ସୀମା ସିଲ୍‌ରେ ଘଳିଆ! ପଶ୍ଚିମବଙ୍ଗରୁ ବିପଦ ଆସିଲା, ପୁଲିସ ଜାଣିପାରିଲାନି

ଲୋକେ ରାସ୍ତାକୁ ଓହ୍ଲାଇଲେ ନିର୍ଘାତ ମାଡ଼, କିନ୍ତୁ ଏଠି ଚୁପ୍?

୭୪ ସଂକ୍ରମିତଙ୍କ ମଧ୍ୟରୁ ୨୪ଜଣଙ୍କର ପଶ୍ଚିମବଙ୍ଗ ଲିଙ୍କ୍
୨୮ ଦିନ ଭିତରେ ଆସିଥିବା ବ୍ୟକ୍ତି ସଙ୍ଗରୋଧରେ ରହିବେ

ଭୁବନେଶ୍ବର : ଓଡ଼ିଶାରେ ପୁଣି ଥରେ କରୋନାର ପ୍ରକୋପ ଦେଖିବାକୁ ମିଳିଛି। ଆଜି ଗୋଟିଏ ଦିନରେ ୧୩ଜଣଙ୍କ ନିକଟରେ କୋଭିଡ୍-୧୯ ଭୂତାଣୁ ଥିବା ସରକାର ସୂଚନା ଦେଇଛନ୍ତି।

ଉଦ୍‌ବେଗର ବିଷୟ ହେଲା ଯେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୦ଜଣ ହେଉଛନ୍ତି ପଶ୍ଚିମବଙ୍ଗର। ସମୁଦାୟ ସ୍ଥିତି ଅନୁଧ୍ୟାନ ପରେ ସ୍ବାସ୍ଥ୍ୟ ବିଭାଗ ଆହୁରି ଜଣାଇଛି ଯେ ଓଡ଼ିଶାରେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ମୋଟ ୭୪ ଜଣଙ୍କ ମଧ୍ୟରୁ ୨୪ ଜଣ ପଶ୍ଚିମବଙ୍ଗରୁ ଆସିଛନ୍ତି କିମ୍ବା ଫେରିଥିବା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଛନ୍ତି।

ସରକାରଙ୍କ ଏହି ତଥ୍ୟ କେଉଁଠି ନା କେଉଁଠି ସୂଚାଇ ଦେଉଛି, ଓଡ଼ିଶା ପାଇଁ ପଶ୍ଚିମବଙ୍ଗ ବିପଦ ପାଲଟିଛି।

କୋଭିଡ୍-୧୯ପାଇଁ ରାଜ୍ୟ ସରକାର ନିଯୁକ୍ତି ଦେଇଥିବା ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚୀ ଆଜି ପଶ୍ଚିମବଙ୍ଗ ଫେରନ୍ତାଙ୍କୁ ସତର୍କ କରାଇଛନ୍ତି। କହିଛନ୍ତି ଯେ ଏହି ପ୍ରଦେଶରୁ ଫେରିଥିବା ସମସ୍ତ ବ୍ୟକ୍ତି କ୍ବାରାଣ୍ଟିନ୍‌ରେ ରହିବେ। ୨୮ ଦିନ ଭିତରେ କୋଲକାତାରୁ ଫେରିଥିବା ସମସ୍ତ ବ୍ୟକ୍ତିଙ୍କୁ ସଙ୍ଗରୋଧରେ ରହିବା ପାଇଁ ପରାମର୍ଶ ଦିଆଯାଇଛି। କୌଣସି ବ୍ୟକ୍ତି ସହଯୋଗ ନକଲେ ଆଇନତଃ କାର୍ଯ୍ୟାନୁଷ୍ଠାନ ଗହଣ କରାଯିବ ବୋଲି ସରକାର କହିଛନ୍ତି।

କୌତୂହଳର କଥା ହେଲା, କେନ୍ଦ୍ର ସରକାର ୨୫ ତାରିଖରୁ ଲକ୍‌ଡାଉନ୍ ଘୋଷଣା କରିଛନ୍ତି। ସେବେଠାରୁ ସୀମା ସିଲ୍ ହୋଇଛି। ଟ୍ରେନ୍ କିମ୍ବା ବିମାନ ସେବା ଉପଲବ୍ଧ ନାହିଁ। ଏପରିସ୍ଥଳେ ପଶ୍ଚିମବଙ୍ଗରୁ ଓଡ଼ିଶାକୁ ଲୋକ ଆସିଲେ କେମିତି? ପୁଲିସ ଆଖିରେ ଯଦି ଧୂଳି ଦେଇ ଖସିଥାନ୍ତି, ତେବେ ଲକ୍‌ଡାଉନ୍ ନିୟମ ଉଲ୍ଲଂଘନ ଅଭିଯୋଗରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା କଥା। ଅନ୍ୟଥା ସଂପୃକ୍ତ ସୀମାରେ ପୁଲିସ କେମିତି ଜଗିଥିଲେ ଯେ ଓଡ଼ିଶା ସୀମାକୁ ଚାରଚକିଆ ଗାଡ଼ିରେ ଲୋକେ ପଶିଆସିଲେ?

ଓଡ଼ିଶା-ବଙ୍ଗ ସୀମାନ୍ତରେ ଅଟକାଇବାର ଦାୟିତ୍ୱ ଓଡ଼ିଶା ସରକାରଙ୍କର ଥିଲା।

କିନ୍ତୁ ଆନ୍ତଃ-ରାଜ୍ୟ ସୀମା ସିଲ୍‌ କରିବାରେ କିଏ ହେଳା କଲା? ଏଭଳି ହେଳା କରିଥିବା ବ୍ୟକ୍ତିଙ୍କ ବିରୋଧରେ ସରକାର କି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି? ଅନ୍ୟଥା ସବୁ ରାଜ୍ୟ ସୀମା ବିପଦ ଟାଣିଆଣିପାରେ।

ଆଜି ସକାଳେ ଯାଜପୁର ଜିଲ୍ଲାପାଳ ରଂଜନ ଦାସ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ ଗୋଟିଏ ଗାଡ଼ିରେ କିଛି ବ୍ୟକ୍ତି ପଶ୍ଚିମବଙ୍ଗରୁ ଫେରିଥିଲେ ଓ ସେମାନଙ୍କ ମଧ୍ୟରୁ ଜଣେ ଭଦ୍ରକରେ ଓହ୍ଲାଇଥିଲେ ଓ ଯିଏ ଆଜି ସଂକ୍ରମିତ। ସଂପୃକ୍ତ ଗାଡ଼ିରେ ବସିଥିବା ବାକି ଲୋକ ଯାଜପୁରର ଷଠିପୁରରେ ଓହ୍ଲାଇବେ ବୋଲି କହୁଥିଲେ। ଅର୍ଥାତ୍ ଭଦ୍ରକ ଓ ଯାଜପୁର ଲୋକଙ୍କ ଭିତରେ ସାମାନ୍ୟ ପରିଚୟ ନାହିଁ। ଏହି ଘଟଣାକୁ ଉଦାହରଣ ଭାବେ ନେଲେ ଜଣାପଡୁଛି ଯେ ସଂପୃକ୍ତ ଗାଡ଼ି ଭଡ଼ାରେ ବ୍ୟବହାର ହୋଇଥିଲା। ଏହା ସୀମା ଡ଼େଇଁ ଆସିଲା କେମିତି? କିଏ ରାଜ୍ୟ ସରକାରଙ୍କ ନିର୍ଦେଶକୁ ଉଲ୍ଲଂଘନ କରି ଏଭଳି ବିପଦ ମଞ୍ଜି ବୁଣୁଛନ୍ତି। ଯଦି ରାସ୍ତାକୁ ବାହାରିଲେ, ପୁଲିସ ନିର୍ଘାତ ମାରୁଛି, ମାମଲା ରୁଜୁ କରୁଛି, ତେବେ ସୀମା ଡେଇଁ ଲୁଚି ଆସିଥିବା ବ୍ୟକ୍ତିଙ୍କୁ ଛାଡ଼ କରାଗଲା କେମିତି?

ସ୍ମରଣଯୋଗ୍ୟ ଯେ ରାଜ୍ୟ ସରକାରଙ୍କ ଲକ୍‌ଡାଉନ୍ ଆଇନକୁ ଖୋଦ୍ ପୁଲିସ ଅଧିକାରୀ ମାନୁନାହାନ୍ତି, ଏକଥା ରବିବାର ବଡ଼ଚଣା ଥାନା ଅଧିକାରୀ ପ୍ରମାଣିତ କରିଛନ୍ତି। ପରିବାର ସହିତ ପୁରୀ ଯାଇ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବା ବେଳେ ଧରାପଡ଼ିଲେ। ପୁଲିସ ଉଚ୍ଚ କର୍ତୃପକ୍ଷ ତାଙ୍କୁ ନିଲମ୍ବିତ କରିଛନ୍ତି। ଯଦି ଥାନା ବାବୁ ନିଜେ ଏମିତି ମାନୁଛନ୍ତି, ସେ ଥାନା ଦାୟିତ୍ବରେ ଥିବା ବେଳେ ସରକାରଙ୍କ ଲକ୍‌ଡ଼ାଉନ ନିୟମ କିଭଳି ପାଳନ ହେଉଥିବ, ତାହା ସହଜରେ ବୁଝାପଡ଼ୁଛି।

ସମ୍ବନ୍ଧିତ ଖବର