ନୟାଗଡ଼ ନାବାଳିକା ହତ୍ୟା ଘଟଣା ନେଇ ହୀନ ରାଜନୀତି କରୁଛି ବିଜେପି: ନରସିଂହ

ଭୁବନେଶ୍ବର: ନୟାଗଡ଼ ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣାରେ ବିଜେପି ଦଳ ରାଜନୀତି କରୁନି, ହୀନ ରାଜନୀତି କରୁଛି। ହାଇକୋର୍ଟଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ତଦନ୍ତ କରୁଥିବା ଏସ୍‌ଆଇଟି ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଅଥଚ ବିଜେପି କହୁଛି ୟିଏ ସେହି ଅଭିଯୁକ୍ତ ନୁହେଁ। ଏହାର ଅର୍ଥ ବିଜେପି ଜାଣିଛି ବାସ୍ତବରେ କିଏ ଦୋଷୀ। ତାହେଲେ ପ୍ରକାଶ କରୁନାହିଁ କାହିଁକି? ପରୀ ହତ୍ୟାକାଣ୍ଡ ପାଇଁ ସିବିଆଇ ତଦନ୍ତ ଓ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବିରେ ବିଜେପିର ନୟାଗଡ଼ ଯଦୁପୁର ପର୍ଯ୍ୟନ୍ତ ପଦଯାତ୍ରା ଜାରି ରହିଥିବା ବେଳେ ସାମ୍ବାଦିକ ସମ୍ମିଳନୀ କରି ଦଳକୁ ଏପରି ପ୍ରଶ୍ନବାଣ ଫିଙ୍ଗିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ସେ କହିଥିଲେ, କେନ୍ଦ୍ର ସରକାର କଳା କୃଷି ଆଇନକୁ ନେଇ ସାରା ଦେଶରେ ଚାଷୀ ଆନ୍ଦୋଳନ ତୀବ୍ର ରୂପ ନେଲାଣି। ଓଡ଼ିଶାରେ ଚାଷୀମାନେ ଯେପରି ସ୍ବର ନ ଉଠାନ୍ତି, ସେଥିପାଇଁ ସୁଚିନ୍ତିତ ଯୋଜନା କରି ରାଜ୍ୟର ଚାଷୀଙ୍କ ମନକୁ ବିଜେପି ଅନ୍ୟଆଡ଼େ ନେବା ପାଇଁ ଉଦ୍ୟମ କରୁଛି। ନାବାଳିକା ଅପହରଣ, ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଜନ ସଂଖ୍ୟା ଦୃଷ୍ଟିରୁ ଓଡ଼ିଶା ଏକ ନମ୍ବରେ ପହଞ୍ଚିଲାଣି। ଏଥିପାଇଁ ଗୃହ ବିଭାଗର ମନ୍ତ୍ରୀ ଭାବେ ମୁଖ୍ୟମନ୍ତ୍ରୀ ଉତ୍ତରଦାୟୀ। କଂଗ୍ରେସ ଆରମ୍ଭରୁ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଆସିଛି। ବିଜେପି କାହିଁକି ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରୁନି?

ନୟାଗଡ଼ ଘଟଣାରେ ସରକାର ଏସ୍‌ଆଇଟି ଗଠନ କଲେ ଏବଂ ଏସ୍‌ଆଇଟି ତଦନ୍ତ କରି ଜଣଙ୍କୁ ଗିରଫ କରିଛି। କିନ୍ତୁ ବିଜେପି ଦଳ ତାକୁ ଗ୍ରହଣ କରୁନି। କୌଣସି ରାଜନୈତିକ ଦଳକୁ ଆନ୍ଦୋଳନ କିମ୍ବା ପଦଯାତ୍ରା କରିବା ମନା ନାହିଁ। କିନ୍ତୁ ଏହି ଘଟଣାରେ ଏସ୍‌ଆଇଟି ତଦନ୍ତକୁ ଯେତେବେଳେ ହାଇକୋର୍ଟ ପରିଚାଳନା କରୁଛନ୍ତି, ସେତେବେଳେ ହାଇକୋର୍ଟଙ୍କୁ ଅପେକ୍ଷା ନ କରି ବିଭିନ୍ନ ଆନ୍ଦୋଳନ କରିବା ଖୋଦ ନ୍ୟାୟାଳୟର ଅବମାନନା। ଏହି ଅବସରରେ ବିଜେପିକୁ ଟାର୍ଗେଟ୍‌ କରି ସେ ଉତ୍ତରପ୍ରଦେଶର ହାଥରସ୍‌ ଦଳିତ ଯୁବତୀ ଦୁଷ୍କର୍ମ ଓ ହତ୍ୟା ଘଟଣାର ଉଦାହରଣ ଦେଇଥିଲେ ଓ ବିଜେପି ଏବଂ କଂଗ୍ରେସର ଭୂମିକା ସଂପର୍କରେ ଅବତାରଣା କରିଥିଲେ। ନୟାଗଡ଼ ଘଟଣାକୁ ନେଇ ଜଣେ ବ୍ୟକ୍ତିଙ୍କ ସହ ମନ୍ତ୍ରୀ ଟେଲିଫୋନ୍‌ରେ ବାର୍ତ୍ତାଳପ କରୁଥିବା ଏକ ଅଡିଓ ଭାଇରାଲ୍‌ ହୋଇଛି। ଏହା ବାସ୍ତବରେ ମନ୍ତ୍ରୀଙ୍କ ସ୍ବର କି ଆଉ କଣ ତାର ତଦନ୍ତ ହେବା ଦରକାର ବୋଲି ସେ କହିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ତାରା ପ୍ରସାଦ ବାହିନୀପତି, ଅଧିରାଜ ମୋହନ ପାଣିଗ୍ରାହୀ, ରମେଶ ଜେନା, ଜଗନ୍ନାଥ ପଟ୍ଟନାୟକ, କୈଳାସ ଆଚାର୍ଯ୍ୟ ଓ ମନୋଜ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର