ରାଜଧାନୀରେ ପ୍ରତିଷ୍ଠା ହେବ ସାଇବର ଥାନା

ପୁଲିସର ମୁୁଣ୍ଡ ବିନ୍ଧା କଲାଣି ଭାଇରାଲ ଭିଡିଓ

ଭୁବନେଶ୍ୱର: ପୁଲିସ ପାଇଁ ଏବେ ମୁଣ୍ଡ ବିନ୍ଧାର କାରଣ ହେଲାଣି ଭାଇରାଲ ଭିଡିଓ। ପ୍ରତିଦିନ ଗୋଟିଏ ଗୋଟିଏ ନୂଆ ନୂଆ ଅଶ୍ଳୀଳ ଭିଡିଓ ସୋସିଆଲ ମିଡିଆକୁ ଆସୁଛି। ଯୁବତୀଙ୍କ ଇଜ୍ଜତ ବାଜିରେ ଲାଗୁଛି। ଏଭଳି ଏକାଧିକ ଅଭିଯୋଗ ଏବେ କମିସନରେଟ୍‌ ପୁଲିସ ନିକଟରେ ପହଞ୍ଚିିବାରେ ଲାଗିଛି। କିନ୍ତୁ ଏଭଳି ସାଇବର ଅପରାଧର କିଭଳି ଭାବେ ତଦନ୍ତ ହେବ ସେ ନେଇ ସାଧାରଣ ପୁଲିସ ସଂପୂର୍ଣ୍ଣ ଅଜ୍ଞ। ଅନେକ ସମୟରେ ଦେଖା ଯାଉଛି ପୁଲିସ ମଧ୍ୟ ସାଇବର ଅପରାଧକୁ ଗ୍ରହଣ କରୁନାହିଁ। ଫଳରେ ମାମଲା ଚପି ଯାଉଛି। ଏଥିପାଇଁ ରାଜଧାନୀରେ ଏକ ସ୍ୱତନ୍ତ୍ର ସାଇବର ଥାନା ପ୍ରତିଷ୍ଠା ପାଇଁ ଯୋଜନା ହୋଇଛି। ଏ ନେଇ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ରାଜ୍ୟ ସରକାର ପ୍ରସ୍ତାବରେ ରାଜି ହେଲେ ଖୁବ ଶୀଘ୍ର ରାଜଧାନୀରେ ସାଇବର ଥାନା କାର୍ଯ୍ୟକ୍ଷମ ହେବ।

ପୁଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ସୂଚନା ମୁତାବକ, ଗତ କିଛି ଦିନ ହେବ ସାରା ରାଜ୍ୟରେ ସାଇବର ଅପରାଧ ବଢ଼ି ଚାଲିଛି। ଗତ କିଛି ଦିନ ହେଲା ଯୁବତୀ ଓ ଛାତ୍ରୀମାନଙ୍କ ଭାଇରାଲ ଭିଡିଓକୁ ନେଇ ସାରା ରାଜ୍ୟରେ ଚର୍ଚା ଚାଲିଛି। ବିଶେଷ କରି ମୟୂରଭଞ୍ଜ, କେନ୍ଦୁଝର ଓ ରାଜଧାନୀର ଛାତ୍ରୀଙ୍କ ଏକାଧିକ ଅଶ୍ଳୀଳ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେଣୁ ପ୍ରଥମ ପଦକ୍ଷେପ ସ୍ୱରୂପ ଏଭଳି ସମ୍ବେଦନଶୀଳ ମାମଲାର ତଦନ୍ତ ପାଇଁ ରାଜ୍ୟର ୩ଟି ସ୍ଥାନରେ ସାଇବର ଥାନା ପ୍ରତିଷ୍ଠା ପାଇଁ ଯୋଜନା ହୋଇଛି। ପ୍ରଥମ ପଦକ୍ଷେପ ସ୍ୱରୂପ ଭୁବନେଶ୍ୱରରେ ସାଇବର ଥାନା ପ୍ରତିଷ୍ଠା ହେବ। ପରେ ବାଲେଶ୍ୱର ଓ ଜୟପୁରରେ ଏଭଳି ଥାନା ପ୍ରତିଷ୍ଠା ହେବ। ଏଥିପାଇଁ ରାଜ୍ୟର ୯୦ ଜଣ ବଛା ପୁଲିସ ଅଫିସରଙ୍କୁ ମଧ୍ୟ ତାଲିମ ଦିଆ ସରିଲାଣି। ରାଜ୍ୟ ବାହାରକୁ ଯାଇ ସେମାନେ ସାଇବର ଅପରାଧର କେମିତି ତଦନ୍ତ ହେଉଛି ତାହା ଅନୁଧ୍ୟାନ କରିଛନ୍ତି। କେବଳ ରାଜ୍ୟ ସରକାରଙ୍କ ସୁପାରିସ୍‌ ବାକି ରହିଛି ବୋଲି ଡିଜି ଶର୍ମା ସୂଚନା ଦେଇଛନ୍ତି।

