ନିର୍ବାଚନରେ କିନ୍ନରମାନଙ୍କ ପାଇଁ ୫% ସ୍ଥାନ ସଂରକ୍ଷଣ ଦାବି

ଭୁବନେଶ୍ୱର,: କିନ୍ନରମାନଙ୍କ ପାଇଁ ରାଜ୍ୟସଭା, ଲୋକସଭା ଓ ବିଧାନସଭାରେ ୫ ପ୍ରତିଶତ ସ୍ଥାନ ସଂରକ୍ଷଣ ଦାବି କରି ଆଜି ଟିିଜି ସୁରକ୍ଷା ଟ୍ରଷ୍ଟ ଓ ନିଖିଳ ଓଡ଼ିଶା କିନ୍ନର ମହାସଂଘ ପକ୍ଷରୁ ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ-ତଥା-ଯୁଗ୍ମ ଶାସନ ସଚିବ ସ୍ୱରାଷ୍ଟ୍ର (ନିର୍ବାଚନ) ବିଭାଗ ଭବାନୀ ପ୍ରସାଦ ରାୟଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି। ସଂଘର ଏକ ୫ଜଣିଆ ପ୍ରତିନିଧି ମଣ୍ଡଳୀ ଯାଇ ଦାବି ପତ୍ର ପ୍ରଦାନ କରିଥିଲେ।

ଦାବି ଗୁଡ଼ିକ ମଧ୍ୟରେ ଭାରତରେ ତଥା ଓଡ଼ିଶାରେ ହେବାକୁ ଥିବା ଆଗାମୀ ଲୋକସଭା, ବିଧାନସଭା ନିର୍ବାଚନରେ କିନ୍ନରମାନଙ୍କ ଲାଗି ୫% ସ୍ଥାନ ସଂରକ୍ଷଣ କରାଯାଉ, ଦେଶରେ ହେଉଥିବା ରାଜ୍ୟସଭା ସାଂସଦ ପାଇଁ ମଧ୍ୟ ୫% ସ୍ଥାନ ସଂରକ୍ଷଣ କରାଯାଉ। ରାଷ୍ଟ୍ରପତିଙ୍କ ଦ୍ୱାରା ମନୋନୀତ ହେଉଥିବା ସାଂସଦମାନଙ୍କ ମଧ୍ୟରୁ ଦୁଇଜଣ କିନ୍ନରଙ୍କୁ ରାଜ୍ୟସଭା ସାଂସଦ କରାଯାଉ, ଓଡ଼ିଶା ହେବାକୁ ଥିବା ମୁନିସପାଲିଟି ନିର୍ବାଚନରେ କାଉନସିଲର ପଦବୀ ପାଇଁ କିନ୍ନରମାନଙ୍କ ଲାଗି ୫% ସ୍ଥାନ ସଂରକ୍ଷଣ କରାଯାଉ, ଓଡ଼ିଶାରେ ହେବାକୁ ଥିବା ଏନ୍‌.ଏ.ସି. ନିର୍ବାଚନରେ କାଉନ୍‌ସିଲର ପଦବୀ ପାଇଁ କିନ୍ନରମାନଙ୍କ ଲାଗି ୫% ସ୍ଥାନ ସଂରକ୍ଷଣ କରାଯାଉ, କିନ୍ନରମାନଙ୍କ ପାଇଁ ସ୍ପେଶାଲ କ୍ୟାମ୍ପ କରି ଭୋଟ ପରିଚୟ ପତ୍ର ଯୋଗାଇ ଦେବାକୁ ଦାବି କରାଯାଇଥିଲା। ତେବେ କେନ୍ଦ୍ରୀୟ ନିର୍ବାଚନ କମିଶନଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଦାବିକୁ ଖୁବ୍‌ ଶୀଘ୍ର ପୂରଣ କରିବା ନେଇ ଖୁବ୍‌ ଶୀଘ୍ର ଆଲୋଚନା କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରତିଶ୍ରୁତି ଦେଇଥିବା ସଂଘ ପକ୍ଷରୁ କୁହାଯାଇଛି। ଆଜିର ଏହି କାର୍ଯ୍ୟକ୍ରମରେ ମହାସଂଘର ସଭାପତି ପ୍ରତାପ କୁମାର ସାହୁ, ଟିଜି ସୁରକ୍ଷା ଟ୍ରଷ୍ଟର ସଭାପତି ମେନକା କିନ୍ନର, ଉପସଭାନେତ୍ରୀ ସୁଇଟି କିନ୍ନର, ପିୟା କିନ୍ନର, ରିନା କିନ୍ନର, ପୂଜା କିନ୍ନର, ସୋନାଲି, ଗୁଡୁଲି କିନ୍ନର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର