ନକ୍ସଲ ସଂଗଠନର ନିଷ୍ଠୁର ସତ : ପଶ୍ଚାତାପ କରୁଛନ୍ତି ନିଃସନ୍ତାନ ଦମ୍ପତି, ବନ୍ଧ୍ୟାକରଣ ପାଇଁ ବାଧ୍ୟ ହୋଇଥିଲେ

ମାଲକାନଗିରି : ଆଦିବାସୀଙ୍କ ହକ୍ ପାଇଁ ଲଢ଼ିବେ। ଲୋକଙ୍କୁ ସାମାଜିକ ନ୍ୟାୟ ପ୍ରଦାନ କରିବେ। ଏଭଳି ଏକ ସଂକଳ୍ପ ନେଇ ଜଳ, ଜଙ୍ଗଲ, ଜମି ନାଁରେ ଚାଲିଥିବା ତଥାକଥିତ ଲଢ଼େଇରେ ଲମ୍ଫ ଦେଇ ନକ୍ସଲ ସଂଗଠନର ହାତ ଧରିଥିଲେ। କିନ୍ତୁ ନ୍ୟାୟର ସନ୍ଧାନରେ ଏତେ ଦୂରକୁ ଚାଲିଗଲେ ଯେ, ନିଜେ ଅନ୍ୟାୟର ଶିକାର ହେଲେ। ଯାହାର ପରିଣାମ ଆତ୍ମସମର୍ପଣର ଦୀର୍ଘ ବର୍ଷ ମଧ୍ୟ ଏବେ ସେମାନେ ଭୋଗୁଛନ୍ତି। ନିରାଶା ଓ ଅବସାଦ ଭିତରେ ବିତୁଛି ସାଂସାରିକ ଜୀବନ। ନିଜ ସଂଘର୍ଷପୂର୍ଣ୍ଣ ଜୀବନକାହାଣୀ କହିବା ବେଳକୁ ଏହି ଦମ୍ପତିଙ୍କ ମନରେ ଉତୁରି ଆସୁଛି କୋହ, ଆଖିରେ ଭରି ଆସୁଛି ଲୁହ।

କାଲିମେଳା ବ୍ଲକ ଟେକଗୁଡ଼ା କଲୋନିର ସୁକଦେବ ଏବଂ ମାନ୍ୟମକୋଣ୍ଡା ଗାଁର ଋକ୍ମିଣୀ। ସେମାନଙ୍କର ଯୌବନର ପ୍ରଥମ ସୋପାନ ଉତ୍କଟ ଅଭାବ ମଧ୍ୟରେ କଟିଥିଲା। ମନରେ ସୃଷ୍ଟି ହୋଇଥିବା ବ୍ୟବସ୍ଥା ପ୍ରତି ବିଦ୍ରୋହର ବହ୍ନି। ପ୍ରାୟ ୧୮ବର୍ଷ ତଳେ ସେମାନେ ନକ୍ସଲ ସଂଗଠନର ବଡ଼ ନେତାଙ୍କ ସଂସ୍ପର୍ଶରେ ଆସିଥିଲେ। କ୍ୟାଡର ନକ୍ସଲଙ୍କ ପ୍ରୋରଚାନାରେ ସଂଗଠନରେ ସାମିଲ ହେଲେ। ପୂର୍ବରୁ ପରସ୍ପରକୁ ଚିହ୍ନି ନଥିବା ବେଳେ କାଲିମେଳା ଦଲମରେ ଦୁହିଁଙ୍କ ଭେଟ ହୋଇଥିଲା। ଗୋଟିଏ ଅଞ୍ଚଳର ହୋଇଥିବାରୁ ଅଳ୍ପ ଦିନ ମଧ୍ୟରେ ନିବିଡ଼ତା ବଢ଼ି ଯାଇଥିଲା। କ୍ୟାଡର ନକ୍ସଲଙ୍କ ପଥ ଅନୁସରଣ କରି ଚାଲିବା ମଧ୍ୟରେ କେତେବେଳେ ଯେ ଉଭୟ ପ୍ରେମରେ ପଡ଼ିଗଲେ ଜାଣିପାରିଲେ ନାହିଁ। ଶେଷରେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ବିବାହରେ ପ୍ରତିବନ୍ଧକ ସାଜିଥିଲା ଖୋଦ୍ ସଂଗଠନ। ପ୍ରଥମେ ବିବାହ ପାଇଁ ଅନୁମତି ଦିଆଗଲା ନାହିଁ। ତେବେ ସଂଗଠନ ପାଇଁ ନିଷ୍ଠାର ସହ କାମ କରିବାରୁ ବିବାହ ପାଇଁ କମିଟି ଯଦିଓ ଅନୁମତି ଦେଲା, ଏଥିପାଇଁ ରଖିଲା ନିଷ୍ଠୁର ସର୍ତ। ବିବାହ ପୂର୍ବରୁ ଉଭୟଙ୍କ ବନ୍ଧ୍ୟାକରଣ ଅସ୍ତ୍ରୋପଚାର କରିବାକୁ ପରାମର୍ଶ ଦିଆଗଲା। ପ୍ରେମକୁ ସାକାର ପାଇଁ ଏହି ସର୍ତକୁ ମଧ୍ୟ ସେମାନେ ଗ୍ରହଣ କରିନେଲେ। ତେଣୁ ଦିନେ ଜଙ୍ଗଲକୁ ଜଣେ ଡାକ୍ତରଙ୍କ ଡକାଇ ସୁକଦେବଙ୍କ ବନ୍ଧ୍ୟାକରଣ ଅସ୍ତ୍ରପୋଚାର କରାଗଲା। ଏତିକିରେ ସଂଗଠନ ଅଟକି ନଥିଲା, ବିବାହ ପରେ କାଳେ ପଥଭ୍ରଷ୍ଟ ହେବେ ବୋଲି ଅନୁମାନ କରି ଦୁହିଁଙ୍କୁ ଅଲଗା କରିବାକୁ ଯୋଜନା କରିଥିଲା। ଏଥିପାଇଁ ସୁକଦେବଙ୍କୁ ବୈପାରିଗୁଡ଼ା ଦଲମକୁ ପଠାଇ ଦେଇ ବିଚ୍ଛିନ୍ନାଞ୍ଚଳରେ ସଂଗଠନ ପାଇଁ କାମ କରିବାକୁ ନିର୍ଦ୍ଦେଶ ଦିଆଗଲା। ଏପଟେ ପୂର୍ବଭଳି କାଲିମେଳା ଦଲମରେ ରହିଲେ ଋକ୍ମିଣୀ। ତେବେ ବେଶି ଦିନ ରହିଲେ ପାରିଲେ ନାହିଁ। ସୁକଦେବଙ୍କୁ ବୈପାରିଗୁଡ଼ା, କୁଡ଼ୁମୁଲୁଗୁମ୍ମା ଦଲମକୁ ସ୍ଥାନାନ୍ତର କରି ପୁଣି କାଲିମେଳା ଦଲମକୁ ଫେରାଇ ଅଣାଯାଇଥିଲା। ପ୍ରାୟ ୧୪ବର୍ଷ ଜଙ୍ଗଲରେ ବିତାଇବା ପରେ ଯୌବନରେ କରିଥିବା ଭୁଲକୁ ଦୁହେଁ ଜାଣିପାରିଥିଲେ। ମୃତ୍ୟୁ ସହ ନିରନ୍ତର ଚାଲିଥିବା ଛାୟା ଯୁଦ୍ଧରେ କେବେ ମଧ୍ୟ ଜୟ କରିପାରିବେ ନାହିଁ ବୋଲି ସ୍ପଷ୍ଟ ହେବାରୁ ୨୦୧୬ ମସିହାରେ ଦୁହେଁ ଆତ୍ମସମର୍ପଣ କଲେ।