ବର୍ତମାନ କଟକରେ କ୍ରାଇମ୍‌ବ୍ରାଞ୍ଚ୍‌ କାର୍ଯ୍ୟାଳୟରେ ସାଇବର ଥାନା ରହିଛି। ସାରା ରାଜ୍ୟରେ ଏହି ଗୋଟିଏ ସାଇବର ଥାନା ଥିବାରୁ ଅନେକ କଟକ ଆସି ଅଭିଯୋଗ କରିବା ସମ୍ଭବପର ହେଉ ନାହିଁ। ସ୍ଥାନୀୟ ଥାନାରେ ଅଭିଯୋଗ କଲେ ମଧ୍ୟ ପୁଲିସ ଅଭିଯୋଗକୁ ବିଭିନ୍ନ ଆଳ ଦେଖାଇ ଫେରାଇ ଦେଉଛି। ଅନେକ ଲୋକଲଜ୍ଜା ଭୟରେ ଥାନାରେ ମଧ୍ୟ ଅଭିଯୋଗ କରୁନାହାନ୍ତି। ଏଭଳି ପରିସ୍ଥିତିରେ ପ୍ରତ୍ୟେକ ଦିନ ଏବେ ସୋସିଆଲ ମିଡିଆକୁ ରାଜ୍ୟର ଯୁବତୀ ଓ ଛାତ୍ରୀମାନଙ୍କ ଅଶ୍ଳୀଳ ଭିଡିଓ ଆସିବାରେ ଲାଗିଛି। ସୋସିଆଲ ମିଡିଆରୁ ଏଭଳି ଭାଇରାଲ ଭିଡିଓ ହଟିବାର ନାଁ ଗନ୍ଧ ମଧ୍ୟ ଧରୁ ନାହିଁ। ତେଣୁ ସାଇବର ଥାନା ପ୍ରତିଷ୍ଠା ହେଲେ ଏନେଇ ପୁଲିସ ତଦନ୍ତ ଆଗେଇବା ସହିତ ଦୁର୍ବୃତ୍ତମାନେ ଗିରଫ ହୋଇ ପାରିବେ ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି।

ଏକ ହିସାବ ଅନୁଯାୟୀ, ୨୦୧୬ ମସିହାରେ କଟକ ସାଇବର ଥାନାରେ ୩୭୮ଟି ମାମଲା ରୁଜୁ ହୋଇଥିବାବେଳେ ଚଳିତ ବର୍ଷ ଅକ୍ଟୋବର ମାସ ସୁଦ୍ଧା ୬୬୯ଟି ମାମଲା ରୁଜୁ ହୋଇ ସାରିଛି। କଟକ ସାଇବର ଥାନାକୁ ଛାଡ଼ି ରାଜ୍ୟର ଅନ୍ୟାନ୍ୟ ଥାନାରେ ୨୮ଟି ସାଇବର ଅପରାଧ ଜନିତ ମାମଲା ରୁଜୁ ହୋଇଛି। ଏ ସବୁକୁ ଛାଡ଼ିଦେଲେ କମିସନରେଟ୍‌ ପୁଲିସ କେବଳ ୨୦୧୬ରେ ୮୫ଟି ସାଇବର ଅପରାଧ ମାମଲା ରୁଜୁ କରିଥିଲା। ଉଲ୍ଲେଖଯୋଗ୍ୟ ଯେ ଏହା ପୂର୍ବରୁ ରାଜ୍ୟ ସରକାର ରାଉରକେଲା, ବ୍ରହ୍ମପୁର ଓ ସମ୍ବଲପୁରରେ ସାଇବର ଥାନା ପ୍ରତିଷ୍ଠା ପାଇଁ ମଞ୍ଜୁରି ଦେଇ ସାରିଛନ୍ତି।

ସମ୍ବନ୍ଧିତ ଖବର