ରେଳ କର୍ମଚାରୀଙ୍କ ସୁରକ୍ଷା‌ ଚିନ୍ତା: ମାସେ ବ୍ୟାପୀ ହେବ ସଚେତନତା କାର୍ଯ୍ୟକ୍ରମ

ଭୁବ‌ନେଶ୍ବର : କାର୍ଯ୍ୟସ୍ଥଳରେ ବ୍ୟକ୍ତିଗତ ସୁରକ୍ଷା ପ୍ରତି ଅଧିକ ସତର୍କତା ଅବଲମ୍ବନ କରିବାକୁ ପୂର୍ବତଟ ରେଳପଥ ପକ୍ଷରୁ ଏହାର ସମସ୍ତ କର୍ମଚାରୀମାନଙ୍କୁ ପରାମର୍ଶ ଦିଆଯାଇଛି। କାର୍ଯ୍ୟ କ୍ଷେତ୍ରରେ ସୁରକ୍ଷା ସମ୍ବନ୍ଧୀୟ ସର୍ବାଧିକ ସତର୍କତା ଅବଲମ୍ବନ କରିବାକୁ କର୍ମଚାରୀଙ୍କ ପାଇଁ ଏକ ମାସ ଧରି ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଅକ୍ଟୋବର ୨୪ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଜାରି ରହିବ। ଦେଖିବାକୁ ମିଳୁଛି ଯେ ଅଧୁନିକୀକରଣ କାର୍ଯ୍ୟ ଯଥା ଟ୍ରାକ ନବୀକରଣ, ରେଳଧାରଣାଠାରେ ଉପମାର୍ଗ, ରେଳଧାରଣା ଉପରେ ଓ ତଳେ ବ୍ରିଜ ନିର୍ମାଣ, ଷ୍ଟେସନଗୁଡ଼ିକରେ ଫୁଟ୍‌ ଓଭରବ୍ରିଜ୍‌ ନିର୍ମାଣ, ଆଧୁନିକ ସାଙ୍କେତିକ ପ୍ରଣାଳୀ, ରେଳଧାରଣାରେ ଇଣ୍ଟର ଲିଙ୍କିଙ୍ଗ୍ କାର୍ଯ୍ୟ ସମ୍ପାଦନ କରାଯାଉଥିବାରୁ ଦର୍ଘଟଣା କମୁଛି। ଏଥିସହ ସୁରକ୍ଷାର ମାନ ମଧ୍ୟ ବୃଦ୍ଧି ପାଉଛି। ତେବେ କାର୍ଯ୍ୟ କ୍ଷେତ୍ରରେ ଦୁର୍ଘଟଣାକୁ ଏଡ଼ାଇବା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଏହାର କର୍ମଚାରୀଙ୍କୁ ସତର୍କ କରାଇବା ସହ ସୁରକ୍ଷା ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବା ଲାଗି କାର୍ଯ୍ୟକ୍ରମ ହାତକୁ ନିଆଯା‌ଇଛି। ରେଳ ଟ୍ରାକ୍‌ରେ କାର୍ଯ୍ୟ କରୁଥିବା କର୍ମଚାରୀ, ମରାମତି ବିଭାଗ, ଟ୍ରେନ ଇଞ୍ଜିନ କିମ୍ବା ବଗିକୁ ସଣ୍ଟିଙ୍ଗ କରିବା ସମୟରେ ଅଥବା ଅନ୍ୟ ସୁରକ୍ଷା ସମ୍ବନ୍ଧୀୟ କାର୍ଯ୍ୟ ସମୟରେ କର୍ମଚାରୀମାନେ ସେମାନଙ୍କର ନିଜର ସୁରକ୍ଷାକୁ ଦ୍ବିଗୁଣିତ କରିବାକୁ ପରାମର୍ଶ ଦିଆଯାଇଛି। କର୍ମଚାରୀଙ୍କ ବ୍ୟକ୍ତିଗତ ସୁରକ୍ଷା ପାଇଁ ରେଳପଥ ପକ୍ଷରୁ ସେପ୍ଟେମ୍ବର ୨୫ରୁ ଅକ୍ଟୋବର ୨୪ ପର୍ଯ୍ୟନ୍ତ ମାସେ ବ୍ୟାପୀ କର୍ମଚାରୀ ବ୍ୟକ୍ତିଗତ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଜାରି ରହିବ। ଏହି ସମୟରେ ପୂର୍ବତଟ ରେଳପଥ କର୍ମଚାରୀମାନଙ୍କ ବ୍ୟକ୍ତିଗତ ସୁରକ୍ଷା ପ୍ରତି ଧ୍ୟାନ ଦେବାକୁ ଏହାର ଟ୍ରେନ ପରିଚାଳନା ବିଭାଗ, ସାଙ୍କେତିକ ଓ ଟେଲି ଯୋଗାଯୋଗ ବିଭାଗ, ସିଭିଲ ଇଂଜିନିୟରିଂ ବିଭାଗ, ମେକାନିକାଲ ବିଭାଗ, ଇଲେକ୍ଟ୍ରିକାଲ ବିଭାଗ ସହ ଲୋକୋ ସେଡ୍‌ କର୍ମଚାରୀମାନଙ୍କୁ ନିର୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର