ଆର୍‌ଟିଓ ଅଫିସରେ ଚିହ୍ନା ପଡ଼ିଯିବେ ଦଲାଲ : କର୍ମଚାରୀ ପିନ୍ଧିବେ ନୀଳ, ସବୁଜ, ହଳଦିଆ ପରିଚୟପତ୍ର

ପରିବହନ କମିସନର ଜାରି କଲେ ନିର୍ଦେଶନାମା, କାନ୍ଥରେ ଝୁଲିବ ସରକାରୀ ଦର

କଟକ : ଆରଟିଓ ଅଫିସରେ ଏଣିକି ସହଜରେ ଧରା ପଡିଯିବେ ଦଲାଲ। ସେମାନଙ୍କୁ କର୍ମଚାରୀଙ୍କ ଠାରୁ ଅଲଗା କରିବା ପାଇଁ ପରିବହନ କମିସନର ବିଭିନ୍ନ ରଂଗର ପରିଚୟପତ୍ର ବ୍ୟବସ୍ଥା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଆରଟିଓରେ କାର୍ଯ୍ୟରତ ସରକାରୀ କର୍ମଚାରୀଙ୍କ ପରିଚୟପତ୍ର ଫିତା ନୀଳ(ବ୍ଲୁ) ରଂଗ କରିବାକୁ କୁହାଯାଇଥିବା ବେଳେ ଘରୋଇ ସଂସ୍ଥା କର୍ମଚାରୀଙ୍କୁ ସବୁଜ (ଗ୍ରିନ୍‌) ଏବଂ ସ୍ମାର୍ଟ ଚିପ୍‌ ସଂସ୍ଥା କର୍ମଚାରୀଙ୍କୁ ହଳଦିଆ (ୟେଲୋ) ରଂଗର ପରିଚୟପତ୍ର ଫିତା ବ୍ୟବହାର ପାଇଁ ନିର୍ଦେଶ ଦିଆଯାଇଛି। ପରିବହନ କମିସନର ଶୁକ୍ରବାର ଏହି ନିର୍ଦେଶନାମା ଜାରି କରିବା ପରେ ଆସନ୍ତା ସପ୍ତାହରୁ ରାଜ୍ୟର ସମସ୍ତ ଆରଟିଓ କାର୍ଯ୍ୟାଳୟରେ ଏହା କାର୍ଯ୍ୟକାରୀ ହେବାକୁ ଯାଉଛି। ସାଧାରଣ ଲୋକଙ୍କୁ ଅବଗତ କରିବା ପାଇଁ ଆରଟିଓ କାର୍ଯ୍ୟାଳୟରେ ଲାଇସେନ୍‌ସ, ପରମିଟ୍‌, ପ୍ରଦୂଷଣ ଇତ୍ୟାଦି ପାଇଁ ସରକାରୀ ମୂଲ୍ୟ କେତେ ରହିଛି, ତାହା ବଡ଼ ବଡ଼ ଅକ୍ଷରରେ ବୋର୍ଡରେ ଲେଖି ଝୁଲାଇବାକୁ କମିସନର ନିର୍ଦେଶ ଦେଇଛନ୍ତି। ଗୋଟିଏ ପଟେ ସରକାରୀ ହସ୍ପିଟାଲ୍‌, ଆରଟିଓ କାର୍ଯ୍ୟାଳୟଗୁଡ଼ିକୁ ଦଲାଲମୁକ୍ତ କରିବାକୁ ସରକାର ଘୋଷଣା କରିବା ପରେ ରାଜ୍ୟବ୍ୟାପୀ ପୁଲିସ ଚଢ଼ଉ ଜାରି ରଖିଛି। ଏଭଳି ସ୍ଥିତିରେ ଏ ପ୍ରକାର ପଦକ୍ଷେପ ଦଲାଲ ଚିହ୍ନଟ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବ ବୋଲି ଆଶା କରାଯାଉଛି।

ଦଲାଲଙ୍କୁ ଧରିବା ପାଇଁ ପୁଲିସର ଚଢ଼ଉ ବେଳେ କାର୍ଯ୍ୟରତ ସରକାରୀ କର୍ମଚାରୀଙ୍କ ଚିହ୍ନଟକୁ ନେଇ ସମସ୍ୟା ସୃଷ୍ଟି ହୋଇଥିଲା। ବିଶେଷ କରି ଆରଟିଓ କାର୍ଯ୍ୟାଳୟରେ କିଏ ଦଲାଲ ଆଉ କିଏ କର୍ମଚାରୀ, ତାହା ଠଉରାଇବାରେ ପୁଲିସ ଅଡ଼ୁଆରେ ପଡୁଥିଲା। ଏ ସଂକ୍ରାନ୍ତରେ ସରକାର ଅବଗତ ହେବା ପରେ ପରିବହନ କମିସନର ଏଭଳି ଅଲଗା ରଂଗର ଫିତା ପରିଚୟପତ୍ରରେ ପକାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି କେଉଁ ବାବଦରେ କେତେ ସରକାରୀ ଫି’ଓ ସର୍ଭିସ୍‌ ଚାର୍ଜ ରହିଛି, ତାର ଏକ ମୂଲ୍ୟ ତାଲିକା ବଡ଼ ବଡ଼ ଅକ୍ଷରରେ କାନ୍ଥରେ ଝୁଲାଇବାକୁ କୁହାଯାଇଛି। ଇ-କିଓସ୍କ ମେସିନ୍ ଅଫିସ୍‌ ନ ଥିଲେ ସାଧାରଣ ଲୋକଙ୍କ ସହାୟତା ପାଇଁ କଲେଜ ଛାତ୍ରଙ୍କୁ ଏ କାର୍ଯ୍ୟରେ ଲଗାଇବାକୁ ଏବଂ ହେଲ୍‌ପ୍‌ ଡେସ୍କ୍‌କୁ ଅଧିକ କ୍ରିୟାଶୀଳ କରିବାକୁ କୁହାଯାଇଥିବା ବେଳେ ସିସି ଟିଭି ନ ଥିଲେ ତୁରନ୍ତ ଏହାକୁ ଲଗାଇବାକୁ ନିର୍ଦେଶ ଦିଆଯାଇଛି। ତା’ଛଡ଼ା ଦଲାଲ କବଳରେ ଯେପରି ନ ପଡ଼ିବେ, ସେଥିପାଇଁ ସଚେତନ କରିବାକୁ ନିର୍ଦେଶ ଦିଆଯାଇଥିବା ବେଳେ ଯେକୌଣସି କାର୍ଯ୍ୟ ପାଇଁ ସିଧାସଳଖ ସରକାରୀ କର୍ମଚାରୀଙ୍କ ସହ ଯୋଗାଯୋଗ କରିବାକୁ କମିସନର ସାଧାରଣ ଲୋକଙ୍କୁ ପରାମର୍ଶ ଦେଇଛନ୍ତି। ଏ କଥା ବି ଅନୁରୋଧ କରାଯାଇଛି ଯେ ଯଦି କୌଣସି ଆରଟିଓ ଅଫିସ୍‌ ପରିସରରେ ଦଲାଲ ସାଧାରଣ ଲୋକଙ୍କ ଶୋଷଣ କରୁଥିବା ଦେଖୁଛନ୍ତି, ତେବେ ପରିବହନ ବିଭାଗର ନିଜସ୍ବ ଟ୍ବିଟର୍‌ ହ୍ୟାଣ୍ଡଲ୍‌ ‘@STAodisha’କିମ୍ବା ଫେସ୍‌ବୁକ୍‌ ପେଜ୍‌ ‘ଷ୍ଟେଟ୍‌ ଟ୍ରାନ୍‌ସପୋର୍ଟ ଅଥରିଟି ଓଡ଼ିଶା’ କିମ୍ବା ହେଲ୍‌ପ ଡେସ୍କ ନମ୍ବର ୧୮୦୦୩୪୫୧୦୭୩ରେ ଅଭିଯୋଗ କରନ୍ତୁ। ଅଭିଯୋଗ ଅନୁଯାୟୀ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ସାଧାରଣ ଲୋକଙ୍କୁ କୁହାଯାଇଛି।

ସେପଟେ ଏଭଳି ନୂଆ ବ୍ୟବସ୍ଥା ସଂପର୍କରେ କଟକ ଆରଟିଓ ଦୀପ୍ତିରଂଜନ ପାତ୍ର କହିଛନ୍ତି ଯେ କମିସନର ନିର୍ଦେଶ ମିଳିବା ପରେ ପରିଚୟପତ୍ର ଓ ସରକାରୀ ରେଟ୍‌ ଚାର୍ଟ ପାଇଁ ପଦକ୍ଷେପ ନିଆଯାଇଛି। ଆସନ୍ତା ଦୁଇ ତିନି ଦିନ ମଧ୍ୟରେ ଏହା କାର୍ଯ୍ୟକାରୀ ହେବ।

ସମ୍ବନ୍ଧିତ ଖବର