ନୂଆଁଖାଇ ପାଇଁ ଆସିଲା ନୂଆଁ ଧାନ

ସମ୍ବଲପୁର: ଆଉ ଚାରିଦିନ ପରେ ନୂଆଁଖାଇ। ପଶ୍ଚିମ ଓଡ଼ିଶାରେ ଏଥିପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଛି। ସମ୍ବଲପୁରର ଇଷ୍ଟଦେବୀ ମାଁ ସମଲେଶ୍ବରୀଙ୍କ ମନ୍ଦିରରେ ବି ନୂଆଁଖାଇ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ସର୍ବପ୍ରଥମେ ମାଁ ସମଲେଶ୍ବରୀଙ୍କୁ ନୂଆ ଚାଉଳ ଭୋଗ ଲାଗିଲା ପରେ ଅନ୍ୟ ଦେବାଦେବୀଙ୍କୁ ଭୋଗ ଲାଗିଥାଏ ଆଉ ଏହା ପରେ ଲୋକେ ନବାନ୍ନ ଖାଇଥାନ୍ତି। ମାଁ’ ସମଲେଶ୍ବରୀଙ୍କ ପାଇଁ ନୂଆ ଅନ୍ନ ପ୍ରସ୍ତୁତ କରିବାକୁ ଶନିବାର ନୂଆ ଧାନ ଆସି ପହଞ୍ଚିଛି।

ଅନ୍ୟ ବର୍ଷ ଭଳି ସମଲେଶ୍ବରୀ ମନ୍ଦିରର ମୁଖ୍ୟ ପୂଜକ ଅମ୍ବିକା ରାଏଙ୍କ ଘରକୁ ଏହି ଧାନ ପହଞ୍ଚାଇଛନ୍ତି ବଲବସ୍‌ପୁରର ଚାଷୀ ସୁବାସ ବେହେରା। ସମଲେଶ୍ବରୀଙ୍କୁ ନବାନ୍ନ ଲାଗି ନିମନ୍ତେ ଜିଲ୍ଲାର ବିଭିନ୍ନ ସ୍ଥାନରେ ସଅଳ ଅମଳକ୍ଷମ ସରିଆ ଧାନ ଚାଷ କରାଯାଏ। ୬୦ ଦିନରେ ଅମଳ ହୋଇଥାଏ।  ଜ୍ୟେଷ୍ଠ ମାସ ଶେଷ ଭାଗରୁ ଏହି ଚାଷ ଆରମ୍ଭ ହେଉଥିଲାବେଳେ ବର୍ତ୍ତମାନ ଏହା ଅମଳ ସମୟରେ ପହଞ୍ଚି ଯାଇଛି। କ୍ଷେତରେ ପୂଜାର୍ଚ୍ଚନା କରି ମାଁ’ଙ୍କ ପାଇଁ କିଛି ଧାନ କାଟିବା ପରେ ତାକୁ ମନ୍ଦିର ପୂଜକ ଅମ୍ବିକାଙ୍କ ନିକଟରେ ପହଞ୍ଚାଇଛନ୍ତି ସୁବାସ। ମନ୍ଦିରର ବିଧି ଅନୁଯାୟୀ ମୁଖ୍ୟପୂଜକ ଅମ୍ବିକା ଏବ˚ ଅନ୍ୟ ପୂଜକ ପରିବାରଙ୍କ ଘରେ ନୂଆ ଧାନରୁ ନବାନ୍ନ ଭୋଗ ତିଆରି କରାଯିବ।

ଏହି ନୂଆ ଧାନର ଚାଉଳକୁ ଭାଜି ଗୁଡ଼, ମହୁ ଓ ଶୁଦ୍ଧ ଘିଅ ମିଶାଇ ନବାନ୍ନ ଭୋଗ ପ୍ରସ୍ତୁତ ହେବ। ନୂଆଖାଇ ଦିନ ପୂର୍ବ ନିର୍ଧାରିତ ଲଗ୍ନରେ ଉକ୍ତ ଚାଉଳ ମାଁ ସମଲେଶ୍ବରୀଙ୍କ ନିକଟରେ ଲାଗି ହେବ ବୋଲି କହନ୍ତି ଅମ୍ବିକା। ଅମ୍ବିକାଙ୍କୁ ସୁବାସ ନୂଆ ଧାନ ଯୋଗାଉ ଥିବାବେଳେ ଅନ୍ୟ ପୂଜକମାନଙ୍କ ପାଖକୁ ଭିନ୍ନ ଭିନ୍ନ ସ୍ଥାନରୁ ଏହା ଆସିଥାଏ ବୋଲି ସେ ସୂଚନା ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଆସନ୍ତା ଗୁରୁବାର ସେପ୍‌ଟେମ୍ବର ୧ ତାରିଖ ପୂର୍ବାହ୍ନ ୧୦ଟା ୫୬ରୁ ୧୧ଟା ୧୦ ମଧ୍ୟରେ ତୁଳା ଲଗ୍ନରେ ମାଁ’ ସମଲେଶ୍ବରୀଙ୍କଠାରେ ନବାନ୍ନ ଲାଗି ହେବ।

ସମ୍ବନ୍ଧିତ ଖବର