୫ ଜିଲ୍ଲାରେ ନୂଆ ଏଆର୍‌ଟି ସେଣ୍ଟର

ଭୁବନେଶ୍ୱର : ରାଜ୍ୟର ୫ଟି ଜିଲ୍ଲାରେ ନୂଆ ଆଣ୍ଟି ରେ‌ଟ୍ରୋଭାଇରାଲ ଥେରାପି ବା ଏଆର୍‌ଟି ସେଣ୍ଟର୍‌ ଖୋଲିବ। ଏଥିପାଇଁ ଜାତୀୟ ଏଡସ୍‌ ନିୟନ୍ତ୍ରଣ ସମିତି ନାକୋ ପକ୍ଷରୁ ମଂଜୁରି ମିଳି ସାରିଛି। ବାରିପଦା ମେଡିକାଲ କଲେଜ, କେନ୍ଦ୍ରାପଡ଼ା, କେନ୍ଦୁଝର, କଳାହାଣ୍ଡି ଓ ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏହି କେନ୍ଦ୍ର ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଫଳରେ ରାଜ୍ୟରେ ଏଆର୍‌ଟି ‌ସେଣ୍ଟର୍‌ ସଂଖ୍ୟା ୧୯କୁ ବୃଦ୍ଧି ପାଇବ। ଏଚ୍‌ଆଇଜି ସଂକ୍ରମିତ ବ୍ୟକ୍ତିମାନଙ୍କୁ ନିଜ ଜିଲ୍ଲାରେ ହିଁ ଔଷଧ ପାଇବାର ସୁବିଧା ମିଳିପାରିବ। ଏହାସହ ରାଜ୍ୟରେ ୧୯ଟି ଲିଙ୍କ-ଏଆରଟି ସେଣ୍ଟର ରହିଛି।

ପୂର୍ବରୁ କୋରାପୁଟ୍‌ରେ ଥିବା ଏଆରଟି ସେଣ୍ଟରଟି ପିପିପି ମୋଡ୍‌ରେ କାର୍ଯ୍ୟ କରୁଥିଲା। ତେବେ ଘରୋଇ ସଂସ୍ଥା ସହ ଧାର୍ଯ୍ୟ ଚୁକ୍ତି ଶେଷ ହେବା ପରେ ଏବେ ସଂପୃକ୍ତ ସଂସ୍ଥା ଏଥିରୁ ଓହରିଯାଇଛି। ଫଳରେ ରାଜ୍ୟ ସରକାର ଏବେ ତାହାର ପରିଚାଳନା ଦାୟିତ୍ବ ନେଇଛନ୍ତି। ରାଜ୍ୟରେ ୨୬,୮୧୭ ଜୀବନ୍ତ ଏଚ୍‌ଆଇଭି ସଂକ୍ରମିତ ଏଆରଟି ସେଣ୍ଟର ଦ୍ବାରା ଲାଭବାନ ହୋଇପାରୁଛନ୍ତି। ରାଜ୍ୟ ଏଡ୍‌ସ ନିୟନ୍ତ୍ରଣ ସମିତି ବା ଓସାକ୍ସ ପକ୍ଷରୁ ମିଳିଥିବା ସୂଚନା ଅନୁସ‌ାରେ, ଏଆର୍‌ଟି ସେଣ୍ଟର୍‌ ପ୍ରତିଷ୍ଠା କରିବା ଲାଗି କେନ୍ଦ୍ର ସରକାରଙ୍କ ଏକ ନିର୍ଦ୍ଦିଷ୍ଟ ଗାଇଡଲାଇନ୍ ରହିଛି। ଏଥିରେ ଏଚ୍‌ଆଇଭିପ୍ରବଣ ଜିଲ୍ଲାଗୁଡ଼ିକୁ ଚି‌ହ୍ନଟ କରାଯାଇ ସେହି ଅନୁଯାୟୀ, ଏଆର୍‌ଟି ସେଣ୍ଟର ପ୍ରତିଷ୍ଠା କରିବା ଲାଗି ଅନୁମତି ପ୍ରଦାନ କରାଯାଇଥାଏ। ରାଜ୍ୟରେ ପ୍ରଥମେ ବ୍ରହ୍ମପୁରଠାରେ ଏଆର୍‌ଟି ସେଣ୍ଟର୍‌ କାର୍ଯ୍ୟକ୍ଷମ ହୋଇଥିଲା। ପରବର୍ତୀ ସମୟରେ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧିକୁ ନଜରରେ ରଖି ଏଆରଟି ସେଣ୍ଟର ସଂଖ୍ୟାରେ ମଧ୍ୟ ବୃଦ୍ଧି କରାଯାଇଛି।

ଡିସେମ୍ବର ୧ ତାରିଖ ହେଉଛି ବିଶ୍ବ ଏଡ୍‌ସ ଦିବସ। ଏଚ୍‌ଆଇଭି/ଏଡ୍‌ସର ଭୟବହତା ଦୃଷ୍ଟିରୁ ବିଶ୍ବବ୍ୟାପୀ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଲାଗି ଏହି ଦିବସ ପାଳନ କରାଯାଉଛି। ଚଳିତବର୍ଷ ବିଶ୍ବ ଏଡ୍‌ସ ଦିବସର ଅନୁଚିନ୍ତା ରହିଛି ‘ବିଶ୍ବ ଏକତା, ସହଭାଗୀ ଦାୟିତ୍ବ’। ଏବେ ସୁଦ୍ଧା ଏଚ୍‌ଆଇଭି/ଏଡ୍‌ସର ସ୍ଥାୟୀ ନିରାକରଣ ପାଇଁ ଔଷଧ ବାହାରି ନଥିବାରୁ ସଚେତନତା ଓ ସଂଯମ ହିଁ ଏକମାତ୍ର ଔଷଧ। ରାଜ୍ୟରେ ଚଳିତବର୍ଷ ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ୫୨,୦୬୭ ଏଚ୍‌ଆଇଭି ସଂକ୍ରମିତ ବ୍ୟକ୍ତି ପଂଜୀକୃତ ହୋଇଛନ୍ତି। ସେମାନଙ୍କୁ ବିନା ମୂଲ୍ୟରେ ପରାମର୍ଶ, ପରୀକ୍ଷା ଓ ଚିକିତ୍ସା ଯୋଗାଇ ଦିଆଯାଉଛି। ରାଜ୍ୟରେ ଏଚ୍‌ଆଇଭି ସଂକ୍ରମିତ ବ୍ୟକ୍ତି ଆର୍ଥିକ ଦୃଷ୍ଟିରୁ ଅନଗ୍ରସର। ସେମାନଙ୍କ ମଧ୍ୟରୁ ଅଧିକାଂଶ ପ୍ରବାସୀ ଶ୍ରମିକ ହୋଇଥିବା ବେଳେ ସେମାନଙ୍କ ପରିବାର ଏହି ସଂକ୍ରମଣର ଶିକାର ହୋଇଥା’ନ୍ତି।

ରାଜ୍ୟରେ ଏଚ୍‌ଆଇଭି ସଂକ୍ରମିତ ବ୍ୟକ୍ତିମାନଙ୍କ ମଧ୍ୟରେ ୨୫-୪୯ବର୍ଷର ବ୍ୟକ୍ତି ସର୍ବାଧିକ ସଂକ୍ରମିତ। ୨୫,୨୭୨ ପୁରୁଷ, ୧୨,୨୮୭ ମହିଳାଙ୍କୁ ମିଶାଇ ସମୁଦାୟ ୩୭,୫୫୯ ଅର୍ଥାତ୍ ୭୬ ପ୍ରତିଶତ ବ୍ୟକ୍ତି ସଂକ୍ରମିତ ହୋଇଛନ୍ତି। ୫୦ ବର୍ଷରୁ ଅଧିକ ୩,୫୬୭ ବ୍ୟକ୍ତି(୭ ପ୍ରତିଶତ), ୧୫-୨୪ବର୍ଷର ୪୬୭୯(୧୦ ପ୍ରତିଶତ) ଓ ୧୪ ବର୍ଷରୁ କମ୍ ମାତ୍ର ୭ ପ୍ରତିଶତ ବା ୩୨୬୨ ସଂକ୍ରମିତ ବ୍ୟକ୍ତି ରହିଛନ୍ତି। ୬୫ ଜଣଙ୍କ ବୟସ ସଂପର୍କରେ ସବିଶେଷ ତଥ୍ୟ ଉପଲବ୍ଧ ନାହିଁ। ୨୦୦୨ ମସିହାରୁ ଚଳିତ ବର୍ଷ ଭିତରେ ଏହି ବ୍ୟକ୍ତିମାନେ ସଂକ୍ରମିତ ହୋଇଛନ୍ତି। ରାଜ୍ୟରେ ଏଚ୍‌ଆଇଭି ସଂକ୍ରମଣର ମୁଖ୍ୟ ଉତ୍ସ ହେଉଛି ଅସୁରକ୍ଷିତ ଯୌନ ସଂପର୍କ। ଏଥିରେ ୮୮ ପ୍ରତିଶତ ଅର୍ଥାତ୍ ୪୩,୨୪୫ ବ୍ୟକ୍ତି ଆକ୍ରାନ୍ତ ହୋଇଛନ୍ତି। ସଂକ୍ରମିତ ରକ୍ତ ୬୭୨ଜଣ, ସଂକ୍ରମିତ ଛୁଞ୍ଚି ଓ ସିରିଞ୍ଜରୁ ୭୩୧ ଜଣକୁ ମିଶାଇ ୧ପ୍ରତିଶତ ଲେଖାଏଁ, ପିପିଟିସିଟିରୁ ୬ ପ୍ରତିଶତ ଓ ୩ ପ୍ରତିଶତ ବ୍ୟକ୍ତିଙ୍କ ସଂପର୍କରେ କୌଣସି ତଥ୍ୟ ନାହିଁ।

ରାଜ୍ୟରେ ଓସାକ୍ସ ଆରମ୍ଭ ହେବା ପରଠାରୁ ଏ ପର୍ଯ୍ୟନ୍ତ ୫୨,୦୬୭ ଲୋକ ଚିହ୍ନଟ ହୋଇଛନ୍ତି। ଏଥିରେ ଆଣ୍ଟି ନାଟାଲ କେୟାର ବା ଏଏନ୍‌ସିରେ ୨୯୩୫ଜଣ ଥିବା ବେଳେ ୪୯,୧୩୨ଜଣ ଅନ୍ୟମାନେ ଚିହ୍ନଟ ହୋଇଛନ୍ତି। ଗଞ୍ଜାମରେ ସର୍ବାଧିକ ୮୮୯ଜଣ ଓ ବୌଦ୍ଧରେ ସର୍ବନିମ୍ନ ୯ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଗଞ୍ଜାମରେ ରାଜ୍ୟର ସର୍ବାଧିକ ଏଚ୍‌ଆଇଭି ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଜିଲ୍ଲାରେ ୧୬,୨୧୯ ଅର୍ଥାତ୍ ୩୧.୨ ପ୍ରତିଶତ ସଂକ୍ରମିତ ବ୍ୟକ୍ତି ରହିଛନ୍ତି। ଖୋର୍ଧାରେ ୩୦୪୭(୫.୯ ପ୍ରତିଶତ) ଓ ବୌଦ୍ଧରେ ୦.୧ ପ୍ରତିଶତ ଅର୍ଥାତ୍ ମାତ୍ର ୭୨ଜଣ ଚିହ୍ନଟ ହୋଇଛନ୍ତି।

ସମ୍ବନ୍ଧିତ ଖବର