓ ପୁସ୍ତକ ଇତ୍ୟାଦି ମିଳିଥିଲା। ସୁରକ୍ଷା କର୍ମୀଙ୍କ ଉଦ୍ଦେଶ୍ୟରେ ଏହି ବିସ୍ଫୋରକ ସାମଗ୍ରୀ ନକ୍ସଲ ରଖିଥିବା ଜଣାପଡ଼ିଛି। ସେହିପରି ପୁଲିସ ଇନଫର୍ମର ଦର୍ଶାଇ କିଛି ନିରୀହ ଲୋକଙ୍କୁ ମଧ୍ୟ ହତ୍ୟା କରିବାକୁ ନକ୍ସଲ ଯୋଜନା କରିଥିଲେ ବୋଲି କୁହାଯାଉଛି।

ବାରମ୍ବାର ଆହ୍ବାନ ସତ୍ତ୍ବେ ନକ୍ସଲ ମୁଖ୍ୟସ୍ରୋତକୁ ଫେରିବା ପରିବର୍ତ୍ତେ ପୁଲିସକୁ ଆକ୍ରମଣ ପାଇଁ ଯୋଜନା କରୁଛନ୍ତି। ତେଣୁ ଆଗକୁ ଲଢ଼େଇ ଜୋରଦାର ହେବ ବୋଲି ଅନୁମାନ କରାଯାଉଛି। ଶେଷ ଖବର ସୁଦ୍ଧା ଘଟଣାସ୍ଥଳରେ ପୁଲିସର ସର୍ଚ୍ଚ ଅପରେସନ ଜାରି ରହିଥିଲା।

ସମ୍ବନ୍ଧିତ ଖବର