ସମ୍ବଲପୁର ବିଶ୍ବବିଦ୍ୟାଳୟ: ଚାପିଦେଲେ ପ୍ରଶ୍ନପତ୍ର ଲିକ୍ ଘଟଣା 

ବୁର୍ଲା: ସମ୍ବଲପୁର ବିଶ୍ୱବିଦ୍ୟାଳୟ ପ୍ରଶ୍ନପତ୍ର ଲିକ୍ ଘଟଣାର ୬ ସପ୍ତାହ ପରେ ବି ଅଭିଯୁକ୍ତଙ୍କୁ ନିକଟରେ ପହଂଚି ପାରିନାହିଁ ପୁଲିସ। ଏଭଳି ସ୍ଥିତିରେ ଏହି ମାମଲାକୁ ବି ପୁଲିସ ଚାପି ଦେବ କି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସମ୍ବଲପୁର ବିଶ୍ବବିଦ୍ୟାଳୟରେ ଗତ ଦେଢ଼ ବର୍ଷ ମଧ୍ୟରେ ଅନେକ ଅଘଟଣ ଘଟିଛି। ଛାତ୍ରମାନଙ୍କ ଭବିଷ୍ୟତ ବି ଖେଳ ଖେଳାଯାଇଛି। ଗତ ବର୍ଷ କରୋନା ସମୟରେ ତ ଏଥିପାଇଁ ବିଶ୍ବବିଦ୍ୟାଳୟରେ ଲଙ୍କାକାଣ୍ଡ ଭିଆଇଥିଲେ। ତେବେ, ଏଥର ଯୁକ୍ତ ତିନି ଷଷ୍ଠ ସେମିଷ୍ଟର ପରୀକ୍ଷା ବେଳେ କ୍ରମାଗତ ୩ ଥର ପ୍ରଶ୍ନପତ୍ର ଲିକ୍ ହୋଇଥିଲା।  ଗତ  ଜୁଲାଇ ୧୫ ତାରିଖରେ ବିଶ୍ଵବିଦ୍ୟାଳୟ କୁଳସଚିବ ଡ. ନୃପରାଜ ସାହୁ ବୁର୍ଲା ଥାନା ଓ ସାଇବର ସେଲ୍‌ରେ ଲିଖିତ ଅଭିଯୋଗ କରିଥ‌ିଲେ। ଏହା ପରେ ବୁର୍ଲା-ହୀରାକୁଦ ଏଡିପିଓ ସତ୍ୟବ୍ରତ ଦାଶ ଏବଂ ବୁର୍ଲା ଥାନା ଅଧିକାରୀ କମଳ ପଣ୍ଡା ବିଶ୍ଵବିଦ୍ୟାଳୟକୁ ଆସି ବିଭିନ୍ନ ଦିଗରୁ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଥିଲେ।

ପ୍ରଶ୍ନପତ୍ର ତିଆରି ପ୍ରକ୍ରିୟାରେ ବିଶ୍ଵବିଦ୍ୟାଳୟର ନିୟମ ଉଲ୍ଳଂଘନକରି ଅନେକ କାର୍ଯ୍ୟ ହୋଇଥିବା ସେମାନେ ଜାଣିପାରିଥିଲେ। ତେଣୁ, ଯୁକ୍ତ ୩ ଷଷ୍ଠ ସେମିଷ୍ଟର ପରୀକ୍ଷା ପ୍ରଶ୍ନପତ୍ର ତିଆରି କାର୍ଯ୍ୟରେ ସଂପୃକ୍ତ ଅଧ୍ୟାପକ, କର୍ମଚାରୀ, ପରୀକ୍ଷା ନିୟନ୍ତ୍ରକ ଓ ତାଙ୍କ ବିଭାଗର କେତେକ କର୍ମଚାରୀ, ଗୋପନୀୟ ବିଭାଗର କର୍ମଚାରୀମାନଙ୍କୁ ପୁଲିସର ସନ୍ଦେହ ପରିସରକୁ ଆସିଥିଲେ। ଏହି ପରୀକ୍ଷା ପରିଚାଳନା ରେ ଜଡିତ ଅଛନ୍ତି ସମସ୍ତେ ପୁଲିସ୍ ର ସନ୍ଦେହ ଘେରରେ ରହଛନ୍ତି। ଏଥିପାଇଁ ସାଇବର ଟିମ୍‌ର ସହାୟତା ନେବା ଉପରେ ପୁଲିସ ଗୁରୁତ୍ବ ଦେଇଥିଲା। ଏପଟେ ପ୍ରଶ୍ନପତ୍ର ତିଆରି କରିଥିବା ଅଧ୍ୟାପକଙ୍କ ମୋବାଇଲ୍ ଫୋନ୍, ଲାପ୍‌ଟପ୍, ବ୍ୟକ୍ତିଗତ ଇ-ମେଲ୍ ଆଇଡି ଆଦି ଯାଞ୍ଚ କରାଯାଇଥିଲେ ବି ସାଇବର ବିଶେଷଜ୍ଞ ଦଳକୁ ପ୍ରଶ୍ନପତ୍ର ଲିକ୍ ମାମଲାର ସୁରାକ ମିଳିପାରିନଥିବା କହାଯାଉଛି।

ଏଭଳି ସ୍ଥିତିରେ ବିଶ୍ଵବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକଙ୍କ କାର୍ଯ୍ୟାଳୟର କର୍ମଚାରୀମାନଙ୍କ ଉପରେ ସାଇବର ବିଶେଷଜ୍ଞ ଦଳର ‌ସନ୍ଦେହ ବଢ଼ିଥିବା କହାଯାଉଛି। କେଉଁ ପରିସ୍ଥିତିରେ ଏବଂ କାହା ଚାପରେ ସାଇବର ବିଶେଷଜ୍ଞ ଦଳ ବିଶ୍ଵବିଦ୍ୟାଳୟକୁ ଆସି ସନ୍ଦେହଘରେ ଥିବା ଅଧିକାରୀ ଓ କର୍ମଚାରୀଙ୍କ ନିଜସ୍ଵ ମୋବାଇଲ୍, ଲାପ୍‌ଟପ୍, ଅଫିସର କମ୍ପ୍ୟୁଟରକୁ ଜବତ କରିବା ସହିତ ତାଙ୍କ ଇ-ମେଲ୍ ଯାଞ୍ଚ କରିବାକୁ ଗୁରୁତ୍ବ ଦେଉ ନାହିଁ ବୋଲି ଚର୍ଚ୍ଚା ହେଉଛି। ଯଦି, ଯାଞ୍ଚ କରାଯାଇଛି, ତାହେଲେ ଅଭିଯୁକ୍ତ ଆଜି ପର୍ଯ୍ୟନ୍ତ ଧରାପଡ଼ି‌ଲେ ନାହିଁ କେମିତି ? ପ୍ରଥମେ ବିଶ୍ଵବିଦ୍ୟାଳୟର ତଦନ୍ତକାରୀ ଟିମ୍, ପରବର୍ତ୍ତୀ ସମୟରେ ପୁଲିସ୍ ଟିମ୍ ଏବଂ ଏବେ ସାଇବର ବିଶେଷଜ୍ଞ ଦଳ ପ୍ରଶ୍ନପତ୍ର ଲିକ୍ ଘଟଣାର ତଦନ୍ତ ପରେ ବି ଅଭିଯୁକ୍ତ ଧରାନପଡ଼ିବା ପଛରେ ଅନ୍ୟ କିଛି ରହସ୍ୟ ଲୁଚି ରହିନାହିଁ ତ ବୋଲି ଜନସାଧାରଣରେ ଚର୍ଚ୍ଚା ଚାଲିଛି। ବିଶ୍ବବିଦ୍ୟାଳୟର ଅନ୍ୟ ମାମଲାଗୁଡ଼ିକ ଭଳି ଏହାକୁ ବି ଚାପି ଦିଆଯିବ ନାହିଁ ତ ?

ସମ୍ବନ୍ଧିତ ଖବର