india headlines

ଦୀର୍ଘ ବର୍ଷ ପରେ ଦୁହେଁ ବିନା ଭୟରେ ଏକାଠି ରହିବାର ବଡ଼ ସୁଯୋଗ ପାଇଲେ। ସାଂସାରିକ ଜୀବନ ଆରମ୍ଭ କରିଥିଲେ ମଧ୍ୟ ପୂର୍ବରୁ କରିଥିବା ଭୁଲ ପାଇଁ ସନ୍ତାନ ସୁଖ ମିଳିଲା ନାହିଁ। ଦୁହେଁ ସନ୍ତାନଟିଏ ପାଇଁ ବିଶାଖାପାଟଣା, ହାଇଦ୍ରାବାଦ, କଟକ ଭଳି ଅନେକ ସହରରେ ବଡ଼ ବଡ଼ ଡାକ୍ତରଖାନାକୁ ଯାଇଥିଲେ। ହେଲେ ସବୁଠି ସେମାନଙ୍କୁ ଡାକ୍ତର ଫେରାଇ ଦେଇଥିଲେ।

କେବଳ ସୁକଦେବ ନୁହନ୍ତି; ତାଙ୍କ ଭଳି ବହୁ ନକ୍ସଲ ବନ୍ଧ୍ୟାକରଣ ଭଳି ଅତ୍ୟାଚାରର ଶିକାର ହୋଇଛନ୍ତି। ସଂଗଠନରେ ବିବାହ, ପ୍ରେମ ବୋଲି କୌଣସି ଶବ୍ଦ ମାନେ ରଖେ ନାହିଁ। ସଂଗଠନରେ ଥରେ ସାମିଲ ହେଲେ କ୍ୟାଡର ନକ୍ସଲଙ୍କ ଇଙ୍ଗିତରେ ହିଁ ଚାଲିବାକୁ ପଡ଼େ ବୋଲି ସୁକଦେବ କହିଛନ୍ତି। ତାଙ୍କୁ ଡେପୁଟି କମାଣ୍ଡର ଦାମୋଦର ବନ୍ଧ୍ୟାକରଣ ଅସ୍ତ୍ରପୋଚାର କରିବାକୁ ବାଧ୍ୟ କରିଥିଲେ। ତେବେ ଋକ୍ମିଣୀଙ୍କ ଅସ୍ତ୍ରୋପଚାର କରାଯାଏ ତାହାହେଲେ ସନ୍ତାନ ହେବାର ସମ୍ଭାବନା ରହିଥିବା ଜଣେ ଡାକ୍ତର କହିଛନ୍ତି। ଏଥିପାଇଁ ତାଙ୍କୁ ୨ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ଏତେ ଟଙ୍କା ତାଙ୍କ ପାଖରେ ନଥିବାରୁ ନିଜ ମନକୁ ବୁଝାଇ ଭିତରେ ଭିତରେ କାନ୍ଦୁଥିବା କହିଥିଲେ। ଯଦି କୌଣସି ବଦାନ୍ୟ ବ୍ୟକ୍ତି କିମ୍ବା ସରକାରଙ୍କ ସହାୟତା ମିଳିଲେ ତାଂକ ପରିବାର ମଧ୍ୟ ହସିଥାନ୍ତା ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର